ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଲାଗି ରହିଥିବା ବାୟୁସେନା ଷ୍ଟେସନର ୩୯.୫ ଏକର ଜମି ଏବେ କେନ୍ଦ୍ର ସରକାରଙ୍କ ଭୂମି ଓ ବିକାଶ କାର୍ଯ୍ୟାଳୟ (ଏଲ ଆଣ୍ଡ ଡିଓ) ଅଧିନକୁ ଆସିଛି। କୌଣସି ପରିବର୍ତ୍ତନ ବିନା ଏହି ଜମିକୁ ହସ୍ତାନ୍ତର କରାଯାଇଛି। ସୂତ୍ର ଅନୁସାରେ ପ୍ରତିରକ୍ଷା ସମ୍ପତ୍ତି କାର୍ଯ୍ୟାଳୟ ଭାରତୀୟ ବାୟୁ ସେନା ଓ ଏଲଆଣ୍ଡଡିଓର ଏକ ଟିମ୍ ଜମିର ମୋଟ କ୍ଷେତ୍ରଫଳ ଯାଞ୍ଚ କରିବା ପାଇଁ ଏକ ମିଳିତ ସର୍ଭେ କରାଯିବ। ଏହା ଦ୍ୱାରା ଜମିର କୌଣସି ହ୍ରାସ ଅଥବା ବୃଦ୍ଧି ହୋଇଛି କି ତାର ଯାଞ୍ଚ କରାଯିବ।

ରେସକୋର୍ସ ଏୟାରଫୋର୍ସ ଷ୍ଟେସନ କମ୍ପ୍ଲେକ୍ସରେ ଏକ ଗଲ୍ଫ କୋର୍ସ, ଏକ ସ୍ୱିମିଂ ପୁଲ୍, ବ୍ୟାଡମିଣ୍ଟନ କୋର୍ଟ ଓ ଅନ୍ୟାନ୍ୟ ସୁବିଧା ସବୁ ରହିଛି। ଏଲଆଣ୍ଡଡିଓ ୩୯.୯ ଏକର ଜମି ପାଇଁ ଅନୁରୋଧ କରିଥିଲା। ଏଥି ମଧ୍ୟରୁ ୩୯.୫ ଏକର ଜମି ଫେରସ୍ତ କରାଯାଇଛି। ଏହି ଜମି ପ୍ରଧାନମନ୍ତ୍ରୀଙ୍କ ବାସଭବନର ଅତ୍ୟନ୍ତ ନିକଟରେ ଅବସ୍ଥିତ। କେନ୍ଦ୍ର ସରକାର ଗତ କିଛି ସମୟ ହେଲା ଦିଲ୍ଲୀ ଲୋକକଲ୍ୟାଣ ମାର୍ଗରେ ସରକାରୀ ଜମି ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଛନ୍ତି। ସ୍ପୋର୍ଟସ କମ୍ପ୍ଲେକ୍ସ ବନ୍ଦ ହେବାର କିଛି ଦିନ ପରେ ଏହି ଜମିକୁ ହସ୍ତାନ୍ତର କରାଯାଇଛି। ଏହି ନିଷ୍ପତ୍ତି ଭାରତୀୟ ବାୟୁସେନାର ଦୀର୍ଘକାଳୀନ ପରମ୍ପରାକୁ ମଧ୍ୟ ପ୍ରଭାବିତ କରିଛି।

ବାୟୁସେନାମୁଖ୍ୟଙ୍କ ଅବସରକୁ ସ୍ମରଣ କରୁଥିବା ସ୍ୱତନ୍ତ୍ର ‘ଗଲ୍ଫିଂ ଆଉଟ୍’ ସମାରୋହ ଚଳିତବର୍ଷ ଆୟୋଜନ ହୋଇ ନାହିଁ। ପୂର୍ବତନ ଏୟାରଫୋର୍ସ ମୁଖ୍ୟ ଏୟାର ଚିଫମାର୍ଶଲ ଏ.ପି. ସିଂହ ଗତ ଅକ୍ଟୋବର ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି। ତେବେ ଅବସର ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଥିଲେ। ବାୟୁସେନା ଷ୍ଟେସନର ଗୁରୁତ୍ୱ ଓ ସେଠାରେ ଉପଲବ୍ଧ ସୁବିଧା ସମ୍ପର୍କରେ ଚିନ୍ତା ପ୍ରକାଶ କରିଥିଲେ। ସେ ଏଥିରେ ଡ୍ରୋନ ଭଳି ଆକାଶୀୟ ବିପଦର ମୁକାବିଲା ନିମନ୍ତେ ଷ୍ଟେସନର ଭୂମିକା ମଧ୍ୟ ଉଲ୍ଲେଖ କରିଥିଲେ।

ତେବେ କେବଳ ଏୟାରଫୋର୍ସ ଷ୍ଟେସନ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନୁହେଁ ଲୋକ କଲ୍ୟାଣ ମାର୍ଗର ଆଖପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜମି ପୁଣି ଥରେ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ଏଥିରୁ ଅନେକ ଜମି ଦୀର୍ଘ ସମୟରୁ ପୃଥକ ପୃଥକ ସଂସ୍ଥା ଓ କ୍ଲବଙ୍କ ହାତରେ ଥିଲା। ଗତ ଅଗଷ୍ଟ ମାସରେ ଏଲ ଆଣ୍ଡ ଡିଓ ଦିଲ୍ଲୀ ରେସ୍ କ୍ଲବର ୫୩.୨୪ ଏକର ଜମିକୁ ନିଜ ହାତକୁ ନେଇ ସିପିଡବ୍ଲୁଡିକୁ ପ୍ରଦାନ କରିଥିଲା। ସେହିପରି ଜୁନରେ ଜୟପୁର ପୋଲୋ ଗ୍ରାଉଣ୍ଡର ୧୫.୨୦ ଏକର ଜମି ଉଦ୍ଧାର କରାଯାଇଥିଲା। ଏହି ଜମି ଇଣ୍ଡିଆନ ପୋଲୋ ଆସୋସିଏସନ ନିକଟରେ ଥିଲା। ସେହିପରି ମେ ମାସରେ କେନ୍ଦ୍ର ସରକାର ଦିଲ୍ଲୀ ଜିମଖାନା କ୍ଲବର ୨୭ ଏକର ଜମିର ଲିଜ ରଦ୍ଦ କରିଦେଇଥିଲେ। କ୍ଲବ ସରକାରଙ୍କ ଏହି ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।