ନୂଆଦିଲ୍ଲୀ:  ଏକ ୧୫୦୦ କିଲୋଗ୍ରାମ ଓଜନର ଟେଲିସ୍କୋପ୍‌ ମହାକାଶରୁ ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ଖସିଆସୁଛି । ନଭେମ୍ବର ୪ ଭାରତୀୟ ସମୟ ଦ୍ବିପ୍ରହର ୨ଟାରେ ଏହା ବାୟୁମଣ୍ଡଳରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଧୀରେ ଧୀରେ ପୃଥିବୀପୃଷ୍ଠକୁ ଖସିବ । ଏଥିପାଇଁ ପ୍ରାୟ ୧୧ ଘଣ୍ଟା ସମୟ ଲାଗିପାରେ । ପୃଥିବୀର ବାୟୁମଣ୍ଡରେ ଘର୍ଷଣ ଫଳରେ ଟେଲିସ୍କୋପ୍‌ ଅଧିକାଂଶ ଭାଗ ଜଳିପୋଡ଼ି ପାଉଁଶ ହେବ । କିନ୍ତୁ ଏହାର ମଜଭୁତ ଅଂଶ ପୃଥିବୀ ପୃଷ୍ଠରେ ପଡ଼ିବ । ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା'ର 'ନୀଲ ଗେହରେଲ୍ସ ସ୍ୱିଫ୍ଟ ଅବଜରଭେଟୋରୀ' ପୃଥିବୀ ଆଡ଼କୁ ଖସିଆସୁଥିବା ଜଣାପଡ଼ିଛି । 

ପ୍ରାୟ ୨୨ ବର୍ଷ ପୂର୍ବେ, ୨୦୦୪ ମସିହା ନଭେମ୍ବର ୨୦ ତାରିଖରେ ଏହି ଟେଲିସ୍କୋପକୁ ମହାକାଶକୁ ପ୍ରେରଣ କରାଯାଇଥିଲା, । ଏହା ପ୍ରଥମେ 'ସ୍ୱିଫ୍ଟ ଗାମା-ରେ ବର୍ଷ୍ଟ ଏକ୍ସପ୍ଲୋରର' ଭାବରେ ଜଣାଶୁଣା ଥିଲା। ନାସାର ସୂଚନା ଅନୁଯାୟୀ, ନଭେମ୍ବର ୪ ତାରିଖ ଅପରାହ୍ନ ପ୍ରାୟ ୨ଟା (ଭାରତୀୟ ସମୟ) ସମୟରେ ଏହା ବାୟୁମଣ୍ଡଳରେ ପ୍ରବେଶ କରିବାର ସମ୍ଭାବନା ରହିଛି। 

ନାସାର ଏହି ମିଶନର ମୁଖ୍ୟ ବୈଜ୍ଞାନିକ ବ୍ରାଡ୍ ସେଙ୍କୋ  ସୂଚନା ଦେଇ କହିଛନ୍ତି ଯେ, ଆଫ୍ରିକା, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ-ପୂର୍ବ ଏସିଆ, ମଧ୍ୟ ଏବଂ ଦକ୍ଷିଣ ଆମେରିକାର କିଛି ଅଞ୍ଚଳ ଏହି ଟେଲିସ୍କୋପର ସମ୍ଭାବ୍ୟ ପୁନଃ-ପ୍ରବେଶ ଜୋନ୍ ମଧ୍ୟରେ ଆସୁଛି। ନାସାର ଆକଳନ ଅନୁଯାୟୀ, ଏହି ସମ୍ଭାବ୍ୟ ବିପଦ ଜୋନ୍ ୨୦.୬ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରୁ ୨୦.୬ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ୟରେ ଅବସ୍ଥିତ । ଯାହା ମାନଚିତ୍ରରେ ପୃଥିବୀର ମଧ୍ୟଭାଗରେ ଏକ ଓସାରିଆ ପଟ୍ଟି ସୃଷ୍ଟି କରୁଛି।

ଏହି ପଟ୍ଟିଟି ପଶ୍ଚିମ ଉପକୂଳର ଦମନରୁ ଆରମ୍ଭ ହୋଇ ଓଡ଼ିଶାର କଟକ ପର୍ଯ୍ୟନ୍ତ ବିସ୍ତୃତ କାଳ୍ପନିକ ରେଖାର ଦକ୍ଷିଣରେ ଥିବା ଅଞ୍ଚଳଗୁଡ଼ିକୁ ଆଚ୍ଛାଦିତ କରୁଛି। ଏହି କାରଣରୁ ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ବଡ଼ ସହରଗୁଡ଼ିକ ଏହି ଜୋନ୍‌ ଭିତରେ ଆସୁଛନ୍ତି । ଯେଉଁଠାରେ ଦିଲ୍ଲୀ, କୋଲକାତା ଏବଂ ଉତ୍ତର ଭାରତର ଅଧିକାଂଶ ଭାଗ ଏଥିରୁ ବାହାରେ ରହିଛନ୍ତି। ତେବେ ଏହି ଅକ୍ଷାଂଶ ଜୋନ୍ ମଧ୍ୟରେ ରହିବାର ଅର୍ଥ ନୁହେଁ ଯେ ଧ୍ବଂସାବଶେଷ ସିଧାସଳଖ ଏହି ସହରଗୁଡ଼ିକ ଉପରେ ହିଁ ଖସିବ। ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ଟେଲିସ୍କୋପ୍‌ଟି କେଉଁ ସ୍ଥିତିରେ ଅଛି, ତାହା ଉପରେ ହିଁ ସବୁକିଛି ନିର୍ଭର କରିବ ।

ପୃଥିବୀ ଆଡ଼କୁ ଆସୁଥିବା ମହାକାଶ ବସ୍ତୁଗୁଡ଼ିକ ଉପରେ ନଜର ରଖିବା ପାଇଁ ଭାରତ ନିକଟରେ ନିଜସ୍ବ ବ୍ୟବସ୍ଥା ରହିଛି। ଶ୍ରୀହରିକୋଟାଠାରେ ଅବସ୍ଥିତ ଇସ୍ରୋ ର 'ମଲ୍ଟି-ଅବଜେକ୍ଟ ଟ୍ରାକିଂ ରାଡାର' ବାୟୁମଣ୍ଡଳରେ ପ୍ରବେଶ କରିବା ପୂର୍ବରୁ ସାଟେଲାଇଟ୍ ଏବଂ ରକେଟ୍‌ର କକ୍ଷପଥକୁ ଟ୍ରାକ୍ କରିଥାଏ। ତେବେ ଇସ୍ରୋ ଏହି ନିର୍ଦ୍ଦିଷ୍ଟ ଟେଲିସ୍କୋପକୁ ଟ୍ରାକ୍ କରୁଛି କି ନାହିଁ, ସେ ନେଇ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ, ଏହି ଟେଲିସ୍କୋପ୍‌ର ବଳକା ଅଂଶଗୁଡ଼ିକ ସମୁଦ୍ରରେ ପଡ଼ିବାର ଅଧିକ ସମ୍ଭାବନା ଅଛି ବୋଲି ବହୁ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି କହିଛନ୍ତି ।