ନୂଆଦିଲ୍ଲୀ: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ 'କକରୋଚ୍ ଜନତା ପାର୍ଟି'ର ପ୍ରତିଷ୍ଠାତାମାନଙ୍କର ରାଜନୈତିକ ଅଭିସନ୍ଧି ରହିଛି। ଦିଲ୍ଲୀର ଯନ୍ତରମନ୍ତରଠାରେ ଆୟୋଜିତ ଛାତ୍ର ଓ ଯୁବ ଆନ୍ଦୋଳନ ସମୟରେ ସେ ଏହା ଅନୁଭବ କରିଥିବା କହିଛନ୍ତି। ତେବେ ରାଜନୀତିରେ ଯୋଗଦେବା କିମ୍ବା ରାଜନୈତିକ ଆକାଂକ୍ଷା ରଖିବାରେ କୌଣସି ଭୁଲ୍ ନାହିଁ ବୋଲି ସେ କହିଛନ୍ତି।

୫୯ ବର୍ଷୀୟ ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ, ଅଧିକରୁ ଅଧିକ ଯୁବନେତା ସକ୍ରିୟ ରାଜନୀତିରେ ଯୋଗଦେବା କିମ୍ବା ନିଜର ଦଳ ଗଠନ କରି ଆଗକୁ ଆସିବା ଉଚିତ୍। ଯେତେବେଳେ ସେ ଏହି ଯୁବ ଆନ୍ଦୋଳନରେ ସାମିଲ ହୋଇଥିଲେ, ସମାଲୋଚକମାନେ CJP ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି (AAP) ସହ ଜଡ଼ିତ ଥିବା କଥା କହି ସଚେତନ କରିବାକୁ ଚେଷ୍ଟା କରିଥିଲେ।

ସମାଲୋଚକଙ୍କ କଥାରେ ସେ ଆଦୌ ବିଚଳିତ ହୋଇନଥିଲେ ବୋଲି କହିଛନ୍ତି ଓ୍ବାଙ୍ଗଚୁକ। ଅତୀତରେ କୌଣସି ରାଜନୈତିକ ଦଳ ସହ କାମ କରିଥିବା କିମ୍ବା ପୂର୍ବରୁ ରାଜନୈତିକ ପୃଷ୍ଠଭୂମି ଥିବା କୌଣସି ଅପରାଧ ନୁହେଁ ବୋଲି ସେ କହିଛନ୍ତି। ୱାଙ୍ଗଚୁକଙ୍କ କହିବା ଅନୁଯାୟୀ, ଦେଶର ଯୁବବର୍ଗ ନିଜ ଅଧିକାର ଓ ସମସ୍ୟା ପାଇଁ କେବଳ ରାସ୍ତାକୁ ଓହ୍ଲାଇବା ଯଥେଷ୍ଟ ନୁହେଁ। ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ସେମାନଙ୍କୁ ନୀତି ନିର୍ଦ୍ଧାରଣ ଓ ରାଜନୈତିକ ବ୍ୟବସ୍ଥା ଭିତରକୁ ପ୍ରବେଶ କରିବାକୁ ପଡ଼ିବ।

ସିଜେପିର ପ୍ରତିଷ୍ଠାତାମାନେ କୌଣସି ସାଧୁ-ସନ୍ଥ ନୁହଁନ୍ତି । ସେମାନଙ୍କର ରାଜନୈତିକ ଅଭିସନ୍ଧି ଥିବା ଦାବିକୁ ସ୍ବୀକାର କରିଛନ୍ତି ସୋନମ ଓ୍ବାଙ୍ଗଚୁକ । ଏହା ସହ ସେ ଦେଶର ରାଜନୀତିରେ ନୂଆ ଓ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିଛନ୍ତି।