ଆସ୍କା ୦୩।୦୬ : ନିଖୋଜର ଦେଢ଼ ବର୍ଷ ପରେ ମିଳିଲା କଙ୍କାଳ । ୨୦୧୪ରୁ ବନ୍ଦ ଥିବା ସୂତାକଳର ପରିତ୍ୟକ୍ତ କ୍ୟାଣ୍ଟିନରୁ ହାଡ଼ କଙ୍କାଳ ଜବତ।  ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ଅଞ୍ଚଳରେ ବହୁ ଦିନ ଧରି ବନ୍ଦ ରହିଥିବା ସୂତାକଳର ପୁରୁଣା କ୍ୟାଣ୍ଟିନ ଭିତରୁ ଏକ କଙ୍କାଳ ଜବତ ହୋଇଛି। ମିଳିଥିବା କଙ୍କାଳ ଟି ୨୫ ବର୍ଷୀୟ A.ଶଙ୍କର ପାତ୍ରଙ୍କ ବୋଲି କୁହାଯାଉଛି l

ଖବର ଅନୁଯାୟୀ, ସୂତାକଳର ପୁରୁଣା କ୍ୟାଣ୍ଟିନ ଭିତରେ କଙ୍କାଳ ପଡ଼ିଥିବା ଖବର ପାଇ କୋଟିନଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। କଙ୍କାଳ ଜବତ କରିବା ସହ  ଯାଞ୍ଚ ପାଇଁ ଫରେନ୍ସିକ୍ ଲ୍ୟାବକୁ ପଠାଇଛି ପୋଲିସ l କୋଟିନଡ଼ା ଥାନାରେ ୨୦୨୪ ମସିହାରେ ରୁଜୁ ହୋଇଥିବା ଏକ ନିଖୋଜ ମାମଲା ଆଧାରରେ ପରିବାର ଲୋକଙ୍କୁ ଡାକିଥିଲା ପୋଲିସ । କଙ୍କାଳର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛି ପୋଲିସ । ତେବେ କଙ୍କାଳଟି ନରସିଂହପୁର  ଗାଁର ଏ. ଲକ୍ଷ୍ମଣ ପାତ୍ରଙ୍କ ବଡ଼ ପୁଅ A.ଶଙ୍କର ପାତ୍ରଙ୍କ ବୋଲି ପରିବାର ଲୋକେ କହିଛନ୍ତି l  

Also Read:-ହାଇପରସୋନିକ୍ ସ୍ପିଡ୍, ଆଖି ପିଛୁଳାକେ ଟାର୍ଗେଟ୍ ଧ୍ୱଂସ; ଭାରତର ‘ସୁପର୍ କିଲର୍’ ରୁଦ୍ରମ-୨ର ସଫଳ ପରୀକ୍ଷଣ

ତେବେ କଙ୍କାଳ ପାଖରେ ପଡ଼ିଥିବା ଜୋତା, ସାର୍ଟ ଓ ପ୍ୟାଣ୍ଟକୁ ଦେଖି ଏହା ତାଙ୍କ ନିଖୋଜ ପୁଅର ବୋଲି ଚିହ୍ନଟ କରିଛନ୍ତି।  ପୁଅକୁ ଘରୁ ଡାକି  ନେଇ କିଛି ସାଙ୍ଗ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ପୁଅ କିଛି ସାଙ୍ଗଙ୍କଠାରୁ ଟଙ୍କା ଧାର ଆଣିଥିଲେ ।  ସେଥିପାଇଁ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଯୁବକ ନିଖୋଜ ହେବାର ଦେଢ଼ ବର୍ଷ ପରେ ଠାବ ହୋଇଛି ତାଙ୍କ କଙ୍କାଳ,ଆଉ ଏହା ପରେ ଉଠିଛି ଅନେକ ପ୍ରଶ୍ନ। ତାଙ୍କ କଙ୍କାଳ ଏଠାକୁ ଆସିଲା କେମିତି, କେବେଠୁ ମୃତ୍ୟୁ ଘଟିଲାଣି । ସେ ଆତ୍ମହତ୍ୟା କରିଥିଲେ ନାଁ କିଏ ତାଙ୍କୁ ମାରି ପିଙ୍ଗି ଦେଇଥିଲା । ସେ ସବୁ ଦିଗକୁ ନେଇ ଛାନଭିନ କରୁଛି ପୋଲିସ।