ନୂଆଦିଲ୍ଲୀ: ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଥରେ ଦମଦାର ପ୍ରଦର୍ଶନ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଂପ୍ରତି ୨୦୨୬-୨୭ ସିଜିନରେ ପଶ୍ଚିମବଙ୍ଗ ପକ୍ଷରୁ ରଣଜୀ ଖେଳୁଛନ୍ତି ଶାମି। ଚଳିତ ସିଜିନରେ ମହାରାଷ୍ଟ୍ର ବିପକ୍ଷରେ ତୃତୀୟ ମ୍ୟାଚରେ ଚମତ୍କାର ବୋଲିଂ କରିଛନ୍ତି ଏହି ତାରକା ଦ୍ରୁତ ବୋଲର। ଏହିପରି ଭାବେ ଶାମି ଲଗାତାର ଘରୋଇ କ୍ରିକେଟରେ ବୋଲିଂରେ ନିଜର ଜଲଓ୍ଵା ଦେଖାଇ ଆସୁଛନ୍ତି। ଏହା ପୂର୍ବରୁ କେରଳ ଓ ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଧ୍ୟ ଶାମି କମାଲ୍ ପ୍ରଦର୍ଶନ କରିଥିଲେ।

ମାହରାଷ୍ଟ୍ର ବିପକ୍ଷ ପ୍ରଥମ ଇନିଂସରେ ଶାମି ୨୩.୫ ଓଭର ବୋଲିଂ କରିଛନ୍ତି। ୮ ଓଭର ମେଡେନ ପକାଇବା ସହ ୪ ଓ୍ଵିକେଟ୍ ନେଇଛନ୍ତି। ଏହି ସମୟରେ ଏହି ଭାରତୀୟ ବୋଲରଙ୍କ ଇକୋନୋମି ମାତ୍ର ୧.୬୦ ରହିଛି। ଏହି ଇନିଂସରେ ସେ ବଙ୍ଗାଲ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ରହିଛନ୍ତି। ତେବେ ଦ୍ଵିତୀୟ ଇନିଂସରେ ତାଙ୍କୁ କୌଣସି ସଫଳତା ମିଳିନି।

Also Read: ଦରକାର ଆଉ ମାତ୍ର ୧ ରନ୍, ନୂଆ ଇତିହାସ ଲେଖିବେ ବିରାଟ : ଭାଙ୍ଗିବେ ବଡ଼ ରେକର୍ଡ

ମ୍ୟାଚ୍ ଜିତି ପାରିଲାନି ବଙ୍ଗାଲ

ମ୍ୟାଚରେ ପଶ୍ଚିମବଙ୍ଗକୁ ୧୦ ଓ୍ଵିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମେ ବ୍ୟାଟିଂ କରି ପଶ୍ଚିମବଙ୍ଗ ମାତ୍ର ୧୪୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ମହାରାଷ୍ଟ୍ର ପ୍ରଥମ ଇନିଂସରେ ୨୧୮ ରନ କରି ୭୫ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟ ଇନିଂସରେ ବି ବଙ୍ଗାଲର ବ୍ୟାଟର ନିରାଶ କରିଥିଲେ ଏବଂ ଦଳ ୧୮୬ ରନରେ ଅଲଆଉଟ୍ ହୋଇଥିଲା। ମହାରାଷ୍ଟ୍ରକୁ ମିଳିଥିଲା ମାତ୍ର ୧୧୨ ରନର ବିଜୟ ଲକ୍ଷ୍ୟ। ଚତୁର୍ଥ ଇନିଂସରେ ମହାରାଷ୍ଟ୍ର ପାଇଁ ଓପନିଂ କରିଥିବା ଅଧିନାୟକ ପୃଥ୍ଵୀ ଶୋ ୫୩ ରନ ଓ ସଚିନ ଦାସ ୬୧ ରନର ଅପରାଜିତ ଇନିଂସ ଖେଳି ଦଳକୁ ୧୦ ଓ୍ଵିକେଟରେ ମ୍ୟାଚ୍ ଜିତାଇଛନ୍ତି।

ଗତ ଦୁଇଟି ମ୍ୟାଚରେ ବି କମାଲ କରିଛନ୍ତି ଶାମି

ପଶ୍ଚିମବଙ୍ଗ ଗତ ମ୍ୟାଚ୍ କେରଳ ବିପକ୍ଷରେ ଖେଳିଥିଲା। ଉକ୍ତ ମ୍ୟାଚର ପ୍ରଥମ ଇନିଂସରେ ଶାମି ୩ ଏବଂ ଦ୍ଵିତୀୟ ଇନିଂସରେ ୨ଟି ଓ୍ଵିକେଟ୍ ନେଇଥିଲେ। ଏହିପରି ୫ ଓ୍ଵିକେଟ୍ ନେଇ ନିଜକୁ ସାବ୍ୟସ୍ତ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଶାମି ୫ ସଫଳତା ପାଇଥିଲେ। ପ୍ରଥମ ଇନିଂସରେ ୪ ଏବଂ ଦ୍ଵିତୀୟ ଇନିଂସରେ ଗୋଟିଏ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଏହିପରି ଭାବେ ଏହି ତାରକା ଦ୍ରୁତ ବୋଲର ଘରୋଇ କ୍ରିକେଟରେ ନିୟମିତ ପ୍ରଦର୍ଶନ କରି ଆସୁଛନ୍ତି। ମାତ୍ର ଭାରତୀୟ ଚୟନକର୍ତ୍ତା ତାଙ୍କୁ ନିରନ୍ତର ଭାବେ ଅଣଦେଖା କରି ଚାଲିଛନ୍ତି। ଏବେ ଦେଖିବା ରୋଚକ ହେବ ଯେ, ଟିମ୍ ଇଣ୍ଡିଆରେ ଶାମିଙ୍କୁ ସାମିଲ୍ କରାଯାଉଛି କି ନାହିଁ।