ଚେନ୍ନାଇ,୨୦|୦୬:ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ଖେଳାଯିବ ତୃତୀୟ ଦିନିକିଆ। ପ୍ରଥମ ୨ଟି ମ୍ୟାଚ ଜିତି ସିରିଜ କବଜା କରି ସାରିଥିବା ଭାରତ ଆଉ ଏକ ବିଜୟ ସହ ମୂଳପୋଛ ପାଇଁ ପ୍ରୟାସ କରିବ। ଆଫଗାନିସ୍ତାନ ବିଜୟ ସହ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ।

ଏହି ମ୍ୟାଚରେ ଭେଟେରାନ ରୋହିତ ଶର୍ମାଙ୍କୁ ଫର୍ମ ଫେରି ପାଇବା ପାଇଁ ଆଉ ଏକ ସୁଯୋଗ ଦେବା ସହ ବ୍ୟାଟିଂ କ୍ରମରେ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯିବ। ପ୍ରଥମ ମ୍ୟାଚରେ ଶୁଭମନ ଗିଲ ଓ ଦ୍ଵିତୀୟ ମ୍ୟାଚରେ ଯଶସ୍ବୀ ଜୈସ୍ବାଲ ଓପନ କରିଥିଲେ। ଶନିବାର ଓପନିଂ ବିଭାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଇଶାନ କିଷନ ଓ ଗିଲଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହୋଇପାରେ। ବୋଲିଂ ବିଭାଗରେ ମଧ୍ୟ ପରୀକ୍ଷା ଚାଲିଛି । ନବାଗତ ଗୁରନ୍ଧର ବ୍ରାର ଘାତକ ବୋଲିଂ କରି ସମାଲୋଚକଙ୍କୁ ଚୁପ୍ କରିଛନ୍ତି । ତେବେ ଆଜି ହର୍ଷିତ ରାଣା ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି। ତାଙ୍କୁ କେବଳ ଗୋଟିଏ ମ୍ୟାଚ ପାଇଁ ଦଳରେ ସ୍ଥାନ ମିଳିଛି।

ଆଫଗାନିସ୍ତାନ ବୋଲିଂ ବିଭାଗକୁ ନେଇ ବିଶେଷ ଆଲୋଚନା କରିବାର ଆବଶ୍ୟକତା ନାହିଁ । କିନ୍ତୁ ବ୍ୟାଟିଂ ବିଭାଗକୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଦଳରେ ବହୁ ପ୍ରତିଭାବାନ ବ୍ୟାଟର ରହିଛନ୍ତି। ଇବ୍ରାହିମ ଜାଡ୍ରାନ, ରହମନୁଲ୍ଲା ଗୁରବାଜ୍ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ଦଳ କଡ଼ା ଚ୍ୟାଲେଞ୍ଜ ଦେଇ ପାରିବ।

ଏହି ମ୍ୟାଚ ପାଇଁ ଚିପକ ଷ୍ଟାଡ଼ିୟମର କ୍ୟୁରେଟର ଏକ ନାଲି ମାଟି ପିଚ୍ ପ୍ରସ୍ତୁତ କରିଛନ୍ତି। ଏହି ପିଚରେ ପେସ୍ ବୋଲରମାନେ ଅତିରିକ୍ତ ବାଉନ୍ସ ପାଇବେ। ମାତ୍ର ବଲ ପୁରୁଣା ହେଲେ ଦ୍ରୁତ ରନ ସଂଗ୍ରହ ହୋଇପାରିବ। ମ୍ୟାଚଟି ଦିବା ରାତ୍ର ହୋଇଥିବାରୁ ଦ୍ଵିତୀୟ ଭାଗରେ ବ୍ୟାଟିଂ ସହଜ ହେବ। ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।