ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଜି ଏକ ବଡ଼ ଐତିହାସିକ ସଫଳତା ମିଳିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଓଡ଼ିଶା ଉପକୂଳରେ ଦେଶର ସବୁଠାରୁ ଆଧୁନିକ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି-ରେଡିଏସନ୍ ମିସାଇଲ୍ 'ରୁଦ୍ରମ୍-୨'ର ସଫଳ ପରୀକ୍ଷଣ କରିଛନ୍ତି । ବାୟୁସେନାର ଅତ୍ୟାଧୁନିକ ସୁପରସୋନିକ୍ ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇ (Su-30 MKI)ରୁ ଏହି ମିସାଇଲକୁ ଲଞ୍ଚ କରାଯାଇଥିଲା । ଏହି ପରୀକ୍ଷଣ ସମୟରେ ମିସାଇଲଟି ସମସ୍ତ ପ୍ରକାରର ଯୁଦ୍ଧକାଳୀନ ମାନଦଣ୍ଡ ଏବଂ ଲକ୍ଷ୍ୟକୁ ସଠିକ୍ ଭାବେ ପୂରଣ କରିଛି । ଏହି ସଫଳତା ଦ୍ୱାରା ମିସାଇଲ୍‌ର ପ୍ରୋପଲସନ୍ ସିଷ୍ଟମ୍, କ୍ରାଫ୍ଟ କଣ୍ଟ୍ରୋଲ୍ ଏବଂ ଗାଇଡାନ୍ସ ଆଲଗୋରିଦମର କ୍ଷମତା ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇଛି । ଭାରତର ଏହି ନୂଆ ଅସ୍ତ୍ର ଯୁଦ୍ଧ ସମୟରେ ଶତ୍ରୁ ପକ୍ଷର ରାଡାର୍ ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦେବାର ସାମର୍ଥ୍ୟ ରଖିଛି ।

ଆଣ୍ଟି-ରେଡିଏସନ୍ ମିସାଇଲ୍ ସାଧାରଣ ଗାଇଡେଡ୍ ମିସାଇଲ୍ ତୁଳନାରେ ଭିନ୍ନ ଏବଂ ଅଧିକ ଘାତକ ହୋଇଥାଏ । ଏହାର ମୁଖ୍ୟ କାମ ହେଉଛି ଶତ୍ରୁ ସୀମାରେ ଥିବା ରାଡାର୍, କମ୍ୟୁନିକେସନ ନେଟୱର୍କ ଏବଂ ରେଡିଓ ଫ୍ରିକ୍ୱେନ୍ସିର ଉତ୍ସଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ଟ୍ରାକ୍ କରିବା ଏବଂ ସିଧାସଳଖ ତା’ ଉପରେ ଆକ୍ରମଣ କରି ଧ୍ୱଂସ କରିବା । ଯଦି ଯୁଦ୍ଧ ସମୟରେ ଶତ୍ରୁ ଦେଶ ନିଜର ଆଣ୍ଟି-ମିସାଇଲ୍ ସିଷ୍ଟମ ବା ରାଡାରକୁ ଭୟରେ ବନ୍ଦ ମଧ୍ୟ କରିଦିଏ, ତଥାପି ଏହି ମିସାଇଲରୁ ବର୍ତ୍ତି ପାରିବ ନାହି । ରୁଦ୍ରମ୍-୨ ମିସାଇଲ୍ ଭିତରେ ଥିବା ଅତ୍ୟାଧୁନିକ ସ୍ମାର୍ଟ କମ୍ପ୍ୟୁଟର ସିଷ୍ଟମ୍, ରାଡାର୍ ବନ୍ଦ ହେବା ପୂର୍ବରୁ ତା’ର ଶେଷ ଲୋକେସନକୁ ନିଜ ମେମୋରୀରେ ସେଭ୍ କରି ରଖିଥାଏ । ସେହି ଅନ୍ଧାର ନିଶାନାରେ ଯାଇ ମଧ୍ୟ ଠିକ୍ ଜାଗାରେ ବିସ୍ଫୋରଣ ଘଟାଇଥାଏ ।

‘ରୁଦ୍ରମ୍-୨’ ମିସାଇଲ୍ ପୂର୍ବରୁ ଥିବା ‘ରୁଦ୍ରମ୍-୧’ ତୁଳନାରେ ଅନେକ ଗୁଣା ଅଧିକ ଶକ୍ତିଶାଳୀ ଏବଂ ଏହାର ଷ୍ଟ୍ରାଇକ୍ ରେଞ୍ଜ୍ ମଧ୍ୟ ବହୁତ ଅଧିକ । ପୂର୍ବ ମିସାଇଲ୍‌ର ମାରକ କ୍ଷମତା ପ୍ରାୟ ୧୦୦ରୁ ୧୫୦ କିଲୋମିଟର ଥିବାବେଳେ, ରୁଦ୍ରମ୍-୨ ପ୍ରାୟ ୩୦୦ରୁ ୩୫୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ସଠିକ୍ ଭାବେ ଭେଦ କରିପାରିବ । ଏହାର ସବୁଠାରୁ ବଡ଼ ଲାଭ ହେଉଛି, ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ଶତ୍ରୁ ଦେଶର ଆକାଶ ସୀମା ବା ସୀମା ଭିତରକୁ ପ୍ରବେଶ କରିବାକୁ ପଡ଼ିବ ନାହିଁ । ସେମାନେ ନିଜ ସୀମା ଭିତରେ ସୁରକ୍ଷିତ ରହି ହିଁ ଶତ୍ରୁର ମିସାଇଲ୍ ଡିଫେନ୍ସ ବ୍ୟାଟେରୀ ଏବଂ ସୁରକ୍ଷା କବଚକୁ ମାଟିରେ ମିଶାଇ ଦେଇପାରିବେ । ଏହି ସଫଳ ପରୀକ୍ଷଣ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ବାୟୁସେନା ଏବଂ ପ୍ରତିରକ୍ଷା ଶିଳ୍ପ ସହ ଜଡ଼ିତ ସମସ୍ତ ବୈଜ୍ଞାନିକ ଓ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।