ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ବାଦ୍‌ ପଡ଼ିବାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି । କ୍ରିକେଟ ଟିମ୍‌ ସିଲେକ୍ସନ ପ୍ରସଙ୍ଗ ଏବେ ଦେଶର ରାଜନୀତିକୁ ସରଗରମ କରିଛି । ସିରାଜ ମୁସଲିମ ହୋଇଥିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି । ଏହାର କଡ଼ା ଜବାବ ଦେଇଛି ବିଜେପି । କ୍ରିକେଟ ପ୍ରସଙ୍ଗରେ ବି କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ କେବଳ ତାଙ୍କ ନାଁ 'ସିରାଜ' ହୋଇଥିବାରୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ। ଯଦି ଭଲ ପ୍ରଦର୍ଶନ ପରେ ବି ଜଣେ ଖେଳାଳିଙ୍କୁ ସୁଯୋଗ ନ ମିଳେ, ତେବେ ସେଠାରେ ଭେଦଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି । 

ଅନ୍ୟପଟେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛନ୍ତି । ସେ ଲେଖିଛନ୍ତି ଯେ, କଂଗ୍ରେସ ଏବେ କ୍ରିକେଟ୍ ଦଳ ଚୟନ ଭଳି ବିଷୟରେ ମଧ୍ୟ ଭୋଟ୍ ବ୍ୟାଙ୍କ ଏବଂ ସାମ୍ପ୍ରଦାୟିକ ରାଜନୀତି କରୁଛି। ସୋସିଆଲ ମିଡିଆରେ ପ୍ରଦୀପ ଭଣ୍ଡାରୀ ଉଲ୍ଲେଖ କରିଛନ୍ତି , ଯଦି ଧର୍ମ ଆଧାରରେ ଚୟନ ହେଉଥାନ୍ତା ତେବେ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇ ନଥାନ୍ତା। ପ୍ରତ୍ୟେକ କ୍ରିକେଟର କେବଳ ଭାରତ ପାଇଁ ଖେଳନ୍ତି ଏବଂ ଦଳକୁ ଧର୍ମ ନାଁରେ ବିଭାଜିତ କରିବା ବନ୍ଦ ହେବା ଉଚିତ ବୋଲି ସେ ଦାବି କରିଛନ୍ତି ।

ଭାରତୀୟ କ୍ରିକେଟ ଟିମ୍‌ ଚୟନ ପ୍ରସଙ୍ଗକୁ ନେଇ କେବଳ ରାଜନେତା ନୁହେଁ, ବହୁ ପୂର୍ବତନ କ୍ରିକେଟର ମଧ୍ୟ ନିଜର ମତ ଦେଇଛନ୍ତି । ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଥିବା ବେଳେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସିରାଜଙ୍କ ଅଭିଜ୍ଞତା ଏବଂ ପରିଶ୍ରମକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ସାମିଲ କରାଯିବା ଉଚିତ ଥିଲା। ଏହି ମ୍ୟାଚ୍‌ରେ ଭାରତ ଜସପ୍ରୀତ ବୁମରାଙ୍କ ନେତୃତ୍ୱରେ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି ।  ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ ଏବଂ ଅନଶୁଲ କାମ୍ବୋଜଙ୍କୁ ଦଳରେ ସୁଯୋଗ ମିଳିଛି।

ସେପଟେ ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ଶୁଭମନ ଗିଲ୍ ଏହି ଚୟନକୁ ସମ୍ପୂର୍ଣ୍ଣ ଠିକ୍ ବୋଲି ଦର୍ଶାଇଛନ୍ତି। ଗିଲ୍ କହିଛନ୍ତି ଯେ, ଗତ ଏକ ସପ୍ତାହ ଧରି ଦଳର ସଠିକ୍ ସନ୍ତୁଳନ ବିଷୟରେ ବିଚାରବିମର୍ଶ ଚାଲିଥିଲା । କାରଣ ସମସ୍ତ ଦ୍ରୁତ ବୋଲର ଏବେ ଭଲ ଫର୍ମରେ ଅଛନ୍ତି। ସିରାଜ ଏବଂ ଗୁରନୁରଙ୍କ ଭଳି ଖେଳାଳିଙ୍କୁ ବାହାରେ ରଖିବା ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର ଥିଲା । ସେହିପରି ଭାରତୀୟ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ମଧ୍ୟ ସିରାଜଙ୍କ ଦକ୍ଷତା ଉପରେ କୌଣସି ସନ୍ଦେହ ନଥିବା ସ୍ପଷ୍ଟ କରିଛନ୍ତି । ପରିସ୍ଥିତିକୁ ଦେଖି ଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ଏହା କୌଣସି ଭୁଲ ନିଷ୍ପତ୍ତି ନୁହେଁ ବୋଲି  କହିଚନ୍ତି ସୀତାଂଶୁ କୋଟାକ ।