ନୂଆଦିଲ୍ଲୀ: କିମ୍ବଦନ୍ତୀ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସେ ନିଜର ଏହି ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଥିବା ରୋନାଲ୍ଡୋଙ୍କ ଏହି ଅବସର ଖବର ବିଶ୍ୱର ଫୁଟବଲ୍ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ତେବେ ଜାତୀୟ ଦଳର କୋଚ୍ ଜର୍ଜ ଜେସସ୍‌ଙ୍କ ସହ ମତଭେଦ ପରେ ଦଳ ଛାଡ଼ିବା ଏବଂ ଏବେ ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର ଘୋଷଣା ସମସ୍ତଙ୍କୁ ବ୍ୟଥିତ କରିଛି।

ପର୍ତ୍ତୁଗାଲର ୪୧ ବର୍ଷୀୟ ରୋନାଲ୍ଡୋ ଦେଶ ପାଇଁ ମୋଟ ୨୩୪ଟି ମ୍ୟାଚ୍ ଖେଳି ସର୍ବାଧିକ ୧୪୬ଟି ଗୋଲ୍ ହାସଲ କରିଛନ୍ତି। ନିକଟରେ ନେସନ୍ସ ଲିଗ୍ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ନମିଳିବାରୁ କୋଚ୍‌ଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ସେ ଜାତୀୟ ଦଳ ଛାଡ଼ିଥିଲେ। ଗୁରୁବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରୋନାଲ୍ଡୋ ନିଜର ଅବସର ଘୋଷଣା କରିଛନ୍ତି। 

ଏହି ଭିଡିଓରେ ଭାବବିହ୍ୱଳ ହୋଇ ସେ କହିଛନ୍ତି, ‘ପର୍ତ୍ତୁଗାଲ୍‌ବାସୀଙ୍କ ପାଇଁ ଆଜି ସେହି ସମୟ ଆସିଯାଇଛି, ଯେତେବେଳେ ମୁଁ ଆମ ଜାତୀୟ ଦଳର ୭ ନମ୍ବର ଜର୍ସିକୁ ଫେରାଇ ଦେଉଛି। ମୁଁ କେବେ ଭାବିନାହିଁ ଯେ, ଏହି ଜର୍ସି କେବଳ ମୋର। ଗତ ୨୩ ବର୍ଷ ଧରି ଏହାକୁ ପିନ୍ଧିବା, ବିଶ୍ୱର ବିଭିନ୍ନ ଷ୍ଟାଡିୟମ୍‌ରେ ଏହାର ସମ୍ମାନ ରଖିବା ଏବଂ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଓ ଦାୟିତ୍ୱ ମୋତେ ମିଳିଥିଲା।’

ୟୁରୋ ୨୦୦୪ ପୂର୍ବରୁ ଆରମ୍ଭ ହୋଇଥିବା ରୋନାଲ୍ଡୋଙ୍କ ଏହି ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ସେ ମୋଟ ୬ଟି ବିଶ୍ୱକପ୍ ଖେଳିଛନ୍ତି। ଏହାସହ ନିଜ ଦଳ ପର୍ତ୍ତୁଗାଲ୍‌କୁ ୟୁରୋପୀୟ ଚାମ୍ପିୟନ୍ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁରୁଷ ଅନ୍ତର୍ଜାତୀୟ ଫୁଟବଲ୍ ଇତିହାସରେ ସବୁଠାରୁ ଅଧିକ ଗୋଲ୍ କରିବାର ବିଶ୍ୱ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ଏହି ଅବସର ସହ ଫୁଟବଲ୍ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚରେ ଏହି ମହାନ ଫୁଟବଲଙ୍କୁ ଗୋଲ୍‌ କରୁଥିବାର ଆଉ ଦେଖିବାକୁ ମିଳିବ ନାହିଁ ।