ନୂଆଦିଲ୍ଲୀ, ୦୪/୧୧ : ନୂଆଦିଲ୍ଲୀର ରାମଲୀଳା ମଇଦାନରେ ନଭେମ୍ବର ୧ ତାରିଖରେ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ବିରୋଧୀ ରାଲି ପରେ ଇଣ୍ଡି ମେଣ୍ଟ ବେଙ୍ଗାଲୁରୁରେ ରାଲି କରିବାକୁ ଘୋଷଣା କରିଛି । ଆସନ୍ତା ୫ ତାରିଖ ଗୁରୁବାରରେ ବେଙ୍ଗାଲୁରୁର ଫ୍ରିଡମ ପାର୍କରେ ଏହି ରାଲି କରାଯିବ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)ରେ ହୋଇଥିବା ଅନିୟମିତତା ତଥା ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। କର୍ଣ୍ଣାଟକ ପିସିସି ସଭାପତି ବି.କେ ହରିପ୍ରସାଦ ଏହି ସୂଚନା ଦେଇଛନ୍ତି।

Also Read :- ରେଳ ଲାଇନରେ ବିସ୍ଫୋରଣ : ଟ୍ରେନ୍ ଉଡ଼ାଇବାକୁ ହୋଇଥିଲା ପ୍ଲାନ୍, ଟଳିଲା ବଡ଼ ଅଘଟଣ

ବେଙ୍ଗାଲୁରୁ ଠାରେ ଗଣମାଧ୍ୟମକୁ ହରିପ୍ରସାଦ କହିଛନ୍ତି ଯେ ଏସଆଇଆର ଓ ସିଇସି ବିରୋଧରେ ଇଣ୍ଡି ମେଣ୍ଟ ପକ୍ଷରୁ ବର୍ତ୍ତମାନ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନର ଏକ ଅଂଶବିଶେଷ ସ୍ବରୂପ ଫ୍ରିଡମ ପାର୍କରେ ଏହି ରାଲି ଆୟୋଜନ କରାଯାଇଛି । ବେଙ୍ଗାଲୁରୁରେ ରାଜ୍ୟସ୍ତରୀୟ ଆନ୍ଦୋଳନ ପରେ ସବୁ ଜିଲ୍ଲାରେ ଓ ବ୍ଳକରେ ଏହି ଆନ୍ଦୋଳନ ହେବ। ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ସେହିଭଳି ସିପିଏମ୍ ରାଜ୍ୟ ସମ୍ପାଦକ କେ. ପ୍ରକାଶ କହିଛନ୍ତି ଆମର ମୁଖ୍ୟ ଦାବି ହେଉଛି ଏସଆଇଆରକୁ ରଦ୍ଦ କରାଯାଉ, ଜ୍ଞାନେଶ କୁମାରଙ୍କୁ ହଟାଯାଉ ଏବଂ ନିର୍ବାଚନ କମିଶନରନିଯୁକ୍ତିରେ ନିରପେକ୍ଷତା ଅବଲମ୍ବନ କରାଯାଉ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ କମିଶନର ନିଯୁକ୍ତି ହେବା ଉଚିତ।

ଏସଆଇଆର ରଦ୍ଦ ସହ ସିଇସିଙ୍କ ଇସ୍ତଫା ଦାବିରେ ଗତ ରବିବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡି ମେଣ୍ଟ ପକ୍ଷରୁ ପଦଯାତ୍ରା ଓ ବିଶାଳ ରାଲି କରାଯାଇଥିଲା। ଏଥିରେ କଂଗ୍ରେସ ଅଧ୍ଯକ୍ଷ ମଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଏମସି ନେତ୍ରୀ ମମତା ବାନାର୍ଜୀ, ଦଳୀୟ ସାଂସଦ ଅଭିଷେକ ବାନାର୍ଜୀ, ସିପିଏମ୍ ନେତା ଏମ୍.ଏ ବେବି, ସିପିଆଇ ନେତା ଡି. ରାଜା, ସିପିଆଇ (ଏଏଲ)ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ନ୍ୟାସନାଲ କନଫରେନ୍ସର ଫାରୁକ ଅବଦୁଲ୍ଲା, ଆରଜେଡିର ତେଜସ୍ବୀ ଯାଦବ ଓ ପିଡିପିର ମେହବୁବା ମୁଫତିଙ୍କ ସମେତ ବହୁ ନେତା ଯୋଗଦେଇଥିଲେ। ଏହା ପୂର୍ବରୁ ଶନିବାର ଖଡଗେଙ୍କ ବାସଭବନରେ ସିଇସିଙ୍କ ବିରୋଧରେ ପ୍ରତିକାତ୍ମକ ଜନ ମହାଭିଯୋଗ କରାଯାଇଥିଲା ।