ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଆଜି ହଜାରହଜାର କୋଟି ଟଙ୍କାର ବଜେଟ୍ ଏବଂ ଅତ୍ୟାଧୁନିକ ଭିଏଫ୍ଏକ୍ସ ସାହାଯ୍ୟରେ ପୌରାଣିକ କାହାଣୀଗୁଡ଼ିକୁ ପରଦାରେ ଦେଖିବାକୁ ମିଳୁଛି । କିନ୍ତୁ କେବେ ଭାବିଛନ୍ତି କି’ ଯେତେବେଳେ, ସିନେମାରେ କଥା କହିବା ବା ସାଉଣ୍ଡ୍ ଟେକ୍ନୋଲୋଜି ନଥିଲା ସେତେବେଳେ ପ୍ରଥମଥର ପାଇଁ ରାମାୟଣର କାହାଣୀକୁ ପରଦାକୁ କିପରି ଅଣାଯାଇଥିଲା ?

ଭାରତୀୟ ସିନେମାର ଜନକ ଦାଦାସାହେବ ଫାଲକେଙ୍କ ଦ୍ୱାରା ନିର୍ମିତ ସାଇଲେଣ୍ଟ ଫିଲ୍ମ (ଡାଇଲଗ୍ ନଥିବା ଚଳଚ୍ଚିତ୍ର) 'ଲଙ୍କା ଦହନ' ହେଉଛି ଭାରତୀୟ ସିନେମା ଇତିହାସର ପ୍ରଥମ ରାମାୟଣ ଆଧାରିତ ଚଳଚ୍ଚିତ୍ର । ୧୯୧୭ ମସିହାରେ ମୁକ୍ତିଲାଭ କରିଥିବା ଏହି ଐତିହାସିକ ଫିଲ୍ମକୁ ନେଇ କିଛି ଏପରି ରୋଚକ ତଥ୍ୟ ରହିଛି, ଯାହା ଆଜିର ପ୍ରତ୍ୟେକ ସିନେପ୍ରେମୀ ଜାଣିବା ନିହାତି ଆବଶ୍ୟକ ।

ଜଣେ ପୁରୁଷ କରିଥିଲେ ନିଭାଇଥିଲେ ଦୁଇଟି ମୁଖ୍ୟ ଭୂମିକା

ସେ ସମୟରେ ମହିଳାମାନେ ସିନେମାରେ ଅଭିନୟ କରିବାକୁ ଏକ ସାମାଜିକ ଅପରାଧ ଭାବେ ବିବେଚନା କରାଯାଉଥିଲା। ଏମତିରେ ଦାଦାସାହେବ ଫାଲକେ ଏକ ଅନନ୍ୟ ଉପାୟ ବାହାର କରିଥିଲେ। ଫିଲ୍ମରେ ଅନ୍ନା ସାଲୁଙ୍କେ ନାମକ ଜଣେ ଅଭିନେତା ଏକସଙ୍ଗେ ଭଗବାନ ଶ୍ରୀରାମ ଏବଂ ମାତା ସୀତା ଉଭୟ ପ୍ରମୁଖ ଭୂମିକାରେ ଅଭିନୟ କରି ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଭାରତୀୟ ସିନେମା ଇତିହାସରେ ପ୍ରଥମଥର ପାଇଁ କୌଣସି ଅଭିନେତା ଡବଲ୍ ରୋଲ୍ କରିବାର ଏହାଥିଲା ପ୍ରଥମ ଉଦାହରଣ।

