ନୂଆଦିଲ୍ଲୀ: ପରିବେଶବିତ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ଏବଂ ତାଙ୍କୁ ଜନ୍ତର ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯିବା ଘଟଣା ପରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି। ଶନିବାର ଗୀତାଞ୍ଜଳି ସ୍ପଷ୍ଟ କହିଛନ୍ତି, "ଯଦି ସୋନମ ୱାଙ୍ଗଚୁକ ସଂସଦ ମାର୍ଚ୍ଚରେ ଯୋଗ ଦେଇପାରିବେ ନାହିଁ, ତାହେଲେ ମୁଁ ତାଙ୍କ ପ୍ରତିନିଧିତ୍ୱ କରିବି ଏବଂ ସେହି ମାର୍ଚ୍ଚର ନେତୃତ୍ୱ ନେବି।"

ଶୁକ୍ରବାର ଅନଶନ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଗୀତାଞ୍ଜଳି ୱାଙ୍ଗଚୁକଙ୍କୁ ଭେଟିଥିଲେ। ସେହି ଦିନ ୱାଙ୍ଗଚୁକଙ୍କୁ ଜନ୍ତର ମନ୍ତରରୁ ବଳପୂର୍ବକ ହଟାଇ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରି ସେ ସରକାରଙ୍କ ବିରୋଧରେ ସ୍ୱର ଉଠାଇଥିଲେ। ଏହା ପୂର୍ବରୁ ମଧ୍ୟ ଲଦାଖରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ପ୍ରାୟ ପାଞ୍ଚ ମାସ ଧରି ଅଟକ ରହିଥିବା ୱାଙ୍ଗଚୁକଙ୍କ ମୁକ୍ତିରେ ଗୀତାଞ୍ଜଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଆପଣ ଜାଣନ୍ତି କି ଯେଉଁ ସୋନମ ୱାଙ୍ଗଚୁକଙ୍କୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା ସେ ଆମ ଓଡ଼ିଶା ଜ୍ୱାଇଁ। ତାଙ୍କ ପତ୍ନୀ ଓଡ଼ିଶାରେ ଜନ୍ମ ହୋଇଛନ୍ତି, ଏଇଠି ପଢ଼ିଛନ୍ତି ଏଇଠି ବଢ଼ିଛନ୍ତି। ସେ ଓଡ଼ିଆ ବି ଜାଣନ୍ତି। ସୋନମ ୱାଙ୍ଗଚୁକ ମଧ୍ୟ ଟିକେ ଟିକେ ଓଡ଼ିଆ ଜାଣନ୍ତି। ତେବେ ଆସନ୍ତ ସୋନମ ୱାଙ୍ଗଚୁକଙ୍କ ଦ୍ୱିତୀୟ ପତ୍ନୀ ଗୀତାଞ୍ଜଳୀଙ୍କ ବିଷୟରେ ଅଧିକ ଟିକେ ଜାଣିବା।

ୱାଙ୍ଗଚୁକଙ୍କ ଦ୍ୱିତୀୟ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ

ସମାଜସେବୀ ସୋନମ ୱାଙ୍ଗଚୁକ ପ୍ରଥମେ ଆମେରିକୀୟ ନାଗରିକ ରେବେକା ନର୍ମାନଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହା ପରେ ସେ ଗୀତାଞ୍ଜଳି ଅଙ୍ଗମୋଙ୍କୁ ବିବାହ କରିଛନ୍ତି। ସାଧାରଣତଃ ଲୋକଲୋଚନରୁ ଦୂରରେ ରହୁଥିବା ଗୀତାଞ୍ଜଳି ଜଣେ ସାମାଜିକ ଉଦ୍ୟୋଗୀ ଓ ଶିକ୍ଷାବିତ୍। ସେ ଲଦାଖର ହିମାଳୟନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲ୍ଟରନେଟିଭ୍ସ (HIAL)-ର ସହ-ପ୍ରତିଷ୍ଠାତା। ୨୦୧୭ରେ ସୋନମ ୱାଙ୍ଗଚୁକଙ୍କ ସହ ମିଶି ସେ ଏହି ଅନୁଷ୍ଠାନ ସ୍ଥାପନ କରିଥିଲେ।

