ନୂଆଦିଲ୍ଲୀ ୧୪।୧୧; ଅନଲାଇନ୍ ବେଟିଂର ବଡ଼ ନେଟୱର୍କ ଉପରେ CBIର ଆକ୍ସନ୍। ମହାଦେବ ବେଟିଂ ଆପ୍କୁ ନେଇ ଦେଶବ୍ୟାପୀ ଚଢ଼ାଉ। ୬ଟି ରାଜ୍ୟର ୩୩ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଚଢ଼ାଉ ବେଳେ କେଉଁଠି ଚାଲିଥିଲା ଲାଇଭ୍ ବେଟିଂ, ତ ଆଉ କେଉଁଠି ଜୁଆର ପ୍ୟାନେଲ୍। ଘଟଣାସ୍ଥଳରୁ ଡିଜିଟାଲ୍ ଡିଭାଇସ୍ ଓ ଆପତ୍ତିଜନକ ଦସ୍ତାବିଜ୍ ଜବତ ହୋଇଛି। ସବୁଠୁ ବଡ଼ କଥା ହେଉଛି, ବେଟିଂରୁ ମିଳୁଥିବା କୋଟି କୋଟି ଟଙ୍କା ମ୍ୟୁଲ୍ ଆକାଉଣ୍ଟ ଓ ହାୱାଲା ନେଟୱର୍କ ଜରିଆରେ ବିଦେଶକୁ ଯାଉଥିବା ସନ୍ଦେହ କରୁଛି CBI।

ତଦନ୍ତରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବେଟିଂରୁ ଆଦାୟ ହେଉଥିବା ଟଙ୍କାକୁ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଓ ହାୱାଲା ନେଟୱର୍କ ଜରିଆରେ ଅନ୍ୟତ୍ର ପଠାଯାଉଥିବା ସନ୍ଦେହ କରୁଛି CBI। ମହାଦେବ ବେଟିଂ ଆପ୍ର ମୁଖ୍ୟ ପ୍ରମୋଟରଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଚନ୍ଦ୍ରାକରଙ୍କୁ ପଚରାଉଚରା ପରେ ମିଳିଥିବା ତଥ୍ୟ ଆଧାରରେ ଏହି ବଡ଼ ଚଢ଼ାଉ ହୋଇଥିବା କହିଛି CBI। ଓମାନରୁ ଭାରତକୁ ପ୍ରତ୍ୟର୍ପଣ ପରେ ନଭେମ୍ବର ୧ ତାରିଖରେ ସୌରଭଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ମହାଦେବ ଆପ୍ର କାର୍ଯ୍ୟପ୍ରଣାଳୀ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ସକ୍ରିୟ ପ୍ୟାନେଲ୍ ଅପରେଟରଙ୍କ ନେଟୱର୍କ ସମ୍ପର୍କରେ ତଥ୍ୟ ମିଳିଥିଲା।

CBIର ତଦନ୍ତ ଅନୁସାରେ, ମହାଦେବ ଆପ୍ର ମୁଖ୍ୟ ନେଟୱର୍କ ବିଦେଶରୁ ପରିଚାଳିତ ହେଉଥିବା ବେଳେ ଭାରତରେ ରହିଥିଲା ପ୍ୟାନେଲ୍ ଅପରେଟରଙ୍କ ବଡ଼ ଚେନ୍। ଏହି ଅପରେଟରମାନେ ଗ୍ରାହକଙ୍କ ପାଇଁ ବେଟିଂ ଆଇଡି ତିଆରି କରୁଥିଲେ। ଅନ୍ୟ ବ୍ୟକ୍ତିଙ୍କ ନାଁରେ ଖୋଲାଯାଇଥିବା କିମ୍ବା ଭଡ଼ାରେ ନିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଥିଲା। ପରେ ହାୱାଲା ଚ୍ୟାନେଲ୍ ଜରିଆରେ ଏହି ଟଙ୍କା ବିଦେଶକୁ ପଠାଯାଉଥିବା ସନ୍ଦେହ ରହିଛି।

ଏହି ମାମଲାରେ CBI ଦୁଇଟି FIR ରୁଜୁ କରି ତଦନ୍ତ ଚଳାଇଛି। ନଭେମ୍ବର ୧୨ରେ ସୌରଭଙ୍କୁ ରାୟପୁରର ସ୍ୱତନ୍ତ୍ର CBI କୋର୍ଟରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଏହାପରେ ନଭେମ୍ବର ୧୩ରେ ମନି ଲଣ୍ଡରିଂ ମାମଲାରେ ED ମଧ୍ୟ ତାଙ୍କୁ ଗିରଫ କରି ପଚରାଉଚରା ପାଇଁ ହେପାଜତକୁ ନେଇଛି। ଏବେ CBIର ନଜର ଏହି ନେଟୱର୍କର ଅନ୍ୟ ଅଭିଯୁକ୍ତ, ବିଦେଶରେ ରହିଥିବା ସହଯୋଗୀ ଏବଂ କାରବାରକୁ ସହଯୋଗ କରିଥିବା ସନ୍ଦିଗ୍ଧ ସରକାରୀ କର୍ମଚାରୀଙ୍କ ଉପରେ। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ଚାଲିଛି ପ୍ରକ୍ରିୟା।