ଦେବଗଡ଼: ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଯୋଗୁଁ ବାଧାପ୍ରାପ୍ତ ହେଉଛି ପାଠପଢ଼ା । ୯ଟି ଶ୍ରେଣୀରେ ମୋଟ ୧୮୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରହିଛନ୍ତି ମାତ୍ର ୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏପରିକି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷକମାନେ ଅନ୍ୟ କାର୍ଯ୍ୟରେ ନିୟୋଜିତ ହେଲେ ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ ସଂଖ୍ୟା ଆହୁରି କମିଯାଉଛି । ଫଳରେ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନ ହୋଇପାରୁନାହିଁ । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଭଳି ଅଭିଯୋଗ ନେଇ ରିଆମାଳ ବ୍ଲକ ମଳେହିପଡ଼ା ଗ୍ରାମବାସୀ ଶୁକ୍ରବାର ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ଅନ୍ତର୍ଗତ ମଳେହିପଡ଼ା ୟୁଜିଏମ୍‌ଇ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଗତ ଅକ୍ଟୋବର ମାସରେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିଲେ । ଅଭିଯୋଗ ଶୁଣିବା ପରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେବାକୁ ଆଶ୍ୱାସନା ମିଳିବାରୁ ପୁଣିଥରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା । ତେବେ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାଏଁ ନୂତନ ଶିକ୍ଷକ ନିଯୁକ୍ତି ହୋଇନାହିଁ ।

ଏହାକୁ ନେଇ ଅସନ୍ତୋଷ ଗ୍ରାମବାସୀ ଦେବଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟିଛନ୍ତି । ଯଥାଶୀଘ୍ର ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ଦିଗରେ ଶୀଘ୍ର ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।