ନୂଆଦିଲ୍ଲୀ, ୩୦।୫: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳ ଦାତା ଏବଂ ନ୍ୟାୟଧୀଶଙ୍କ ଆଖ୍ୟା ଦିଆଯାଇଛି । କୁହାଯାଏ ଯେ, ଶନିଦେବ କେବେ ମଧ୍ୟ କାହା ସହିତ ଅନ୍ୟାୟ କରନ୍ତି ନାହିଁ । ବ୍ୟକ୍ତିର ଭଲ ଓ ମନ୍ଦ କର୍ମ ଅନୁସାରେ ହିଁ ସେ ଉପଯୁକ୍ତ ଫଳ ପ୍ରଦାନ କରିଥାନ୍ତି । ନବଗ୍ରହଙ୍କ ମଧ୍ୟରେ ଶନିଦେବଙ୍କ ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ଜଣଙ୍କ ଜନ୍ମ କୁଣ୍ଡଳୀରେ ଶନି ଶୁଭ କିମ୍ବା ସକାରାତ୍ମକ ସ୍ଥାନରେ ରୁହନ୍ତି, ତେବେ ବ୍ୟକ୍ତିକୁ ଅପାର ସଫଳତା ଓ ସୁଖ-ସମୃଦ୍ଧି ମିଳିଥାଏ । ମାତ୍ର ଅପରପକ୍ଷରେ, ଯଦି କୁଣ୍ଡଳୀରେ ଶନିଙ୍କ ସ୍ଥିତି ଅଶୁଭ ହୋଇଥାଏ କିମ୍ବା ଶନିଦେବ କୋପ କରନ୍ତି, ତେବେ ବ୍ୟକ୍ତି 'ଶନି ଦୋଷ'ର ଶିକାର ହୋଇଥାଏ । ଆଜିକାଲି ସମ୍ପର୍କରେ ତିକ୍ତତା, ପ୍ରେମରେ ପ୍ରତାରଣା, ଅଯଥା ଝଗଡ଼ା ଆଦି ଶନି ଦୋଷର ପ୍ରମୁଖ ସଙ୍କେତ ହୋଇପାରେ ।  ଏହି ଦୋଷରୁ ମୁକ୍ତି ପାଇଁ କିଛି ବିଶେଷ ପ୍ରତିକାର କରିବା ନିତାନ୍ତ ଜରୁରୀ । ଆସନ୍ତୁ ଜାଣିବା ଶନି ଦୋଷର ଲକ୍ଷଣ ଏବଂ ଏହାର ସହଜ ପ୍ରତିକାର ବିଷୟରେ ।

କେମିତି ଜାଣିବେ ଆପଣଙ୍କୁ ଶନି ଦୋଷ ଲାଗିଛି?

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ରୁଷ୍ଟ ହେଲେ ଜୀବନର ବିଭିନ୍ନ କ୍ଷେତ୍ରରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ:

ଅଚାନକ ଆର୍ଥିକ ହାନି: ଶନି ଦୋଷ ଥିଲେ ହସୁଥିବା ଖେଳୁଥିବା ସଂସାର ଉଜୁଡ଼ିଯାଏ । ହଠାତ୍ ଧନ ହାନି ହୁଏ, ହାତକୁ ଆସିଥିବା କାମ ବିଗିଡ଼ିଯାଏ ଏବଂ ବ୍ୟକ୍ତି ଅତିରିକ୍ତ ଋଣ ଭାରରେ ବୁଡ଼ି ରହେ ।

ସ୍ୱାସ୍ଥ୍ୟ ସମସ୍ୟା: ଯଦି ଆପଣଙ୍କର ଅଚାନକ ପ୍ରଚୁର ମାତ୍ରାରେ ଚୁଟି ଉପୁଡ଼ିବାକୁ ଲାଗୁଛି, ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିଛି କିମ୍ବା ଗୋଡ଼ ଏବଂ ଗଣ୍ଠି ରୋଗ ଜନିତ ସମସ୍ୟା କ୍ରମାଗତ ଭାବେ ଲାଗି ରହୁଛି, ତେବେ ଏହା ଶନି ଦୋଷର ଲକ୍ଷଣ ହୋଇପାରେ ।

