ବଲାଙ୍ଗିର: ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବତୀଙ୍କୁ ଅସଦାଚରଣ ପରେ ମାଡ଼ ମାରିବା ଅଭିଯୋଗ । ଟିଟିଲାଗଡ଼ସ୍ଥିତ ଆଇ ଲଭ୍ ପାର୍କ ନିକଟରେ ଏଭଳି ଏକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ୩ ଜଣ ନିଶାସକ୍ତ ଯୁବକ ଯୁବତୀମାନଙ୍କୁ ଅସଦାଚରଣ କରିଥିବା ବେଳେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେହି ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଦୁଇଦିନ ତଳେ ଘଟିଥିବା ଏହି ଘଟଣାର ଭିଡିଓ ଆଜି ସାମ୍ନାକୁ ଆସିଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଯୁବତୀଙ୍କୁ ଅସଦାଚରଣ ଏବଂ ପରେ ମାଡ଼ ମାରିବା ଘଟଣା ମହିଳାଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି । ଏହି ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ୩ ଜଣ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ ମଧ୍ୟ ଯୁବତୀମାନେ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଆଜି ସେମାନେ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍ପିଙ୍କ ହସ୍ତକ୍ଷେପ ପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ସୂଚନା ମିଳିଛି ।