ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନାଙ୍କ ସରକାରକୁ ଗାଦିଚ୍ୟୁତ କରିବା ଲାଗି ସୁଚିନ୍ତିତ ରଣନୀତି ପ୍ରସ୍ତୁତ ହୋଇଥିଲା । ଶେଖ ହସିନା ଦେଶରୁ ପଳାୟନ କରିବାର ମାତ୍ର ଦୁଇ ଦିନ ପୂର୍ବରୁ ନୋବେଲ୍‌ ବିଜେତା ମହମ୍ମଦ ୟୁନୁସ୍‌ଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ଚୟନ କରାଯାଇଥିଲା । ୟୁନୁସ୍‌ଙ୍କ ପୂର୍ବତନ ପ୍ରେସ୍ ସେକ୍ରେଟାରୀ ଶଫିକୁଲ୍ ଆଲାମଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହି ବଡ଼ ଖୁଲାସା ହୋଇଛି ।  ଏହି ଖୁଲାସା ପରେ, ବାଂଲାଦେଶ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଶଫିକୁଲ୍ ଆଲାମଙ୍କ ଫେସବୁକ୍ ପୋଷ୍ଟ ଅନୁସାରେ, ୨୦୨୪ ଅଗଷ୍ଟ ୫ ରେ ଶେଖ୍ ହସିନା ଢାକା ଛାଡ଼ିବା ପୂର୍ବରୁ ହିଁ ଛାତ୍ର ଆନ୍ଦୋଳନର ନେତାମାନେ ଶାସନ ପରିବର୍ତ୍ତନ ପାଇଁ ଯୋଜନା କରିସାରିଥିଲେ। ଏଥିପାଇଁ ୟୁନୁସ୍‌ଙ୍କ ସହ ଯୋଗାଯୋଗ କରିବାକୁ ଜଣେ ବିଶ୍ୱସନୀୟ ମାଧ୍ୟମର ଆବଶ୍ୟକତା ଥିଲା। ଅନ୍ତର୍ଜାତୀୟ ସମ୍ବାଦ ସଂସ୍ଥା AFPର ଢାକା ଫ୍ୟାକ୍ଟ-ଚେକ୍ ଟିମ୍‌ର ତତ୍କାଳୀନ ଏଡିଟର କାଦାରୁଦ୍ଦିନ୍ ଶିଶିର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।

ଶିଶିର ଅତ୍ୟନ୍ତ ଗୋପନୀୟତାର ସହ ଛାତ୍ର ନେତାମାନଙ୍କ ପକ୍ଷରୁ ପ୍ରଥମେ ନୋବେଲ ବିଜେତା ୟୁନୁସ୍‌ଙ୍କ ସହ ଆଲୋଚନା କରିଥିଲେ। ଏହି ପୁରା ରଣନୀତି ବିଷୟରେ ମାତ୍ର କିଛି ଲୋକ ଜାଣିଥିଲେ। ତେବେ ଏନେଇ ହସିନାଙ୍କ ସୁରକ୍ଷା ବାହିନୀ ଓ ଗୁପ୍ତଚର ସଂସ୍ଥା ଏହି ଗୁପ୍ତ ବୈଠକର ଖବର ପାଇପାରିନଥିଲେ। ଯଦି ଏନେଇ ହସିନା ଜାଣିପାରିଥାନ୍ତେ, ତେବେ ଶିଶିରଙ୍କ ସମେତ ସମ୍ପୂର୍ଣ୍ଣ ଟିମ୍‌କୁ କାରାଗାରରେ ବନ୍ଦୀ କରାଯାଇଥାନ୍ତା ବୋଲି ଆଲାମ ଦାବି କରିଛନ୍ତି।

​​​​​​​

ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରର ପତନ ପରେ, ୨୦୨୪ ଅଗଷ୍ଟ ୮ ରେ ଅନ୍ତରୀଣ ସରକାରର ଦାୟିତ୍ବ ଗ୍ରହଣ କରିଥିଲେ ମହମ୍ମଦ ୟୁନୁସ୍‌ । ସେ ଦାୟିତ୍ବ ନେବା ପରେ ଉଭୟ ଶେଖ ହସିନା ଏବଂ ତାଙ୍କ ଦଳ ଆଓ୍ବାମୀ ଲିଗ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଅନ୍ତରୀଣ ସରକାର ଆୱାମୀ ଲିଗ୍ ଦଳକୁ ବ୍ୟାନ୍ କରିବା ସହ ଭାରତରୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଥିଲେ।

ଅନ୍ୟପଟେ, ଶେଖ୍ ହସିନା ଅଭିଯୋଗ କରିଥିଲେ ଯେ, ୟୁନୁସ୍ ପ୍ରଶାସନ ହିଂସାକାରୀଙ୍କୁ ଛାଡ଼ି ଆୱାମୀ ଲିଗ୍ ନେତାମାନଙ୍କ ବିରୋଧରେ  ମାମଲା ରୁଜୁ କରୁଛନ୍ତି। ତେବେ ବାଂଲାଦେଶରେ ୧୨ ଫେବ୍ରୁଆରୀ ୨୦୨୬ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଏନପି ବହୁମତ ହାସଲ କରିଥିଲା ଏବଂ ତାରିକ ରେହମାନ ପ୍ରଧାନମନ୍ତ୍ରୀ ହୋଇଥିଲେ । ଶେଖ ହସିନାଙ୍କ ଦଳ ଆଓ୍ବାମୀ ଲିଗ୍‌କୁ ନିର୍ବାଚନରେ ବ୍ୟାନ କରାଯାଇଥିଲା ।