ଏହି ଅନୁଷ୍ଠାନ ଲଦାଖର କଠିନ ପାଣିପାଗକୁ ଧ୍ୟାନରେ ରଖି ବାସ୍ତବ ସମସ୍ୟାର ସମାଧାନ ଉପରେ କାମ କରୁଛି। ଏହା ଗ୍ରୀନ୍ କ୍ୟାମ୍ପସ, ସୌରଶକ୍ତି ଦ୍ୱାରା ଉତ୍ତପ୍ତ ଭବନ, ସ୍ଥାୟୀ ଟେକ୍ନୋଲୋଜୀର ବିକାଶ କରିବା ସହ ୨୦୨୧ରେ ସେନା ପାଇଁ ସୌରଶକ୍ତି ଚାଳିତ ତମ୍ବୁ ମଧ୍ୟ ବିକଶିତ କରିଥିଲା। HIAL ଫେଲୋଶିପ୍ ଓ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ମଧ୍ୟ ପରିଚାଳନା କରୁଛି। ତେବେ ବିଦେଶୀ ଅର୍ଥ ସହାୟତା ସମ୍ବନ୍ଧୀୟ ଅଭିଯୋଗକୁ ନେଇ ଗତବର୍ଷ CBI ଏହି ସଂସ୍ଥାର ଯାଞ୍ଚ କରିଥିଲା।

ଓଡ଼ିଶାର ବାଲେଶ୍ୱରରେ ଜନ୍ମ

ଗୀତାଞ୍ଜଳି ଅଙ୍ଗମୋଙ୍କ ଜନ୍ମ ଓଡ଼ିଶାର ବାଲେଶ୍ୱରର ଏକ ପଞ୍ଜାବୀ ପରିବାରରେ ହୋଇଥିଲା। ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ଭୁବନେଶ୍ୱରର ଜେଭିଅର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (XIMB)ରୁ MBA ଡିଗ୍ରୀ ହାସଲ କରିଥିଲେ। MBA ପରେ ସେ ପ୍ରାୟ ୧୫ ବର୍ଷ କର୍ପୋରେଟ୍ କ୍ଷେତ୍ରରେ କାମ କରିଥିଲେ। ବିଶେଷକରି ଡେନମାର୍କରେ ସେ ଦୀର୍ଘ ସମୟ କାର୍ଯ୍ୟରତ ଥିଲେ।

Also Read- National Film Awards: ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ, ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ପୁରସ୍କୃତ

ଭାରତ ଫେରିବା ପରେ ସେ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ କରି ପୁଷାନ୍, ସାଂଘାଇ ପାୱାର ପ୍ରୋଜେକ୍ଟସ୍ ଲିମିଟେଡ୍ ପ୍ରତିଷ୍ଠା କରିଥିଲେ। ଏହା ସହ ହେଲିଓସ୍ ବୁକ୍ସ ନାମରେ ଏକ ପ୍ରକାଶନ ସଂସ୍ଥା ମଧ୍ୟ ସ୍ଥାପନ କରିଥିଲେ। ଗୀତାଞ୍ଜଳିଙ୍କ LinkedIn ପ୍ରୋଫାଇଲ୍ ଅନୁସାରେ ସେ କରାଟେରେ ବ୍ଲାକ୍ ବେଲ୍ଟ ହୋଇଥିବା ବେଳେ ଓଡ଼ିଶୀ ଓ ରୁଷୀୟ ନୃତ୍ୟରେ ମଧ୍ୟ ପାରଙ୍ଗମ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର Chevening Scholar ମଧ୍ୟ ଅଟନ୍ତି। ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା Women Transforming India Award ମଧ୍ୟ ସେ ପାଇଛନ୍ତି। ନିଜ LinkedIn ବାୟୋରେ ସେ ନିଜକୁ "Spiritual Seeker" ବା ଆଧ୍ୟାତ୍ମିକ ସାଧକ ବୋଲି ଲେଖିଛନ୍ତି। ଭାରତୀୟ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଗଭୀର ଆଗ୍ରହ ଥିବା କଥା ସେ ବାୟୋରେ ଲେଖିଛନ୍ତି।

କିପରି ହୋଇଥିଲା ପରିଚୟ?

