ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି । ୨୦୨୬ ଶେଷ ସୁଦ୍ଧା ଇସ୍ରାଏଲକୁ ଆମେରିକା ଆଉ ସାମରିକ ସହାୟତା ଦେବନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଇସ୍ରାଏଲ ଏକ ସମୃଦ୍ଧଶାଳୀ ଦେଶ ହୋଇଥିବାରୁ ଏବେ ଆଉ ଆର୍ଥିକ ସହାୟତାର ଆବଶ୍ୟକତା ନାହିଁ । ଇସ୍ରାଏଲ ନିଜେ ହିଁ ଅସ୍ତ୍ରଶସ୍ତ୍ର କିଣିବାକୁ ସକ୍ଷମ।

ମଙ୍ଗଳବାର ସକାଳେ 'ଫକ୍ସ ଆଣ୍ଡ ଫ୍ରେଣ୍ଡସ' କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ‘ଆମେ ସେମାନଙ୍କୁ ବାର୍ଷିକ ୪ ବିଲିୟନ ଡଲାର ଦେଉଥିଲୁ, କିନ୍ତୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ତେବେ ଭବିଷ୍ୟତରେ ଯଦି କେବେ ଇସ୍ରାଏଲକୁ ସାହାଯ୍ୟର ଆବଶ୍ୟକତା ପଡ଼େ, ତେବେ ଆମେ ନିଶ୍ଚୟ ସାହାଯ୍ୟ କରିବୁ।’ 

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଏହି ସହାୟତା ବନ୍ଦ କରିବା ନେଇ ସେ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦୀର୍ଘ ଦିନ ଧରି ଆଲୋଚନା କରିଆସୁଥିଲେ  । ନେତାନ୍ୟାହୁ ନିଜେ ହିଁ ଏହି ପ୍ରସ୍ତାବ ଦେଇଥିଲେ। ସେମାନଙ୍କୁ ଆଉ ଏହି ସହାୟତାର ଆବଶ୍ୟକତା ନାହିଁ, ଇସ୍ରାଏଲ ଏକ ଅତ୍ୟନ୍ତ ଉନ୍ନତ ଓ ଶକ୍ତିଶାଳୀ ଦେଶ। କେତେକ ଡେମୋକ୍ରାଟ୍ ଏବଂ ବାମପନ୍ଥୀ ରାଜନେତାମାନେ ଏହି ଆର୍ଥିକ ସହାୟତାକୁ ନେଇ ରିପବ୍ଲିକାନମାନଙ୍କୁ ସମାଲୋଚନା କରିବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ।

ଆମେରିକା-ଇସ୍ରାଏଲ ସୁରକ୍ଷା ସହାୟତା ଚୁକ୍ତି ଅନୁଯାୟୀ, ଆମେରିକା ୨୦୨୮ ପର୍ଯ୍ୟନ୍ତ ବାର୍ଷିକ ପ୍ରାୟ ୩.୮ ବିଲିୟନ ଡଲାରର ସହାୟତା ଦେବାର ବ୍ୟବସ୍ଥା ରହିଛି। ନେତାନ୍ୟାହୁ ମଧ୍ୟ ପୂର୍ବରୁ କହିଥିଲେ ଯେ, ସେ ଆମେରିକୀୟ ସାମରିକ ସହାୟତା ଉପରେ ଇସ୍ରାଏଲର ନିର୍ଭରଶୀଳତାକୁ ଧୀରେ ଧୀରେ ହ୍ରାସ କରିବାକୁ ଚାହୁଁଛନ୍ତି । 

ସୂଚନାଯୋଗ୍ୟ, ଇସ୍ରାଏଲ ପ୍ରତିଷ୍ଠା ହେବା ଦିନଠାରୁ ଆମେରିକାରୁ ସବୁଠାରୁ ଅଧିକ ଆର୍ଥିକ ଓ ସାମରିକ ସହାୟତା ପାଇଛି । ଅକ୍ଟୋବର ୭, ୨୦୨୩ରେ ହୋଇଥିବା ଆକ୍ରମଣ ଏବଂ ତାପରେ ଗାଜା, ଇରାନ-ଆମେରିକା-ଇସ୍ରାଏଲ ସଂଘର୍ଷ ପରଠାରୁ ପ୍ରଥମ ଦୁଇ ବର୍ଷ ମଧ୍ୟରେ ହିଁ ଇସ୍ରାଏଲକୁ ପ୍ରାୟ ୨୧.୭ ବିଲିୟନ ଡଲାରର ସାମରିକ ସହାୟତା ପ୍ରଦାନ କରିଛି ଆମେରିକା । ଏବେ ଆମେରିକା ଏହି ସାମରିକ ସହାୟତା ଦେବନାହିଁ, ଇସ୍ରାଏଲ ନିଜେ ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ସକ୍ଷମ ବୋଲି କହିଛନ୍ତି ଟ୍ରମ୍ପ ।