ନୂଆଦିଲ୍ଲୀ/ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଥିବା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର (Southwest Monsoon) ଅଣ୍ଡାମାନ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ଏବଂ ଆଣ୍ଡାମନ ସାଗର ସମେତ ଆଣ୍ଡାମନ ଓ ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ବାୟୁ ପ୍ରବେଶ କରିଛି।

କେରଳରେ କେବେ ହେବ ଆଗମନ?

ଆଣ୍ଡାମନରେ ମୌସୁମୀର ଅଗ୍ରଗତି ପରେ ଏହା ଭାରତର ମୁଖ୍ୟ ଭୂଭାଗ କେରଳ ଅଭିମୁଖେ ଅଗ୍ରସର ହେବ। ଚଳିତ ବର୍ଷ ମେ’ ୨୬ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପୂର୍ବାନୁମାନ କରାଯାଇଛି। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥାଏ, ମାତ୍ର ଏଥର ଏହା କିଛି ଦିନ ଆଗରୁ ଆସୁଥିବାର ସଙ୍କେତ ମିଳିଛି।

କେମିତି ହେଲା ଅନୁକୂଳ ପାଗ?

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ସୁଦୃଶ୍ୟ ଲଘୁଚାପ ବଳୟ ଏବଂ ବାୟୁମଣ୍ଡଳୀୟ ଚକ୍ରବାତ ପ୍ରକ୍ରିୟା ଯୋଗୁଁ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ସହାୟକ ହେଉଛି। ଏହାର ପ୍ରଭାବରେ ଆଣ୍ଡାମନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଛି ମୌସୁମୀ ବାୟୁ ଏହି ପ୍ରାକ୍-ମୌସୁମୀ ବାୟୁ ପ୍ରଭାବରେ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇଛି।

ଏଲ୍ ନିନୋର ପ୍ରଭାବ ଆଶଙ୍କା

ତେବେ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସୁଥିଲେ ମଧ୍ୟ ଚଳିତ ବର୍ଷ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଉଥିବା El Nino ପ୍ରଭାବ ଯୋଗୁଁ ଚଳିତ ସିଜନରେ ଦେଶରେ ସ୍ୱାଭାବିକର ୯୨ ପ୍ରତିଶତ ବର୍ଷା ହୋଇପାରେ ବୋଲି IMD ନିଜର ଦୀର୍ଘକାଳୀନ ଆକଳନରେ ପ୍ରକାଶ କରିଛି।

ଆଣ୍ଡାମନରେ ମୌସୁମୀ ସକ୍ରିୟ ହୋଇଛି ତେବେ ପରେ ଓଡ଼ିଶାକୁ ଏହା କେବେ ସ୍ପର୍ଶ କରିବ, ସେ ନେଇ ଆଗାମୀ ଦିନରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।