ନୂଆଦିଲ୍ଲୀ ୧୪।୧୧; ଡାଲି କହିଲେ ଆମ ମନକୁ ଆସେ ଜିରା, ରସୁଣ, ଶୁଖିଲା ଲଙ୍କା ଆଉ ଘିଅର ବାସ୍ନାଭରା ଛୁଙ୍କ। ହେଲେ ଯଦି ଡାଲିରେ ଘିଅ ସହ ମିଶିଥିବା ୨୪ କ୍ୟାରେଟ୍ ସୁନାର ତଡକା ପଡ଼େ, ତେବେ କଥାଟା ଟିକେ ଅଲଗା ନିଶ୍ଚୟ! ହଁ, ଦୁବାଇର ଏକ ରେଷ୍ଟୁରାଣ୍ଟରେ ମିଳୁଛି ଏମିତି ଏକ ରାଜକୀୟ ଡାଲି। ଯାହାର ନାଁ ହେଉଛି 'ଡାଲ୍ କାଶ୍କନ୍'। କେବଳ ସୁନାର ତଡକା ନୁହେଁ, ଏହାକୁ ପରଷିବାର ଅନ୍ଦାଜ ମଧ୍ୟ ବେଶ୍ ନିଆରା। ସୁନାର ଚମକରେ ଝଲସୁଥିବା ଏହି ଡାଲିକୁ ନେଇ ଏବେ ସୋସିଆଲ ମିଡିଆରେ ବି ଜୋରଦାର ଚର୍ଚ୍ଚା। ତେବେ କେମିତି ପ୍ରସ୍ତୁତ ହୁଏ ଏହି ଗୋଲ୍ଡେନ୍ ଡାଲି, ଆଉ କେତେ ଏହାର ଦାମ୍? ଆସନ୍ତୁ ଜାଣିବା।

ଦୁବାଇର ଫେଷ୍ଟିଭାଲ୍ ସିଟି ମଲ୍ରେ ଥିବା ପ୍ରସିଦ୍ଧ ଭାରତୀୟ ସେଫ୍ ରଣବୀର ବ୍ରାରଙ୍କ ରେଷ୍ଟୁରାଣ୍ଟ 'କାଶ୍କନ୍'ରେ ପରଷା ଯାଉଛି ଏହି ନିଆରା ଡିସ୍। ଏହି ଡାଲିର ନାଁ 'ଡାଲ୍ କାଶ୍କନ୍'। ଆଉ ଏହାର ସବୁଠୁ ବଡ଼ ଆକର୍ଷଣ ହେଉଛି ୨୪ କ୍ୟାରେଟ୍ ଏଡିବଲ୍ ଗୋଲ୍ଡ। ଖାସ୍ କଥା ହେଉଛି, ସୁନାକୁ ସିଧାସଳଖ ଡାଲିରେ ମିଶାଯାଏ ନାହିଁ। ବରଂ ଘିଅରେ ପ୍ରାୟ ୭୨ ଘଣ୍ଟା ଧରି ସୁନାକୁ ଇନ୍ଫ୍ୟୁଜ୍ କରାଯାଏ। ପରେ ସେହି ସୁନା ମିଶା ଘିଅକୁ ଡାଲି ଉପରେ ତଡକା ଭାବେ ଢଳାଯାଏ।

କେବଳ ପ୍ରସ୍ତୁତି ନୁହେଁ, ଏହାର ପରଷିବା ଶୈଳୀ ବି ରହିଛି ନିଆରା। ସାଧାରଣ ପ୍ଲେଟ୍ ବଦଳରେ ଏକ ସୁନ୍ଦର କାଠର ସନ୍ଦୁକରେ ରଖି ଗ୍ରାହକଙ୍କ ସାମ୍ନାକୁ ଅଣାଯାଏ ଏହି ଡାଲି। ଯେମିତି କୌଣସି ମୂଲ୍ୟବାନ ଧନକୁ ଟ୍ରେଜର୍ ବକ୍ସରେ ରଖାଯାଏ, ଠିକ୍ ସେମିତି ରାଜକୀୟ ଅନ୍ଦାଜରେ ପରଷା ଯାଏ ଏହି ଡିସ୍। ନିକଟରେ ଦୁବାଇରେ ରହୁଥିବା ଭାରତୀୟ ଦମ୍ପତି ନିମି ଓ ପ୍ରିନ୍ସ ଏହି ଡାଲିର ସ୍ୱାଦ ଚାଖି ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏହି ଗୋଲ୍ଡେନ୍ ଡାଲି।

ସେପଟେ ଏହି ଡିସ୍ର ଦାମ୍ ମଧ୍ୟ କିଛି କମ୍ ନୁହେଁ। ୨୦୨୪ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୋଟିଏ ବାଉଲ୍ ଡାଲ୍ କାଶ୍କନ୍ର ଦାମ୍ ଥିଲା ୫୮ ଦିରହାମ୍, ଯାହା ଭାରତୀୟ ମୁଦ୍ରାରେ ସେତେବେଳେ ପ୍ରାୟ ୧୩୦୦ ଟଙ୍କା ଥିଲା। ସେଫ୍ ରଣବୀର ବ୍ରାରଙ୍କ ଏହି ପରୀକ୍ଷଣ ପଛରେ ରହିଛି ଭାରତୀୟ ଖାଦ୍ୟ ପରମ୍ପରାକୁ ଦୁବାଇର ଆଧୁନିକ ଓ ବିଳାସପୂର୍ଣ୍ଣ ଖାଦ୍ୟ ସଂସ୍କୃତି ସହ ଯୋଡ଼ିବାର ଚିନ୍ତାଧାରା। ତେବେ ଖାଦ୍ୟରେ ସୁନାର ବ୍ୟବହାରକୁ ନେଇ ଲୋକଙ୍କ ମତ ବି ଭିନ୍ନ। କିଏ ଏହାକୁ ନୂଆ ଅନୁଭୂତି କହୁଛନ୍ତି ତ ଆଉ କିଏ ପ୍ରଶ୍ନ କରୁଛନ୍ତି, ଡାଲି ଖାଇବାକୁ ଆସିଛୁ ନା ସୁନା ଖାଇବାକୁ? ତେବେ ସୁନାର ଏହି ଚମକ ଡାଲିର ସ୍ୱାଦକୁ କେତେ ମାତ୍ରାରେ ବଢ଼ାଉଛି, ତାହା ଅଲଗା କଥା। କିନ୍ତୁ ସାଧାରଣ ଡାଲିକୁ ଏଭଳି ରାଜକୀୟ ରୂପ ଦେଇ ଚର୍ଚ୍ଚାକୁ ଆଣିବାରେ ଦୁବାଇର ଏହି ରେଷ୍ଟୁରାଣ୍ଟ ନିଶ୍ଚୟ ସଫଳ ହୋଇଛି।