ପୁରୀ: ରାତି ପାହିଲେ ପଞ୍ଚୁକ ବ୍ରତ ଆରମ୍ଭ ହେବ । ତେବେ ଚଳିତବର୍ଷ ପଞ୍ଚୁକ ପାଞ୍ଚଦିନ ବଦଳରେ ତିଥି କ୍ଷୟ ଯୋଗୁଁ ଚାରିଦିନ ପଡ଼ୁଛି । ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳି ମାଆମାନଙ୍କ ଭିଡ଼ ପରିଲକ୍ଷିତ ହେବ । ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳି ମାଆମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭକ୍ତଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ସହ ଶ୍ରୀମନ୍ଦିର ଭିତରେ ବାହାରେ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ । ଆଜି ପୁରୀ ଟାଉନଥାନା ପରିସରରେ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ପ୍ରତୀକ୍ ସିଂ ବରିଷ୍ଠ ଅଧିକାରୀମାନଙ୍କୁ ପଞ୍ଚୁକ ସମୟରେ କିଭଳି ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସୁପରିଚାଳନା କରାଯାଇପାରିବ ସେନେଇ ବ୍ରିଫିଂ କରିଛନ୍ତି ।

ମାର୍କେଟ ଛକ ଠାରୁ ଶ୍ରଦ୍ଧାଳୁମାନେ ୮ ଥାକିଆ ବ୍ୟାରିକେଡ୍ ମାଧ୍ୟମରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ । ଏହାଛଡା ବେଳାଭୂମିରେ ଭକ୍ତଙ୍କ ସୁରକ୍ଷିତ ସ୍ନାନ ଓ ସୁରକ୍ଷା ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ତ୍ତିକ ପୂର୍ଣ୍ଣିମା ଦିନ ହବିଷ୍ୟାଳିଙ୍କ ଡଙ୍ଗା ଭସା ପର୍ବ ଥିବାରୁ ସେଠାରେ ମଧ୍ୟ ଲାଇଫଗାର୍ଡ, ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମତେ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ କହିଛନ୍ତି । ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନକୁ ନିର୍ଦ୍ଧିଷ୍ଟ ପାର୍କିଂରେ ରଖାଯିବ ବୋଲି ଆଇଜି କହିଛନ୍ତି । ତେବେ ପଞ୍ଚୁକ ସମୟରେ ପୁରୀକୁ ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ, ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ସିସିଟିଭି ବଳୟ ମଧ୍ୟରେ ଶ୍ରୀକ୍ଷେତ୍ର ରହିବ ।