ସମ୍ପର୍କରେ ତିକ୍ତତା ଓ କୋର୍ଟ କଚେରୀ ମାମଲା: କୌଣସି ବଡ଼ କାରଣ ନଥାଇ ମଧ୍ୟ ଘରେ ସବୁବେଳେ କଳହ ଲାଗିରହେ । ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ଏବଂ ସାଥୀଙ୍କଠାରୁ ଧୋକା ବା ପ୍ରତାରଣା ମିଳିଥାଏ । ସମାଜରେ ମାନ-ସମ୍ମାନ ହ୍ରାସ ପାଇବା ସହ ବ୍ୟକ୍ତି ଅଯଥାରେ ଆଇନଗତ ମାମଲା ବା କୋର୍ଟ-କଚେରୀ ଚକ୍କରରେ ଫସିଯାଏ ।

ମାନସିକ ଅବସାଦ: ଶନିଙ୍କ କୋପ ଦୃଷ୍ଟି ଯୋଗୁଁ କୌଣସି କାମରେ ମନ ଲାଗେ ନାହିଁ । ଶରୀରରେ ସବୁବେଳେ ଆଳସ୍ୟ ଓ ସୁସ୍ତି ଅନୁଭବ ହୁଏ। ମନରେ ସଦାସର୍ବଦା ନକାରାତ୍ମକ ଚିନ୍ତାଧାରା ଓ ଅସୁରକ୍ଷିତ ମନୋଭାବ ପ୍ରକାଶ ପାଏ ।

କାର୍ଯ୍ୟକ୍ଷେତ୍ରରେ ବାଧା: ଚାକିରି କିମ୍ବା ବ୍ୟବସାୟ ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଅଶାନ୍ତି ଦେଖାଦିଏ । ଦିନରାତି ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ପଦୋନ୍ନତି ଅଟକି ଯାଏ ।

ଶନି ଦୋଷରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ:

ଯଦି ଆପଣଙ୍କ ଜୀବନରେ ଏଭଳି ସମସ୍ୟା ଦେଖାଦେଉଛି, ତେବେ ଶନିବାର ଦିନ ଏହିସବୁ ପ୍ରତିକାର କରି ଶନିଦେବଙ୍କୁ ପ୍ରସନ୍ନ କରନ୍ତୁ:

- ହନୁମାନ ଚାଳିଶା ପାଠ ଶନି ଦୋଷର ପ୍ରଭାବକୁ ହ୍ରାସ କରିବା ପାଇଁ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ସବୁଠାରୁ ଉତ୍ତମ ଓ ଫଳଦାୟୀ ମାନାଯାଏ । ମହାବୀର ହନୁମାନଙ୍କ ଭକ୍ତଙ୍କୁ ଶନିଦେବ କେବେ କଷ୍ଟ ଦିଅନ୍ତି ନାହିଁ ।

-ପିପ୍ପଳ ବୃକ୍ଷ ମୂଳେ ଦୀପ ଦାନଶନିବାର ସନ୍ଧ୍ୟା ସମୟରେ କୌଣସି ଅଶ୍ୱତ୍ଥ ଗଛ ମୂଳେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

-ଶନି ମନ୍ତ୍ର ଜପଶନିବାର ଦିନ ସ୍ନାନ ସାରି ଶୁଦ୍ଧପୂତ ମନରେ ଶନିଦେବଙ୍କର ଏହି ପ୍ରଭାବଶାଳୀ ମନ୍ତ୍ରକୁ ଜପ କରନ୍ତୁ । “ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ଚରାୟ ନମଃ” । ଏହି ମନ୍ତ୍ର ଜପ କରିବା ଦ୍ୱାରା ଶନିଙ୍କ ମହାଦଶା ଓ ସାଢ଼େସାତୀର କୋପରୁ ମୁକ୍ତି ମିଳିଥାଏ ।

- କଳା ସାମଗ୍ରୀ ଦାନଗରିବ କିମ୍ବା ଅସହାୟ ଲୋକଙ୍କୁ କଳା ରାଶି ତେଲ, କଳା ବିରି ଡାଲି ଏବଂ କଳା କମ୍ବଳ ଦାନ କରନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହିସବୁ ସାମଗ୍ରୀ ଦାନ କରିବା ଦ୍ୱାରା ଶନିଦେବଙ୍କ ଅଶୁଭ ଦୃଷ୍ଟି ସମାପ୍ତ ହୋଇଥାଏ ।ଏହି ଧାର୍ମିକ ମାନ୍ୟତା ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ସୂଚନା । ଏହାକୁ ଆପଣେଇବା ପୂର୍ବରୁ ଜଣେ ଅଭିଜ୍ଞ ଜ୍ୟୋତିଷଙ୍କ ପରାମର୍ଶ ନେବା ଭଲ ।