ମୁମ୍ବାଇ: ଦୀନେଶ ଠକ୍କର ମୁମ୍ବାଇରେ ୭୧୧ କୋଟି ଟଙ୍କା ମୂଲ୍ୟର ଏକ ଘର କ୍ରୟ କରିଛନ୍ତି । ଏହା ସହ ସେ, ଦେଶର ବହୁ ନାମୀଦାମୀ ବିଜନେସ୍‌ମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ହେଉଛନ୍ତି, ଭାରତର ଅନ୍ୟତମ ରିଟେଲ ଷ୍ଟକ୍‌ ବ୍ରୋକରେଜ୍ ଫାର୍ମ 'ଏଞ୍ଜେଲ୍ ୱାନ୍ ଲିମିଟେଡ୍'ର ସଂସ୍ଥାପକ, ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ। ବ୍ଲୁମ୍‌ବର୍ଗର ରିପୋର୍ଟ ଅନୁଯାୟୀ, ସେ ମୁମ୍ବାଇରେ ୬୩,୦୦୦ ବର୍ଗଫୁଟ (୫,୮୫୩ ବର୍ଗ ମିଟର) ପରିବ୍ୟାପ୍ତ ଏବଂ ସି’ ଫେସିଂ ୮ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଟାୱାର କିଣିଛନ୍ତି। 

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ଦୀନେଶ ଠକ୍କର ମୁମ୍ବାଇର ମୁଲୁନ୍ଦରେ ଏକ କପଡ଼ା ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ହିଁ ସେ ବ୍ୟବସାୟିକ ପରିବେଶ ଦେଖି ବଡ଼ ହୋଇଥିଲେ। ସେ ଥାଣେର ସେଣ୍ଟ ଜନ୍ ଦି ବାପ୍ଟିଷ୍ଟ ହାଇସ୍କୁଲରୁ ପାଠପଢ଼ା ଶେଷ କରିବା ପରେ ମୁମ୍ବାଇର କିଶିନଚାନ୍ଦ ଚେଲାରାମ କଲେଜରୁ ବିଜ୍ଞାନରେ ଉଚ୍ଚଶିକ୍ଷା ଆରମ୍ଭ କରିଥିଲେ। ତେବେ ସେ ପାରମ୍ପରିକ ଉଚ୍ଚଶିକ୍ଷା ଜାରି ନରଖି ଦ୍ୱାଦଶ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଦେଇଥିଲେ। ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ, ବିନା କଲେଜ ଡିଗ୍ରୀରେ ବ୍ୟବସାୟ ଛିଡ଼ା କରିବା ନିଷ୍ପତ୍ତି ତାଙ୍କ ଜୀବନର ସବୁଠାରୁ ବଡ଼ ରିସ୍କ ଥିଲା।

ବ୍ୟବସାୟରେ ସଂଘର୍ଷ
ପ୍ରଥମେ ସେ ପରିବାରର କପଡ଼ା ବ୍ୟବସାୟରେ ଯୋଗ ଦେଇଥିଲେ ମଧ୍ୟ ସେଠାରେ ସୀମିତ ସୁଯୋଗ ହେତୁ ସନ୍ତୁଷ୍ଟ ହୋଇପାରିନଥିଲେ। ପରେ ସେ ସାଙ୍ଗମାନଙ୍କଠାରୁ ଟଙ୍କା ଉଧାର ନେଇ ଜଣେ ନିବେଶକ ଭାବରେ ସେୟାର ବଜାରରେ ପ୍ରବେଶ କରିଥିଲେ। ସେୟାର ବଜାରରେ ତାଙ୍କର ଯାତ୍ରା ସହଜ ନଥିଲା। ୧୯୯୨ର ଚର୍ଚ୍ଚିତ ହର୍ଷଦ ମେହେଟ୍ଟା ସେୟାର ବଜାର ଦୁର୍ନୀତି ସମୟରେ ତାଙ୍କ ବ୍ୟବସାୟ ବଡ଼ କ୍ଷତି ସହିଥିଲା। ମାତ୍ର ସେ ପଛଘୁଞ୍ଚା ନଦେଇ ବ୍ରୋକରେଜ୍‌ ବ୍ୟବସାୟକୁ ଅଧ୍ୟୟନ କଲେ ଏବଂ ଖୁଚୁରା ନିବେଶକମାନଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କଲେ। ସେହି ସମୟରେ ସେ ୱାକି-ଟକି ମାଧ୍ୟମରେ ଗ୍ରାହକଙ୍କୁ ତୁରନ୍ତ ଟ୍ରେଡ୍ କନଫରମେସନ୍ ଦେଇ ଏକ ନୂଆ ପଦ୍ଧତି ଆରମ୍ଭ କରିଥିଲେ।

'ଏଞ୍ଜେଲ୍ ୱାନ୍'ର ପ୍ରତିଷ୍ଠା ଓ ସଫଳତା
ଦୀନେଶଙ୍କ ଦୂରଦୃଷ୍ଟିରେ ପ୍ରଭାବିତ ହୋଇ ତିନିଜଣ ନିବେଶକ ୫୦ ଲକ୍ଷ ଟଙ୍କା ଲେଖାଏଁ ବିନିଯୋଗ କରିଥିଲେ, ଯାହା ତାଙ୍କ ବ୍ୟବସାୟକୁ ସ୍ଥିରତା ଦେଇଥିଲା। ୧୯୯୬ 'ଏଞ୍ଜେଲ୍ ୱାନ୍' (ପୂର୍ବରୁ ଏଞ୍ଜେଲ୍ ବ୍ରୋକିଂ) ପ୍ରତିଷ୍ଠା ହୋଇଥିଲା। ୨୦୧୯ରେ କମ୍ପାନୀ ନିଜକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ଆପ୍-ଭିତ୍ତିକ ଆର୍ଥିକ ସେବା ପ୍ଲାଟଫର୍ମରେ ରୂପାନ୍ତରିତ କରିଥିଲା। ଆଜି ଷ୍ଟକ୍ ବ୍ରୋକିଂ କ୍ଷେତ୍ରରେ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରଖିଥିବା ଦୀନେଶ ଠକ୍କର ଏହି କମ୍ପାନୀକୁ ଭାରତର ଅଗ୍ରଣୀ ଡିଜିଟାଲ୍ ବ୍ରୋକରେଜ୍ ଫାର୍ମରେ ପରିଣତ କରିଛନ୍ତି।

ଦାମୀ କାର୍ ପ୍ରତି ଭଲପାଇବା

​​​​​​​
ବ୍ୟବସାୟ ଓ ସମ୍ପତ୍ତି ବ୍ୟତୀତ ଦୀନେଶ ଠକ୍କର ନିଜର ସୁପରକାର୍ ସଂଗ୍ରହ ପାଇଁ ମଧ୍ୟ ଜଣାଶୁଣା। ତାଙ୍କ ଗ୍ୟାରେଜ୍‌ରେ ଲମ୍ବୋର୍ଗିନି ହୁରାକାନ୍ ପରଫୋର୍ମାଣ୍ଟେ (Lamborghini Huracán Performante), ଫେରାରୀ ୪୮୮ ପିଷ୍ଟା ଏବଂ ପୋର୍ସେ ଜିଟି୩ ଆର୍‌ଏସ୍  ଭଳି ଦାମୀ ଓ ଦ୍ରୁତଗାମୀ କାର୍ ସାମିଲ ରହିଛି।