ନୂଆଦିଲ୍ଲୀ: ୟୁକ୍ରେନୀୟ ସହର ନିପ୍ରୋର ଏକ ରେଳ ଫ୍ଲାଟଫର୍ମରେ ରୁଷ ପକ୍ଷରୁ ଡ୍ରୋନ୍‌ ମାଡ଼ କରାଯାଇଛି । ଏହି ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ରେଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିପ୍ରୋପେଟ୍ରୋଭସ୍କ ଆଞ୍ଚଳିକ ମିଲିଟାରୀ ଆଡମିନିଷ୍ଟ୍ରେସନର ମୁଖ୍ୟ ଓଲେକ୍ସାଣ୍ଡର ହାନଜା ଆକ୍ରମଣ ହୋଇଥିବା ନେଇ ପ୍ରଥମେ ସୂଚନା ଦେଇଥିଲେ। ସେ କହିଛନ୍ତି, ଘଟଣାସ୍ଥଳରେ ଜରୁରୀକାଳୀନ ସେବା ନିୟୋଜିତ ହୋଇଛି । 

ୟୁକ୍ରେନର ସରକାରୀ ରେଳ ସଂସ୍ଥା 'ଉକ୍ରଜାଲିଜନିତ୍ସିଆ' ସୂଚନା ଅନୁସାରେ, ରୁଷର ଏକ ସେଟ୍-ପାୱାର୍ଡ ଅନମ୍ୟାନ୍ଡ ଏରିଆଲ୍ ଭେହିକିଲ୍ ସିଧାସଳଖ ଆସି ପ୍ଲାଟଫର୍ମରେ ପଡ଼ିଥିଲା। ସେହି ସମୟରେ ନିପ୍ରୋରୁ ଜାପୋରିଜିଆ ଅଭିମୁଖେ ଯାତ୍ରା କରିବାକୁ ଥିବା ୮୬୬ ନମ୍ବର ଟ୍ରେନ୍ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା। ଆଲର୍ଟ ଜାରି କରାଯାଇଥିଲେ ମଧ୍ୟ ସେହି ସମୟରେ ବହୁସଂଖ୍ୟକ ଯାତ୍ରୀ ପ୍ଲାଟଫର୍ମରେ ଉପସ୍ଥିତ ଥିଲେ। 

​​​​​​​

ସୋସିଆଲ ମିଡିଆରେ ଏହି ଆକ୍ରମଣର ବିଭିନ୍ନ ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣ ଏପ୍ରିଲ ୨୦୨୨ରେ ‘କ୍ରାମଟୋର୍ସକ’ରେଳ ଷ୍ଟେସନ୍‌ରେ ହୋଇଥିବା ମିସାଇଲ୍ ଆକ୍ରମଣକୁ ମନେ ପକାଇଛି । ଏହି ଆକ୍ରମଣରେ ୬୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ୧୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୨୨ ଏପ୍ରିଲ ୮ରେ, ପ୍ରାୟ ୪,୦୦୦ ୟୁକ୍ରେନୀୟ ନାଗରିକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ସେହି ଷ୍ଟେସନରେ ଏକାଠି ହୋଇଥିଲେ। ସେତେବେଳେ ଏକ ମିସାଇଲ୍ ଷ୍ଟେସନରେ ମାଡ଼ ହୋଇଥିଲା। ତେବେ ଏହି ମିସାଇଲ୍‌ ରୁଷ ପକ୍ଷରୁ ମାଡ଼ ହୋଇଥିଲା ବୋଲି ପରେ ଜଣାପଡ଼ିଥିଲା ।