ନୂଆଦିଲ୍ଲୀ: ଦିଲ୍ଲୀର ସିଭିଲ୍ ଲାଇନ୍ସ ସ୍ଥିତ '୬-ଫ୍ଲାଗ୍‌ଷ୍ଟାଫ୍ ରୋଡ୍'ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିଜେପି ସରକାର । ଏବେ ଏହି ବାସଭବନକୁ ରାଜ୍ୟ ଗେଷ୍ଟ ହାଉସ୍‌ ଏବଂ ଅତ୍ୟାଧୁନିକ କଲ୍ଚର ସେଣ୍ଟର ଭାବରେ ବିକଶିତ କରିବେ ସରକାର । ବିଜେପି ସରକାର ଏହାକୁ କେଜ୍ରିଓ୍ବାଲଙ୍କ ଶିଶମହଲ ବୋଲି ଆଖ୍ୟା ଦେଇଥିବା ବେଳେ, ଏବେ ସେଠାରେ ଭିଆଇପି ଏବଂ ଭିଭିଆଇପି ଅତିଥିଙ୍କୁ ସ୍ବାଗତ କରାଯିବ । ଏହାକୁ ନେଇ ରେଖା ଗୁପ୍ତାଙ୍କ ସରକାର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ବିଜେପି ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଏହି ବାସଭବନକୁ ନେଇ ଦୀର୍ଘ ଦିନରୁ ବିବାଦ ଜାରି ରହିଛି । ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ସରକାରୀ ବାସଭବନ ଖାଲି କରିଥିଲେ। ତେବେ ଏହି ବାସଭବନର ନବୀକରଣ ପାଇଁ ହୋଇଥିବା କୋଟି କୋଟି ଟଙ୍କାର ଖର୍ଚ୍ଚକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା ଏବଂ ଏହାକୁ 'ଶିଶମହଲ' ବୋଲି ଆଖ୍ୟା ଦେଇଥିଲା।

ଏହି ବାସଭବନର ନିର୍ମାଣରେ ନିୟମର ଉଲ୍ଲଂଘନ ହୋଇଥିବା ଏବଂ ବେଆଇନ ଭାବେ ଅର୍ଥ ଖର୍ଚ୍ଚ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ଅନ୍ୟମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଭିନ୍ନ ଯାଞ୍ଚ ସଂସ୍ଥା ମଧ୍ୟ ତଦନ୍ତ ଚଳାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଏହି ବଙ୍ଗଳାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ସୁରକ୍ଷା ଏବଂ ଯାଞ୍ଚ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସରକାରୀ ଆବାସକୁ ନିଜ ନିୟନ୍ତ୍ରଣକୁ ନେବା ସହ ଆଗାମୀ ଦିନରେ ଏହାର ବ୍ୟବହାର କିଭଳି କରାଯିବ, ସେ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସେଠାରେ ଏବେ ଦେଶବିଦେଶରୁ ଆସିବାକୁ ଥିବା ଅତିଥିମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ସେଠାରେ ସ୍ବତନ୍ତର ପ୍ରତିନିଧିମଣ୍ଡଳୀ, ବିଶିଷ୍ଟ ବ୍ୟକ୍ତିଙ୍କ ରହିବା ଲାଗି ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଇବେ ସରକାର । ଏହାକୁ ରାଜ୍ୟ ଅତିଥି ଭବନ ସମେତ ସଂସ୍କୃତି କେନ୍ଦ୍ର ଭାବରେ ବିକଶିତ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

ଅପରପକ୍ଷରେ, ବିଜେପିର ଶିଶମହଲ ଅଭିଯୋଗ ଉପରେ 'ଆପ୍' ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି କହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଆବାସ ସହ ଜଡ଼ିତ ସମସ୍ତ ପ୍ରକ୍ରିୟା ନିୟମାନୁସାରେ କରାଯାଇଛି ଏବଂ ବିଜେପି କେବଳ ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏଭଳି କରୁଛି ବୋଲି ଆପ୍‌ ଅଭିଯୋଗ କରିଥିଲା ।