ନୂଆଦିଲ୍ଲୀ, ୦୪/୧୧ : ରେଳ ଧାରଣା ଉଡାଇବାକୁ ବଡ ପ୍ଲାନ୍ । ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ଟ୍ରେନକୁ ବିସ୍ଫୋରଣରେ ଉଡାଇଦେବା ଉଦ୍ୟମ ପଣ୍ଡ ହୋଇଛି । ଅନୁପଗଡରୁ ବଠିଁଣ୍ଡା ଯାଉଥିବା ଟ୍ରେନକୁ ଟାର୍ଗେଟ୍ କରିବା ପାଇଁ ପ୍ରୟାସ କରାଯାଇଥିଲା । ତେବେ ଅନୁପଗଡ-ସୁରତଗଡ ଲାଇନର ଟ୍ରାକରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଆତଙ୍କ ଖେଳିଯାଇଛି । ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି ।

ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଟ୍ରାକର ତଳେ ଲାଗିଥିବା ସିମେଣ୍ଟର ଦୁଇଟି ସ୍ଲିପର୍ ପିଲର କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଏବଂ ଜୋରଦାର ଥିଲା ଯେ ପିଲର ତଳେ ଲାଗିଥିବା ଆଉ କିଛି ଲୁହା ବି ବାହାରକୁ ଆସିଯାଇଥିଲା । ଏପରିକି ରେଳ ଲାଇନର କ୍ଲିପର ମଧ୍ୟ ଟ୍ରାକରୁ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି ।

Also Read :- 'ପ୍ରଳୟ'ର ସଫଳ ପରୀକ୍ଷଣ, ଏକାଥରେ ଶତ୍ରୁର ବିଭିନ୍ନ ଠିକଣାକୁ କରିପାରିବ ଟାର୍ଗେଟ୍

କୁହାଯାଉଛି ଯେ, ଅନୁପଗଡରୁ ସୁରତଗଡ ଯାଉଥିବା ଏକ ଲାଇନରେ ଟ୍ରେନ୍ ଯିବା ପରେ ବିସ୍ଫୋରଣ ହୋଇଛି । ଏହି ଟ୍ରାକ୍ ଦେଇ ବଠିଣ୍ଡା ଯାଉଥିବା ଟ୍ରେନ୍ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଥିଲା । ସେମାନେ ଏହାକୁ ଉଡାଇବା ପାଇଁ ବୋମା ଖଞ୍ଜିଥିଲେ । ଘଟଣା ପରେ ତୁରନ୍ତ ସ୍ଥାନୀୟ ଏସପି ହରି ଶଙ୍କର ଘଟଣାସ୍ଥଳରେ ପହଁଚିଛନ୍ତି । ଏଟିଏସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏଟିଏସ ଏବଂ ଏଫଏସଏଲ ଟିମ୍ ଘଟଣାସ୍ଥଳକୁ ଘେରାବନ୍ଦୀ କରି ରଖିଛନ୍ତି । ସମସ୍ତ ସୁରାକ ଏବଂ ପ୍ରମାଣ ଏକାଠି କରୁଛନ୍ତି । ଏପରିକି ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ସେଠାରେ ଉପସ୍ଥିତ ଥିବା ଏସପି କହିଛନ୍ତି ।