ଇମ୍ଫାଲ, ୧୪।୧୧ : ମଣିପୁରର ଉଖରୁଲ ଜିଲ୍ଲାରେ ଶୁକ୍ରବାର ସନ୍ଦିଗ୍ଧ ଉଗ୍ରବାଦୀମାନେ ୨ଟି କାର୍ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୨ ମହିଳାଙ୍କ ସମେତ ମୋଟ ୪ ଜଣ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଶାଙ୍ଗଶାକ୍ ଗାଁର କାପାଙ୍ଗଖୁଇ ଆରଏସ୍, ହାଓଲେଲା ଆରଏସ୍, ତାସାର ଗାଁର ଅଗଷ୍ଟ ନଗାଲୁଙ୍ଗ, ଖାନମିଲା।

ପୋଲିସ ମୁତାବକ, ଘଟଣାଟି ଇମ୍ପାଲ-ଉଖରୁଲ ରୋଡ୍ରେ ନ୍ୟୁ ହେଭେନ୍ ଅଞ୍ଚଳର। ପୀଡ଼ିତମାନେ ୨ଟି କାରରେ ଇମ୍ପାଲ ଅଭିମୁଖେ ଯାତ୍ରା କରୁଥିଲେ। ଅଚାନକ ସନ୍ଦିଗ୍ଧ ଉଗ୍ରବାଦୀମାନେ ସେମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଉଭୟ ଗାଡ଼ିର ସାମ୍ନାପଟ କାଚରେ ଗୁଳିମାଡ଼ର ଚିହ୍ନ ଦେଖିବାକୁ ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। କଂଗ୍ରେସ ବିଧାୟକ ଦଳ ନେତା କେ ମେଘଚନ୍ଦ୍ର ସିଂହ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ସେ କହିଛନ୍ତି ଯେ, ସରକାରୀ ସମବେଦନା ନିରୀହ ଜୀବନର ସ୍ଥାନ ନେଇପାରିବ ନାହିଁ। ରାଜ୍ୟରେ ଜାରି ରହିଥିବା ହିଂସା ଲାଗି ଉତ୍ତରଦାୟିତ୍ଵ ସରକାରଙ୍କର। ସରକାର ସୁରକ୍ଷା ଯୋଗାଇବା ଏବଂ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାରେ ବିଫଳ ହୋଇଛନ୍ତି। ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ।ଏହା ପୂର୍ବରୁ ଗୁରୁବାର କାଙ୍ଗପୋକପି ଜିଲ୍ଲାରେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳିମାଡ଼ରେ ଜଣେ ୪୨ ବର୍ଷୀୟ କୁକି ମହିଳାଙ୍କର ମୃତ୍ୟୁ ଘଟିଥିଲା। । ଅନ୍ୟ ୨ ଜଣ ଆହତ ହୋଇଥିଲେ।

Also Read :- କମିଗଲା ସୁନା ରେଟ୍ : ୪ ଦିନରେ ଶସ୍ତା ହେଲାଣି ଏତେ ଟଙ୍କା, ଆଗକୁ ଆହୁରି ଖସିବ !

ମଣିପୁରରେ ୨୦୨୩ ମେ ମାସରୁ ମୈତେଇ ଏବଂ କୁକି ସମୁଦାୟ ମଧ୍ଯରେ ଜାତିଗତ ହିଂସା ଜାରି ରହିଛି। ଏଥିଯୋଗୁ ଅଦ୍ୟାବଧି ୩୦୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୪୯ ଜଣ ନିଖୋଜ ଅଛନ୍ତି । ହଜାର ହଜାର ଲୋକ ବାସହରା ହୋଇ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ଇତିମଧ୍ୟରେ ମଣିପୁର ହିଂସାର ଯାଞ୍ଚ ଲାଗି ଗଠିତ କମିଶନର କାର୍ଯ୍ୟକାଳକୁ ଆଜି ସପ୍ତମ ଥର ପାଇଁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର କମିଶନକୁ ଆସନ୍ତାବର୍ଷ ମେ ୨୦ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବଲବୀର ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ୨୦୨୩ ଜୁନ୍ ମାସରେ ଏହି କମିଶନ ଗଠନ କରାଯାଇଥିଲା।