ମୁମ୍ବାଇ: ଆଜି ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଭାରତୀୟ ଇପିକ ଚଳଚିତ୍ର 'ରାମାୟଣ ' l ଏହା ଭାରତୀୟ ସିନେମା ଜଗତରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଯେତିକି ବଢ଼ୁଛି, ଏହାର ନିର୍ମାଣ ଓ ବଜେଟ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା ନିକଟରେ ଆମେରିକାର ଲସ୍ ଆଞ୍ଜେଲସ୍ସ୍ଥିତ ଏକାଡେମି ଥିଏଟରରେ ଆୟୋଜିତ ସ୍ୱତନ୍ତ୍ର ପ୍ରିମିୟର୍ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଦୀର୍ଘ ଯାତ୍ରା ବିଷୟରେ କହିଥିଲେ। ଏହି ଅବସରରେ ସେ ନିଜ କମ୍ପାନି DNEGର ସଫଳତା, ଜୀବନରେ ଆସିଥିବା ସଂଘର୍ଷ ଏବଂ ‘ରାମାୟଣ’ ନିର୍ମାଣ ପଛରେ ଥିବା ସ୍ୱପ୍ନ ବିଷୟରେ ମନଖୋଲି କହିଥିଲେ। ଲସ୍ ଆଞ୍ଜେଲସ୍ର ଏକାଡେମି ଥିଏଟରରେ କାର୍ଯ୍ୟକ୍ରମ ଆୟୋଜନ କରିବାର କାରଣ ବୁଝାଇ ନମିତ କହିଥିଲେ, “ମୁଁ ଏହି ସନ୍ଧ୍ୟାକୁ ଏଠାରେ ଆୟୋଜନ କରିବାକୁ ଚାହୁଁଥିଲି, କାରଣ ଏହା ମୋ ପାଇଁ ଓସ୍କାର ମୁହୂର୍ତ୍ତ। ଆଜି ମୁଁ ମୋ କଥା କହିବାକୁ ଚାହୁଁଛି।”

ନମିତ ନିଜ ସଫଳତାର ପ୍ରାରମ୍ଭିକ ଦିନଗୁଡ଼ିକୁ ମନେ ପକାଇ କହିଥିଲେ , ମାତ୍ର ୧୯ ବର୍ଷ ବୟସରେ ଏକ ଗ୍ୟାରେଜ୍ରୁ ନିଜର ଷ୍ଟାର୍ଟଅପ୍ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ପାଖରେ ଥିଲା କେବଳ ଗୋଟିଏ ଆପଲ୍ କମ୍ପ୍ୟୁଟର ଏବଂ କିଛି ଯୁବ ସହଯୋଗୀ। ସେ କହିଥିଲେ, “ମୁଁ ତୃତୀୟ ପିଢ଼ିର ଏକ ଫିଲ୍ମ ପରିବାରରୁ ଆସିଛି। ମାତ୍ର ୧୯ ବର୍ଷ ବୟସରେ ଗୋଟିଏ ଗ୍ୟାରେଜ୍ରୁ ଆପଲ୍ କମ୍ପ୍ୟୁଟର ନେଇ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲି। ମୋ ସହ କାମ କରୁଥିବା ତିନିଜଣ ଶିକ୍ଷକଙ୍କ ବୟସ ମଧ୍ୟ ମାତ୍ର ୨୧ ବର୍ଷ ଥିଲା। ଆଜି ଏହି ସ୍ଥାନରେ ଠିଆ ହେଲା ପରେ ମୋତେ ଲାଗୁଛି ମୋ ସ୍ୱପ୍ନ ସାକାର ହୋଇଛି । ଏହି ମୁହୂର୍ତ୍ତକୁ ଲସ୍ ଆଞ୍ଜେଲସ୍ ଭଳି ସ୍ୱପ୍ନର ସହରରେ ପାଳନ କରିବାଠାରୁ ଭଲ ଆଉ କ'ଣ ହୋଇପାରେ?”

