ନୂଆଦିଲ୍ଲୀ: ଭାରତରେ ପୁଣି ବଢିଲା ରୂପା ଦର। ଏହି ଔଦ୍ୟୋଗିକ ଧାତୁ କେଜି ପିଛା ପାଖାପାଖି ୬ ହଜାର ଟଙ୍କା ବୃଦ୍ଧି ହୋଇଛି। ଫଳରେ ଘରୋଇ ବଜାରରେ ରୁପା କେଜି ପିଛା ଦର ୨,୬୫,୦୦୦ ଟଙ୍କାକୁ ପହଞ୍ଚି ଯାଇଛି। ଏହି ଦର ବୃଦ୍ଧି ପ୍ରତି ଗ୍ରାମ ହିସାବରେ ଦେଖିଲେ ୧୦ ଟଙ୍କା ଲେଖାଏଁ ବଢିଛି। କେବଳ ରୂପା ନୁହେଁ ସୁନା ସବୁ କ୍ୟାରେଟ୍ ରେ ମଧ୍ୟ ଦର ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନା ପ୍ରତି୧୦ ଗ୍ରାମ ୨ ହଜାର ଟଙ୍କା ବଢିଥିବା ବେଳେ ୨୨ ଓ ୧୮ କ୍ୟାରେଟ୍ ସୁନା ଦର ମଧ୍ୟ ବଢିଛି। ବ୍ୟବସାୟୀଙ୍କ ଅନୁସାରେ ବଜାରରେ ଏବେ ସୁନାର ବେଶ୍ ଚାହିଦା ରହିଛି।

ବଜାର ବିଶେଷଜ୍ଞଙ୍କ ଅନୁସାରେ ବୈଶ୍ୱିକ ବଜାରରୁ ମିଳୁଥିବା ମଜଭୁତ ସଂକେତ ଯୋଗୁ ଦେଶରେ ମୂଲ୍ୟବାନ ଧାତୁ ଦର ବଢୁଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ସୁନା ଦର ୧%ବୃଦ୍ଧି ହୋଇଛି। ଆମେରିକୀୟ ଡଲାର ଦୁର୍ବଳ ହେବା ଯୋଗୁ ଏଥିରେ ମୂଲ୍ୟାୟନ ହେଉଥିବା ଧାତୁ ଶସ୍ତା ହୋଇ ଯାଇଛି। ଏଣୁ ବିଦେଶୀ ଓ ଘରୋଇ ଉଭୟ କ୍ରେତାଙ୍କୁ ସୁନା କ୍ରୟ ନିମନ୍ତେ ବେଶ୍ ପ୍ରୋତ୍ସାହନ ମିଳିଛି। ଏଥିରେ ତୈଳ ମୂଲ୍ୟ ହ୍ରାସ ମଧ୍ୟ ଏକ କାରକ ପାଲଟିଛି। ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ଓ ଦୀର୍ଘକାଳୀନ ଉଚ୍ଚ ସୁଧହାରକୁ ନେଇ ଉପୁଜିଥିବା ଚିନ୍ତା ଦୂର ହୋଇଛି।

ମୁଦ୍ରାସ୍ଫୀତି ଭୟ କମିବା ଯୋଗୁ ବ୍ୟବସାୟୀଙ୍କ ମଧ୍ୟରେ ସୁନା ଓ ରୁପା ଉପରେ ବିଶ୍ୱାସ ବଢିଛି। ଏହା ଛଡା ଭୂ-ରାଜନୈତିକ ଘଟଣାକ୍ରମ ସୁନା ମୂଲ୍ୟକୁ ମଜଭୁତ କରିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଆଶଙ୍କା କରି ଆମେରିକୀୟ ଅଧିକାରୀଙ୍କ ଟିପ୍ପଣୀ ବିପଦ ଆଶଙ୍କାକୁ ସକରାତ୍ମକ କରିବାରେ ସହାୟତା କରିଛି। ସୁନାକୁ ପ୍ରାୟ ସୁରକ୍ଷିତ ନିବେଶ ମନେ କରିଥାନ୍ତି। ଏଥିରେ ଶାନ୍ତିର ସାମାନ୍ୟ ସଂକେତ ଏହାର ଆବେଦନକୁ ବଢାଇ ଦିଏ। ବୈଶ୍ୱିକ ବଜାରରେ ହୋଇଥିବା ଦର ବୃଦ୍ଧି ରୁପାକୁ ମଧ୍ୟ ବେଶ୍ ସାହାରା ଦେଇଛି। କେବଳ ରୂପା ନୁହେଁ ବୈଶ୍ୱିକ ବଜାରରେ ପ୍ଲାଟିନମ ଓ ପାଲାଡିୟମ ଭଳି ଅନ୍ୟ ମୂଲ୍ୟବାନ ଧାତୁ ମୂଲ୍ୟ ମଧ୍ୟ ବଢିଛି।