ଭୁବନେଶ୍ୱର: ରକ୍ତ ସଞ୍ଚାର ଚିକିତ୍ସା କ୍ଷେତ୍ରରେ ନୂଆ ଗବେଷଣା ଓ ଆଧୁନିକ ଜ୍ଞାନକୌଶଳର ଆଦାନପ୍ରଦାନ ପାଇଁ ଭୁବନେଶ୍ୱରରେ ଆୟୋଜିତ ହେଉଛି ଜାତୀୟ ସମ୍ମିଳନୀ TRANSMEDCON-2026 । ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୧୪ତମ ବାର୍ଷିକ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୧୧୦୦ ଡାକ୍ତର, ଗବେଷକ ଓ ବିଶେଷଜ୍ଞ ଯୋଗଦେଇଛନ୍ତି ।

ଏସସିବି ମେଡିକାଲ କଲେଜ, ଏମ୍ସ ଭୁବନେଶ୍ୱର, ଏମକେସିଜି ମେଡିକାଲ କଲେଜ ଓ କିମ୍ସର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଯୋଗଦେଇ ରକ୍ତ ସଞ୍ଚାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରକ୍ତ କାରଖାନାରେ ଉତ୍ପାଦନ ହୋଇପାରିବ ନାହିଁ, ତେଣୁ ରୋଗୀଙ୍କ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ହିଁ ଏକମାତ୍ର ଭରସା ବୋଲି ସେ କହିଥିଲେ । ସେହିପରି ନ୍ୟାସନାଲ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କାଉନସିଲର ନିର୍ଦ୍ଦେଶକ ଡାକ୍ତର କ୍ରିଷନ କୁମାର ରକ୍ତର ପର୍ଯ୍ୟାପ୍ତ ଉପଲବ୍ଧତା ସହ ଏହାର ସୁରକ୍ଷା ଓ ଗୁଣବତ୍ତା ବଜାୟ ରଖିବା ଉପରେ ଜୋର୍ ଦେଇଥିଲେ ।

ଆମେରିକାର ଜନ୍ସ ହପକିନ୍ସ ୟୁନିଭର୍ସିଟି ଓ ମେୟୋ କ୍ଲିନିକ୍ ସମେତ ନେଦରଲ୍ୟାଣ୍ଡ ଓ ୟୁରୋପର ବିଶେଷଜ୍ଞମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହାସହ ରକ୍ତ ସଞ୍ଚାର ଚିକିତ୍ସାର ବିଭିନ୍ନ ବିଭାଗରେ ସାତଟି ସ୍ୱତନ୍ତ୍ର ତାଲିମ କର୍ମଶାଳା ଆୟୋଜନ କରାଯାଇଛି । ରକ୍ତର ସୁରକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ ଓ ଆଧୁନିକ ଚିକିତ୍ସା ପଦ୍ଧତିକୁ ଅଧିକ ସୁଦୃଢ଼ କରିବା ସହ ଭାରତର ରକ୍ତ ସଞ୍ଚାର ସେବାର ଗୁଣବତ୍ତା ବୃଦ୍ଧି କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ।