ସାଲେପୁର ୫।୧୧: ବଡ଼ବଡ଼ୁଆ ହୋ... ଅନ୍ଧାରରେ ଆସ… ଆଲୁଅରେ ଯାଅ… ବାଇଶି ପାହାଚେ ଗଡ଼ଗଡ଼ଉ ଥାଅ… ଆଲୋକର ପର୍ବ ଦୀପାବଳି ଆସିଲେ ପ୍ରାୟ ସମସ୍ତଙ୍କର ମନେପଡିଯାଏ ଏହି ଡାକ । ଦୀପାବଳି ଅମାବାସ୍ୟା ସନ୍ଧ୍ୟାରେ ଘରେ ଘରେ ଲୋକେ କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ସ୍ମରଣ କରିଥାନ୍ତି ବୋଲି ରହିଛି ବିଶ୍ବାସ । ଏହି ଦିନ ପ୍ରତି ଓଡ଼ିଆଙ୍କ ହାତରେ ଥାଏ କାଉଁରିଆ କାଠି ଆଉ ମନରେ ଥାଏ ପରମ୍ପରାକୁ ବଞ୍ଚାଇ ରଖିବାର ଉତ୍ସାହ । ଆଉ ଦିନ କେଇଟା ପରେ ଦୀପାବଳି । କିନ୍ତୁ ଚଳିତ ବର୍ଷ କାଉଁରିଆ କାଠି ମିଳିବା ହୋଇଛି କଷ୍ଟକର । କାରଣ, ଯେଉଁ ଚାଷ ଦିନେ ଚାଷୀ ମୁହଁରେ ହସ ଫୁଟାଉଥିଲା, ଆଜି ହଜିବାକୁ ବସିଲାଣି ।

ଦୀପାବଳିରେ କାଉଁରିଆ କାଠିର ଚାହିଦା ଯେତିକି, ବଜାରରେ ମିଳୁନି ସେତିକି । କଟକ ଜିଲ୍ଲା ସାଲେପୁରରେ ଗୋଟିଏ ବିଡ଼ା କାଉଁରିଆ କାଠି ଦାମ୍ ୧୦୦ ଟଙ୍କା । ଆଉ ୫ଟି କାଠି ବିକ୍ରି ହେଉଛି ୧୦ ଟଙ୍କାରେ । ଦିନେ ଚାଷୀଙ୍କ ପାଇଁ ଲଳିତା ଥିଲା ଏକ ଲାଭଜନକ ଫସଲ । ଝୋଟ ଓ କାଉଁରିଆ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ ଚାଷୀ । ହେଲେ ଆଜି ନଳିତା ଚାଷ କମିବା ସହ କମିଛି କାଉଁରିଆ କାଠିର ଉତ୍ପାଦନ । କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ତିର୍ତ୍ତୋଲ ଅଞ୍ଚଳରୁ ବ୍ୟବସାୟୀ ମାନେ କାଉଁରିଆ କାଠି ଆଣି ସାଲେପୁରରେ ବିକୁଛନ୍ତି । ଫଳରେ ବଜାରରେ ଏହାର ଦାମ୍ ବଢ଼ିଛି । ପରମ୍ପରା ପାଳନ କରିବାକୁ ଗ୍ରାହକଙ୍କୁ ଗଣିବାକୁ ପଡ଼ୁଛି ଅଧିକ ଟଙ୍କା ।

ଆମ ପରମ୍ପରା ସହ ଜଡ଼ିତ ନଳିତା ଚାଷ । ଯଦି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ, ବଜାର ଓ ସହାୟତା ମିଳନ୍ତା, ତେବେ ହୁଏତ ଏହି ଚାଷ ପୁଣି ଫେରିପାରନ୍ତା । ଆଉ ସ୍ଥାନୀୟ ଅଞ୍ଚଳରେ କାଉଁରିଆ କାଠିର ଅଭାବ ମଧ୍ୟ ଦୂର ହୋଇପାରିବ।