ବିନା ଡାଇଲଗ୍ ଏବଂ ସାଉଣ୍ଡରେ ଦର୍ଶକଙ୍କ ମନ ଜିତିଥିଲା ଫିଲ୍ମ

ଏହା ଏକ ମୂକ ଚଳଚ୍ଚିତ୍ର (Silent Film) ଥିଲା । ଏଥିରେ କୌଣସି ସଂଳାପ ବା ଡାଇଲଗ୍ ନଥିଲା। କାହାଣୀକୁ ବୁଝାଇବା ପାଇଁ କେବଳ ଅଭିନୟ, ଭିଜୁଆଲ୍ ଷ୍ଟୋରିଟେଲିଂ ଏବଂ 'ଇଣ୍ଟରଟାଇଟଲ୍' (Intertitles - ପରଦାରେ ଲେଖାଯାଇଥିବା ଶବ୍ଦ)ର ବ୍ୟବହାର କରାଯାଉଥିଲା। ହନୁମାନଙ୍କ ଲଙ୍କା ଦହନ ଦୃଶ୍ୟକୁ ଏତେ ଚମତ୍କାର ଭାବରେ ଦର୍ଶାଯାଇଥିଲା ଯେ, ସେତେବେଳର ଦର୍ଶକମାନେ ସିନେମା ହଲ୍ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ।

Also Read: ୧୭ଟି ସୁପରହିଟ୍ ଫିଲ୍ମ ଦେଇଥିଲେ, ହେଲେ ଶେଷ ସମୟରେ କେହି ପାଖରେ ନଥିଲେ, ନିର୍ମାତା କଲେ ବଡ଼ ଖୁଲାସା

ବକ୍ସ ଅଫିସରେ ହୋଇଥିଲା ବ୍ଲକବଷ୍ଟର

ରିପୋର୍ଟ ଅନୁସାରେ, ସେତେବେଳେ ଏହି ଫିଲ୍ମର ନିର୍ମାଣ ପାଇଁ ପ୍ରାୟ ୧୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ଏକ ବଡ଼ ମୂଲ୍ୟ ଥିଲା । ମାତ୍ର ମୁକ୍ତିଲାଭ କରିବା ପରେ ଏହା ବକ୍ସ ଅଫିସରେ ଧମାକା କରିଥିଲା। କେବଳ ମୁମ୍ବାଇର ନାଜ୍ ଟକିଜରେ ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ପ୍ରାୟ ୩୦,୦୦୦ ଟଙ୍କାରୁ ଅଧିକ ଆୟ କରି ରେକର୍ଡ କରିଥିଲା। ଲୋକମାନେ ଫିଲ୍ମ ଦେଖିବା ପାଇଁ ସିନେମା ହଲ୍ ସାମ୍ନାରେ ପ୍ରବଳ ଭିଡ଼ ଜମାଉଥିଲେ।

ବର୍ତ୍ତମାନ କେଉଁଠି ଏହାର ଫୁଟେଜ୍ ?

ସମୟ ସହ ପୁରୁଣା ସାଇଲେଣ୍ଟ ଫିଲ୍ମଗୁଡ଼ିକର ଅନେକ ରିଲ୍ ନଷ୍ଟ ହୋଇଯାଇଛି । କିନ୍ତୁ 'ଲଙ୍କା ଦହନ' ଫିଲ୍ମର ମାତ୍ର ୫ ମିନିଟ୍ ୧୫ ସେକେଣ୍ଡର ଅବଶିଷ୍ଟ ଫୁଟେଜ୍ ଆଜି ବି ସୁରକ୍ଷିତ ଭାବେ ସଂରକ୍ଷିତ ହୋଇରହିଛି। ଯାହା ଭାରତୀୟ ସିନେମାର ସୁବର୍ଣ୍ଣ ଅତୀତର ସାକ୍ଷ୍ୟ । ଆଉ ଦାଦାସାହେବ ଫାଲକେଙ୍କ ସେହି କ୍ଷୁଦ୍ର ପ୍ରୟାସ ଏବଂ ସାହସ ଆଜି ଭାରତୀୟ ସିନେମାକୁ ବିଶ୍ୱସ୍ତରରେ ଏକ ବଡ଼ ପରିଚୟ ଦେଇଛି। ୧୦୯ ବର୍ଷ ତଳର ସେହି ମୂକ 'ଲଙ୍କା ଦହନ'ରୁ ଆରମ୍ଭ କରି ଆଜିର ଆଧୁନିକ ମେଗା-ବଜେଟ୍ 'ରାମାୟଣ' ଫିଲ୍ମ ପର୍ଯ୍ୟନ୍ତ —ଭାରତୀୟ ସିନେମାର ଏହି ଯାତ୍ରା ପ୍ରତ୍ୟେକ ସିନେପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।