ମୁମ୍ବାଇ: ବଲିଉଡ୍ଠାରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ସିନେମା ପର୍ଯ୍ୟନ୍ତ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଅଭିନେତ୍ରୀ ରାଧିକା ଆପ୍ତେ। ନିଜର ଭିନ୍ନ ଧରଣର ଚରିତ୍ର ଓ ସ୍ପଷ୍ଟବାଦୀ ମନ୍ତବ୍ୟ ପାଇଁ ପରିଚିତ ରାଧିକା ଏବେ ଏକ ପୁରୁଣା ତେଲୁଗୁ ଫିଲ୍ମର ଅନୁଭୂତିକୁ ନେଇ ଚର୍ଚ୍ଚାରେ। ନିକଟରେ ଏକ ସାକ୍ଷାତକାରରେ ସେ ଦକ୍ଷିଣ ଭାରତୀୟ ସିନେମାରେ କାମ କରିବା ସମୟର ଏକ ଅଭିଜ୍ଞତା ସେୟାର କରିଛନ୍ତି। ଯାହାର ଏକ ଭିଡିଓ କ୍ଲିପ୍ ଏବେ ଇଣ୍ଟରନେଟ୍ରେ ଭାଇରାଲ୍ ହେଉଛି।

ସାକ୍ଷାତକାରରେ ରାଧିକା କୌଣସି ଫିଲ୍ମର ନାଁ ନନେଇ କହିଥିଲେ , ଏକ ତେଲୁଗୁ ଫିଲ୍ମରେ ସେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ତାଙ୍କୁ ନିଜ ମାମୁଁଙ୍କୁ ବିବାହ କରୁଥିବା ଦେଖାଯାଇଥିଲା। ଏହି କାହାଣୀ ଓ ଚରିତ୍ର ତାଙ୍କୁ ଆଦୌ ପସନ୍ଦ ଆସିନଥିଲା। ତେଣୁ ରାଧିକା ପାଇଁ ଏହି ଚରିତ୍ର ଅତ୍ୟନ୍ତ ଚ୍ୟାଲେଞ୍ଜିଙ୍ଗ ଥିବା ସେ କହିଛନ୍ତି l

ଖାଲି ସେତିକି ନୁହେଁ ବୟସ୍କ ଅଭିନେତାଙ୍କ ସହ ରୋମାନ୍ସକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ନଜର ଆସିଛି lରାଧିକା କହିଥିଲେ କେବଳ ଏହି ବିବାହ ପ୍ରସଙ୍ଗ ନୁହେଁ, ତାଙ୍କୁ ନିଜଠାରୁ ବହୁତ ବୟସ୍କ ଅଭିନେତାଙ୍କ ସହ ରୋମାନ୍ସ ମଧ୍ୟ କରିବାକୁ ପଡ଼ିଥିଲା। ତାଙ୍କ ମତରେ, ସେହି ପରିବେଶ ଓ କାହାଣୀରେ ପୁରୁଷପ୍ରଧାନ ଚିନ୍ତାଧାରା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଏହା ତାଙ୍କ ପାଇଁ ସବୁଠାରୁ କଷ୍ଟକର ଅନୁଭୂତି ଥିଲା।

ଏପରିକି ଫିଲ୍ମରେ ତାଙ୍କ ଚରିତ୍ର ମଝିରେ ମୃତ୍ୟୁବରଣ କରୁଥିବା ଦୃଶ୍ୟକୁ ନେଇ ମଧ୍ୟ ସେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ କହିବା ଅନୁଯାୟୀ, ଏକ ଦୃଶ୍ୟରେ ଅଭିନେତାଙ୍କୁ ତାଙ୍କ ମୃତଦେହକୁ କାନ୍ଧରେ ପକାଇ ନେବାକୁ ହେଉଥିଲା ଏବଂ ତା'ପରେ ଆକ୍ସନ୍ ଦୃଶ୍ୟ ଆରମ୍ଭ ହେଉଥିଲା। ଏହାକୁ ନେଇ ରାଧିକା ମଜାଳିଆ ଢଙ୍ଗରେ କହିଥିଲେ, “ମୁଁ କେବେ ମରିବି ବୋଲି ଅପେକ୍ଷା କରି ରହିଥିଲି।”

also read- ୯୫ ଲକ୍ଷ ଟଙ୍କାକୁ ନା, କହିଥିଲେ ଶାହରୁଖ ଖାନ୍! ନିର୍ମାତା କେ.ସି. ବୋକାଡିଆ କଲେ ବଡ଼ ଖୁଲାସା

କିନ୍ତୁ ରାଧିକା ସାକ୍ଷାତକାରରେ ଫିଲ୍ମର ନାଁ ପ୍ରକାଶ କରିନଥିଲେ। ତାଙ୍କ ମନ୍ତବ୍ୟ ପରେ ସୋସିଆଲ ମିଡିଆ ଇଉଜର୍ସ ୨୦୧୪ରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ‘ଲିଜେଣ୍ଡ୍’ ସହ ଏହାକୁ ଯୋଡ଼ି ଦେଖୁଛନ୍ତି। ବୋୟାପତି ଶ୍ରୀନୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନନ୍ଦମୁରୀ ବାଲକୃଷ୍ଣ ଓ ରାଧିକା ଆପ୍ତେ ଅଭିନୟ କରିଥିଲେ। ଫିଲ୍ମଟି ମୁକ୍ତିଲାଭ କରିବା ସମୟରେ ବାଲକୃଷ୍ଣଙ୍କ ବୟସ ୫୪ ବର୍ଷ ଥିବାବେଳେ ରାଧିକାଙ୍କ ବୟସ ଥିଲା ୨୯ ବର୍ଷ। ଯେହେତୁ ରାଧିକା ନିଜେ ଫିଲ୍ମର ନାଁ କହିନଥିବାରୁ ସେ ‘ଲିଜେଣ୍ଡ୍’ ବିଷୟରେ ହିଁ କହୁଥିଲେ ବୋଲି ଏଯାଏଁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ।

ରାଧିକାଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। କେତେକ ବ୍ୟବହାରକାରୀ ତାଙ୍କ ଅନୁଭୂତିକୁ ସମର୍ଥନ କରିଥିବାବେଳେ ଆଉ କେତେକ ତାଙ୍କ ନିଷ୍ପତ୍ତି ଓ ଫିଲ୍ମ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।