୨୦୨୫ରେ ଇଂରାଜୀ ଗଣମାଧ୍ୟମ ବ୍ରୁଟ(Brut)କୁ ଦେଇଥିବା ଏକ ସାକ୍ଷାତକାରରେ ଗୀତାଞ୍ଜଳି କହିଥିଲେ ଯେ ଏକ ଶିକ୍ଷା ସମ୍ମିଳନୀରେ ତାଙ୍କର ୱାଙ୍ଗଚୁକଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। ସେ କହିଥିଲେ, "ଆମେ ଦୁହିଙ୍କର କଥା ଏକା ଥିଲା ଶିକ୍ଷା ଓ ଜୀବନକୁ ନେଇ ଆମ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିଲା।" ସେ ସବୁବେଳେ ୱାଙ୍ଗଚୁକଙ୍କୁ ତାଙ୍କ କାର୍ଯ୍ୟରେ ସମର୍ଥନ ଜଣାଇଛନ୍ତି।

ଗତବର୍ଷ ସେପ୍ଟେମ୍ବରରେ ଲଦାଖରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଗିରଫ କରାଯାଇଥିଲା। ତାଙ୍କୁ ଯୋଧପୁର କେନ୍ଦ୍ରୀୟ କାରାଗାରରେ ରଖାଯାଇଥିଲା। ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ସୂଚୀରେ ସାମିଲ କରିବା ଦାବିରେ ହୋଇଥିବା ଆନ୍ଦୋଳନ ସମୟରେ ଚାରି ଜଣଙ୍କ ମୃତ୍ୟୁ ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୧୯ରେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ପରଠାରୁ ୱାଙ୍ଗଚୁକ ଏହି ଦୁଇ ଦାବିକୁ ନେଇ ବାରମ୍ବାର ଅନଶନ ଓ ଆନ୍ଦୋଳନ କରୁଛନ୍ତି।

ୱାଙ୍ଗଚୁକଙ୍କ ଦୀର୍ଘ ଦିନର ଅଟକକୁ ଚ୍ୟାଲେଞ୍ଜ କରି ଗୀତାଞ୍ଜଳି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ। ୧୭୦ ଦିନ ପରେ ୱାଙ୍ଗଚୁକ ମୁକ୍ତ ହେବା ହୋଇଥିଲେ। ଆଉ ଏବେ ନିଟ୍ ପେପର ଲିକ ନେଇ କରିଥିବା ଅନଶନରେ ମଧ୍ୟ ଗୀତାଞ୍ଜଳୀ ୱାଙ୍ଗଚୁକଙ୍କ ସମର୍ଥନ ପାଇଁ ଓହ୍ଲାଇଛନ୍ତି। ଆସନ୍ତା ଜୁଲାଇ ୨୦ରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ କକ୍ରୋଚ ଜନତା ପାର୍ଟି ପକ୍ଷରୁ ସଂସଦ ଅଭିମୁଖେ ଏକ ଶୋଭାଯାତ୍ରା ହେବାର ଅଛି। ଏଥିରେ ୱାଙ୍ଗଚୁକ ମଧ୍ୟ ଯୋଗ ଦେବାର ଥିଲା। ହେଲେ ଦିଲ୍ଲୀ ପୁଲିସ ତାଙ୍କୁ ସଫଦରଗଞ୍ଜ ହସପିଟାଲରେ ରଖିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ଦେଖି ଶୋଭାଯାତ୍ରାରେ ଯୋଗ ଦେଇପାରିବେ ନାହିଁ। ତେବେ ତାଙ୍କ ବଦଳରେ ନିଜେ ଗୀତାଞ୍ଜଳୀ ପ୍ରତିନିଧି ଭାବେ ସଂସଦ ପର୍ଯ୍ୟନ୍ତ ହେବାକୁ ଥିବା ଶୋଭାଯାତ୍ରାରେ ନେତୃତ୍ୱ ନେବେ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଜୁଲାଇ ୨୦ର ଏହି ମାର୍ଚ୍ଚ ଉପରେ ରହିଛି।