ଭୁବନେଶ୍ବର ୧୪।୧୧: ଆସୁଛି ଭୀଷଣ ବାତ୍ୟା ! ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଶକ୍ତିଶାଳୀ ହେବାରେ ଲାଗିଛି । ଏହା ୧୬ ତାରିଖରେ ସମୁଦ୍ରରେ ବାତ୍ୟାର ରୂପ ନେବ । ୧୮ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରିଛି ଆଇଏମ୍‌ଡି । ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ଆସନ୍ତା ୧୮ ତାରିଖରେ ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଭୀଷଣ ବାତ୍ୟାର ରୂପ ନେବା ପରେ ପବନର ବେଗ ୮୫ରୁ ୯୫ କି.ମି. ରହିବ । ଝଟ୍‌କା ପବନର ବେଗ ୧୦୫ କି.ମି. ପର୍ଯ୍ୟନ୍ତ ଯିବା ନେଇ ଆକଳନ କରିଛି ଆଇଏମ୍‌ଡି । ତେବେ ଏହାର ପ୍ରଭାବ କେଉଁ ରାଜ୍ୟ ପ୍ରତି କ’ଣ ରହିବ ତାହା ବର୍ତ୍ତମାନ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ । ସମୁଦ୍ରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି ହୋଇଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ୧୭ ଓ ୧୮ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମାନ ସ୍ଥାନରେ ଅବପାତର ରୂପ ନେବ ଏବଂ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅବପାତ ବେଳକୁ ଏହାର ଦିଗ ଉତ୍ତର ଉତ୍ତର ପଶ୍ଚିମ ଆଡ଼କୁ ରହିବ । ତେଣୁ ବାତ୍ୟା କେଉଁ ସ୍ଥାନରେ ଅତିକ୍ରମ କରିବ ଏହି ଚିତ୍ର ସ୍ପଷ୍ଟ ହୋଇନାହିଁ । ୨୪ ଘଣ୍ଟା ପରେ ଏହା ସ୍ପଷ୍ଟ ହେବ । ତେବେ ବାତ୍ୟା ଯେଉଁ ଆଡ଼କୁ ରହିଲେ ମଧ୍ୟ ଅଧିକ ଘନୀଭୂତ ହେବ ନାହିଁ । ୧୮ ରାତି ବା ୧୯ ତାରିଖ ବେଳକୁ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଥିବା କହିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । ତେବେ ୧୯୯୫ ପର ଠାରୁ ରାଜ୍ୟରେ ନଭେମ୍ବର ମାସରେ ବାତ୍ୟା ଆସିନଥିବା ରେକର୍ଡ ରହିଛି । ୧୨୫ ବର୍ଷରେ ୪ ଥର ନଭେମ୍ବର ମାସରେ ହୋଇଥିବା ବାତ୍ୟା ଓଡ଼ିଶାକୁ ଆସିଥିବା ବିଶେଷଜ୍ଞଙ୍କ ମତ ରହିଛି । ଏହି ବାତ୍ୟାର ପ୍ରଭାବ ପବନ ଉପରେ ବିଶେଷ ନଥିଲେ ମଧ୍ୟ ବର୍ଷା ହେବ ବୋଲି କହିଛନ୍ତି ଶରତ ଚନ୍ଦ୍ର ସାହୁ ।

Also Read:- ଆସୁଛି 'ଅକଭାନ୍' : ଗୋପାଳପୁର-ବିଶାଖାପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ ! ଚିନ୍ତାରେ ଚାଷୀ

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପୁଣି ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଏହି ଜିଲ୍ଲା ସହ ଅନ୍ୟ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟ ଘଡ଼ ଘଡି ସହ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ୧୯ ଓ ୨୦ ତାରିଖରେ ଅରେଞ୍ଜ ଓ୍ବାର୍ଣ୍ଣି ରହିଛି । ପୁରୀ, ଗଞ୍ଜାମ, ଗଜପତିରେ ୧୯ ତାରିଖରେ ଅତି ପ୍ରବଳ ବର୍ଷା ରହିଥିବାରୁ ଅରେଞ୍ଜ ଆଲର୍ଟ ରହିଛି । ୨୦ରେ ୮ଟି ଜିଲ୍ଲା ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଜଗତସିଂହପୁର, ଓ ଖୋର୍ଦ୍ଧାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ରହିଛି ।

Watch Video: