ବମ୍ବେ ,୫ /୧୧ -; ଶାହରୁଖ କେବଳ ଜଣେ ଭଲ ଅଭିନେତା ନୁହନ୍ତି ସେ ଜଣେ ଭଲ ହୃଦୟର ମଣିଷ ମଧ୍ୟ l ତାଙ୍କୁ ନେଇ ଅନେକ ଲୋକ ଅନେକ କିଛି  କହନ୍ତି l କିଏ ତାଙ୍କୁ ଭଲ ଅଭିନେତା ଭାବରେ ଭଲ ପାଏ ତ କେହି ତାଙ୍କ ରୋମାଣ୍ଟିକ ଅନ୍ଦାଜକୁ ଅଧିକ ପସନ୍ଦ କରେ l ଏସବୁ ପରେ ବି ତାଙ୍କର ଏଉ ଏକ ବିରାଟ ପରିଚୟ ଲୁଚିକି ଅଛି ଯାହା ହୁଏତ ଅନେକ ଲୋକ ଜାଣି ନଥିବେ l  ପରଦାରେ ଦେଖୁଥିବା ଶାହରୁଖ ଖାନ୍ ପରଦା ପଛରେ ବହୁତ ଉଦାର ସ୍ୱଭାବର ବ୍ୟକ୍ତି ବିଶେଷ ବୋଲି ଜଣେଇଛନ୍ତି ବଲିଉଡ ଜଗତର ଆଉ ଜଣେ ବରିଷ୍ଟ ସିନେ ନିର୍ମାତା l 

ଘଟଣାଟି ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ହମ୍ ତୁମହାରେ ହୈଁ ସନମ୍' ସମୟର। ଏହି ଫିଲ୍ମରେ ଶାହରୁଖ ଖାନ୍ଙ୍କ ସହ ସଲମାନ ଖାନ୍ ଓ ମାଧୁରୀ ଦୀକ୍ଷିତ ନଜର ଆସିଥିଲେ। ନିର୍ମାତା କେ.ସି. ବୋକାଡିଆଙ୍କ କହିବା ଅନୁସାରେ, ସେତେବେଳେ ଶାହରୁଖଙ୍କ ସହ ଫିଲ୍ମ ପାଇଁ ୨ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଏହି ରାଶି ମଧ୍ୟରୁ ଶାହରୁଖଙ୍କୁ ୧ କୋଟି ୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଆଉ ବାକି ରହିଥିଲା ୯୫ ଲକ୍ଷ ଟଙ୍କା। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍ରେ ଆଶାନୁରୂପ ସଫଳତା ନ ପାଇବା ପରେ ଏହି ବକେୟା ଟଙ୍କାକୁ ନେଇ ଏକ ଭିନ୍ନ ଘଟଣା ଘଟିଥିଲା।

କେ.ସି. ବୋକାଡିଆ ANI ସହ ଆଲୋଚନା ବେଳେ କହିଥିଲେ ଯେ, ଦିନେ ଶାହରୁଖ ତାଙ୍କ ପୁଅଙ୍କୁ କହିଥିଲେ, 'ବୋକାଡିଆ ସାହେବ ବହୁତ ଭଲ ମଣିଷ। ମୁଁ ତାଙ୍କଠାରୁ ଆଉ କୌଣସି ଟଙ୍କା ନେବି ନାହିଁ।' ଏହା ଶୁଣି ବୋକାଡିଆଙ୍କ ପୁଅ ତାଙ୍କୁ କହିଥିଲେ ଯେ, ଚୁକ୍ତି ଅନୁସାରେ ଟଙ୍କା ଦେବା ଆମର ଦାଇତ୍ୱ । କାରଣ ଆମେ ଦେଇଥିବା କଥା ରଖିବାକୁ ଚାହୁଁଛୁ।

କିନ୍ତୁ ଶାହରୁଖଙ୍କ ଉତ୍ତର ଥିଲା ଆହୁରି ଆଶ୍ଚର୍ଯ୍ୟଜନକ। ସେ କହିଥିଲେ ଯେ, ଏହା ମୋ ନିଜସ୍ୱ ଇଚ୍ଛା। ମୁଁ ଜାଣିଛି ଯେ ଟଙ୍କା ଦେବା ପାଇଁ ବୋକାଡିଆ କିଛି ସମ୍ପତ୍ତି ବିକ୍ରି କରିବାକୁ ବାଧ୍ୟ ହୋଇପାରନ୍ତି। ଅନ୍ୟପଟେ ମୁଁ ମାତ୍ର ୫ ମିନିଟ୍ର ଏକ ବିବାହ ଉତ୍ସବରେ ଏତିକି ଟଙ୍କା ରୋଜଗାର କରି ପାରିବି ।

ଏହି ଘଟଣାର କିଛି ବର୍ଷ ପରେ ମୁମ୍ବାଇର ଏମ୍ପାୟାର ଷ୍ଟୁଡିଓରେ ପୁଣିଥରେ ଶାହରୁଖ ଓ ବୋକାଡିଆଙ୍କ ସାକ୍ଷାତ ହୋଇଥିଲା। ସେଠାରେ ଏକ ଫିଲ୍ମର ମିକ୍ସିଂ କାମ କରୁଥିଲେ ବୋକାଡିଆ। ଏହି ସମୟରେ ଶାହରୁଖ ତାଙ୍କୁ ଭେଟିଥିଲେ। ପୁରୁଣା ବକେୟା ଟଙ୍କା କଥା ଉଠାଇବାରୁ ଶାହରୁଖ ହସି ହସି କହିଥିଲେ, 'କେଉଁ ଟଙ୍କା ସାର୍? ଛାଡ଼ିଦିଅନ୍ତୁ।' ଏହି ଛୋଟିଆ କଥାଟି ବୋକାଡିଆଙ୍କ ମନରେ ଏକ ବଡ଼ ଛାପ ଛାଡ଼ିଥିଲା। କାରଣ ୯୫ ଲକ୍ଷ ଟଙ୍କା ଭଳି ଏକ ବଡ଼ ରାଶିକୁ ଛାଡ଼ିଦେବା କୌଣସି ସାଧାରଣ କଥା ନୁହେଁ।

'ହମ୍ ତୁମହାରେ ହୈଁ ସନମ୍' ଫିଲ୍ମଟିର ନିର୍ଦ୍ଦେଶନା କେ.ଏସ୍. ଅଧିୟମନ୍ ଦେଇଥିଲେ। ଏଥିରେ ଶାହରୁଖ ଖାନ୍, ସଲମାନ ଖାନ୍ ଓ ମାଧୁରୀ ଦୀକ୍ଷିତଙ୍କ ଭଳି ଲୋକପ୍ରିୟ କଳାକାର ଏକାଠି ଅଭିନୟ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କ ଆଶା ଅନୁସାରେ ବକ୍ସ ଅଫିସ୍ରେ ସଫଳ ହୋଇନଥିଲା। କିନ୍ତୁ ସିନେ ନିର୍ମାତା ଉପରେ ସାରୁଖ ଯେଉଁ ବଦାନ୍ୟ କଲେ ତାହା ସମସ୍ତଙ୍କୁ ହୃଦୟକୁ ଜିତିଛି l

ALSO READ- ନଭେମ୍ବର ୧୨ରୁ ଓଟିଟିରେ ଧମାଲ କରିବେ ରଜନୀକାନ୍ତ, ଅନକଟ୍ ଭର୍ସନରେ ମିଳିବ କି ୩୦ ମିନିଟ୍ ଅଧିକ ଆକ୍ସନ୍?

ତେବେ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଏହି ଘଟଣା ପୁଣି ସାମ୍ନାକୁ ଆସିବା ପରେ ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କର ଏହି ମାନବିକତା ଓ ବଡ଼ପଣକୁ ପ୍ରଶଂସା କରୁଛନ୍ତି। ଷ୍ଟାରଡମ୍ କେବଳ ଟଙ୍କା ଓ ଲୋକପ୍ରିୟତାରେ ନୁହେଁ, ବରଂ ମଣିଷ ପ୍ରତି ଥିବା ସମ୍ମାନ ଓ ସମ୍ପର୍କର ମୂଲ୍ୟବୋଧରେ ମଧ୍ୟ ପ୍ରତିଫଳିତ ହୁଏ ବୋଲି ଏହି ଘଟଣା ପୁଣି ମନେ ପକାଇ ଦେଇଛି।