ତେବେ ନମିତଙ୍କ ସଫଳତା ପଛରେ ରହିଛି ଅନେକ ସଂଘର୍ଷ ଓ ବିଫଳତାର କାହାଣୀ। ୨୦୦୭ରେ ବିଶ୍ୱସ୍ତରୀୟ କମ୍ପାନି ଗଢ଼ିବା ଏବଂ ପୂର୍ବ ଓ ପଶ୍ଚିମ ଦେଶର ସିନେମା ଶିଳ୍ପକୁ ଯୋଡ଼ିବା ଲକ୍ଷ୍ୟରେ ସେ ଲସ୍ ଆଞ୍ଜେଲସ୍ ଯାଇଥିଲେ। ହେଲେ ୨୦୦୮ର ବିଶ୍ୱ ଆର୍ଥିକ ସଙ୍କଟ ତାଙ୍କ ପାଇଁ ବଡ଼ ଝଟକା ଆଣିଥିଲା। ସେ କହିଥିଲେ, “ଜଣେ ପ୍ରବାସୀ ଭାବେ ମୁଁ ୨୦୦୮ର ଆର୍ଥିକ ସଙ୍କଟ ସମୟରେ ମୋର ୯୦ ପ୍ରତିଶତ ସମ୍ପତ୍ତି ହରାଇଥିଲି। କିନ୍ତୁ ଆଜି ପୁଣିଥରେ ନିଜକୁ ଠିଆ କରି ବିଶ୍ୱର ସବୁଠାରୁ ବଡ଼ ସ୍ୱାଧୀନ ଚଳଚିତ୍ର ପ୍ରକଳ୍ପ ଆଣିବା ମୋ ପାଇଁ ଅବିଶ୍ୱସନୀୟ ଅନୁଭୂତି। ଭାରତର ଶ୍ରେଷ୍ଠ ପ୍ରତିଭାମାନଙ୍କ ସହ ପାଶ୍ଚାତ୍ୟ ଦେଶର ଅଭିଜ୍ଞ କଳାକାର ଓ ବୈଷୟିକ ଟିମ୍କୁ ଏକାଠି କରିବାରେ ଆମେ ସଫଳ ହୋଇଛୁ।”

ନିଜ ବାପା ତଥା ଚଳଚ୍ଚିତ୍ର ନିର୍ମାତା ନରେଶ ମଲହୋତ୍ରାଙ୍କୁ ମଧ୍ୟ ନିଜ ସଫଳତାର ଶ୍ରେୟ ଦେଇଥିଲେ ନମିତ। ତାଙ୍କ ବାପା ହିଁ ତାଙ୍କୁ ଫିଲ୍ମ ନିର୍ମାଣ କ୍ଷେତ୍ରକୁ ଆସିବା ପାଇଁ ପ୍ରେରଣା ଦେଇଥିଲେ। ପ୍ରଥମେ ସେ ପୋଷ୍ଟ ପ୍ରଡକ୍ସନ୍ ଓ ଭିଜୁଆଲ୍ ଇଫେକ୍ଟସ୍ କ୍ଷେତ୍ରରେ କାମ କରୁଥିଲେ ଆଉ ଏହା ଥିଲା ଫିଲ୍ମ ନିର୍ମାଣ କରିବା ପୂର୍ବର ପ୍ରସ୍ତୁତି l ତେବେ ଏବେ ରାମାୟଣ ଫିଲ୍ମକୁ ନେଇ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ଏହାର ବଜେଟ୍। ପ୍ରଖର ଗୁପ୍ତାଙ୍କ ସହ ଏକ ସାକ୍ଷାତକାରରେ ନମିତ ମଲହୋତ୍ରା ପ୍ରକାଶ କରିଥିଲେ ଯେ, ‘ରାମାୟଣ’ର ଉଭୟ ଭାଗ ନିର୍ମାଣ ପାଇଁ ପ୍ରାୟ ୫୦୦ ନିୟୁତ ଆମେରିକୀୟ ଡଲାର ଅର୍ଥାତ୍ ୪,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି ।

also read- ମାମୁଁଙ୍କୁ ବିବାହ, ବୟସ୍କ ଅଭିନେତାଙ୍କ ସହ ରୋମାନ୍ସ ; ତେଲୁଗୁ ଫିଲ୍ମର ଅନୁଭୂତି ବଖାଣିଲେ ରାଧିକା ଆପ୍‌ତେ

ସେ କହିଥିଲେ, “ଆମେ ପ୍ରାୟ ୬ରୁ ୭ ବର୍ଷ ପୂର୍ବରୁ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା କରିଥିଲୁ। ସେତେବେଳେ ଅନେକ ଲୋକ ମୋତେ ପାଗଳ ବୋଲି ଭାବୁଥିଲେ, କାରଣ ଭାରତରେ ଏହି ପରିମାଣରେ କୌଣସି ଫିଲ୍ମ ନିର୍ମାଣ ହୋଇନଥିଲା। ଉଭୟ ଭାଗକୁ ମିଶାଇ ଏହାର ବଜେଟ୍ ପ୍ରାୟ ୫୦୦ ନିୟୁତ ଡଲାରରୁ ଅଧିକ ହେବ।”

ସେ ଆହୁରି ମଧ୍ୟ କହିଥିଲେ ରାମାୟଣ ଭଳି ମହାନ୍ ମହାକାବ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ। ଏତେ ବଡ଼ ପ୍ରକଳ୍ପ ହୋଇଥିଲେ ମଧ୍ୟ ଏହାର ନିର୍ମାଣରେ ଆର୍ଥିକ ଦାଇତ୍ୱକୁ ଅତି ସୁଚାର ରୂପେ ପରିଚାଳନା କରାଯାଇଛି । ଏହା କେବଳ ଏକ ବଡ଼ ବଜେଟ୍ର ଫିଲ୍ମ ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ମହାକାବ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବାର ଏକ ପ୍ରୟାସ ବୋଲି ନାମିତ କହିଥିଲେ ।