​​​​​​​ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ୬ ବିଜେଡି ବିଧାୟକ କ୍ରସ ଭୋଟିଂ କରିଥିଲେ। ଦଳୀୟ ହ୍ବିପ୍ ନମାନି ଏହି ବିଧାୟକମାନେ କ୍ରସ ଭୋଟିଂ କରଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ବିଜେଡି। ଏମିତିରେ ସୋ କଜ୍ ନୋଟିସ ଜାରି କରିଥିଲା ଦଳ। ଯାହାର ଉତ୍ତର ରଖିଛନ୍ତି ଏହି ୬ ବିଧାୟକ।

ଶୁକ୍ରବାର ୬ ବିଧାୟକ ଚକ୍ରମଣି କହଁର, ନବ ମଲ୍ଲିକ, ସୌଭିକ ବିଶ୍ବାଳ, ସୁବାସିନୀ ଜେନା, ବିଧାୟକ ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ସୋ କଜ୍ ନୋଟିସର ଉତ୍ତର ରଖି କହିଛନ୍ତି, ଏଭଳି ନୋଟିସ ଆଇନ ଅନୁଯାୟୀ ଅସିଦ୍ଧ। ଚିଠିରେ ସମସ୍ତେ  ଦର୍ଶାଇଛନ୍ତି ଯେ, ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଆପଣ ଆପଣଙ୍କର ସୀମା ଅତିକ୍ରମ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରାଯାଇଛି ବୋଲି କାରଣ ଦର୍ଶାଅ ନୋଟିସରେ ଅବଗତ କରାଯାଇଛି।

ଏହି ବିଧାୟକମାନେ, ସେମାନେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରି ନାହାଁନ୍ତି । ରାଜ୍ୟସଭା ନିର୍ବାଚନରେ ନିଜର ସ୍ବାଧୀନ ମତଦାନ କରି କୌଣସି ଆଇନ ଉଲଘଂନ କରି ନାହାଁନ୍ତି । ଏହାସହ ସେମାନେ କେବେ ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲଘଂନ କରି ନାହାଁନ୍ତି । ତେଣୁ ରାଜ୍ୟସଭା ନିର୍ବାଚନରେ ​​ଭୋଟ ଦେବା ପାଇଁ ଜଣେ ଭୋଟରଙ୍କୁ ଦଶମ ଅନୁସୂଚୀର ଦଣ୍ଡ ବ୍ୟବସ୍ଥା ଲାଗୁ ହେବ ନାହିଁ । କାରଣ ଦର୍ଶାଅ ନୋଟିସ୍ କେବଳ ବେଆଇନ, ମନମୁଖୀ ନୁହେଁ, ବରଂ ଏହା ଆଇନ ପ୍ରକ୍ରିୟା ଏବଂ ଭାରତର ସମ୍ବିଧାନର ଅପବ୍ୟବହାର ମଧ୍ୟ । ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଧ୍ୟ ହେବେ ବୋଲି ମଧ୍ୟ କହିଛନ୍ତି। ତେବେ ଏହାକୁ ନେଇ ପ୍ରମିଳା ମଲ୍ଲିକ କଡ଼ା ମନ୍ତବ୍ୟ ରଖିଛନ୍ତି। 

Also Read: Scb row in assembly: ବର୍ଷିଲେ ଅରୁଣ, କହିଲେ କାହିଁକି ଚୁପ୍ ସରକାର ?

​​​​​​​ପ୍ରମିଳା ମଲ୍ଲିକ କହିଛନ୍ତି,‘‘ ଏହି ଚିଠି ଗୋଟିଏ ଅଫିସରୁ ବସି ଟାଇପ ହେଇଛି। ଯେଉଁମାନେ କିଣିକି ନେଇଛନ୍ତି ସେମାନେ ଲେଖିଛନ୍ତି ଏମାନେ ଦସ୍ତଖତ କରିଛନ୍ତି। ଆଇନ କଣ ଏକା ସେମାନଙ୍କ ପାଇଁ ? ନିଅନ୍ତୁ କଣ ଆଇନର ଆଶ୍ରୟ ନେବେ। ଚୋରି କରି ଭୋଟ ଦେଲେ । ଆମେ ଦଳ ବିରୁଦ୍ଧରେ ଯାଇ କାହିଁକି ଭୋଟ ଦେଲ ବୋଲି ପ୍ରଶ୍ନ କରିଥିଲୁ। କିନ୍ତୁ ସତ କଥା ନ ଲେଖି ଧମକାଇ ଆଇନ ଦେଖାଉଛନ୍ତି ।’’

ସେ ଆହୁରି କହିଛନ୍ତି ‘‘ଏବେ ସେମାନେ ବିବେକ କଥା କହୁଛନ୍ତି ।ଦଳ ଟିକେଟ ନେଲା ବେଳେ କାହିଁକି ବିବେକ ନଥିଲା।’’ ତେବେ ଆଗକୁ ଏମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରଶ୍ନର ଉତ୍ତରରେ ପ୍ରମିଳା କହିଛନ୍ତି ‘‘ ଏହି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି ନିଷ୍ପତ୍ତି ନେବେ । ବୈଠକରେ କଣ ନିଷ୍ପତ୍ତି ନିଆଯାଇଥିଲା କାହିଁକି ଲୁଚାଉଛନ୍ତି । ଦଳ ଫିଲଟର ହେଉଛି ସବୁ ଅଳିଆ ବାହାରିଗଲେ ସ୍ଵଚ୍ଛ ହେବ।’’