ନୂଆଦିଲ୍ଲୀ: ଆଠ ଦିନ ତଳେ, ଦକ୍ଷିଣ ଗୋଆର କାନାକୋନା ଜିଲ୍ଲାରେ ଦୁଇଜଣ ବୃଦ୍ଧା ଭଉଣୀଙ୍କୁ ସରକାରଙ୍କ ଏକ ଏଲପିଜି ଯୋଜନା ବିଷୟରେ ଆଲୋଚନା କରିବାକୁ ଜଣେ ସ୍ଥାନୀୟ ପଞ୍ଚାୟତ ସଭ୍ୟ ଭେଟିଥିଲେ । ସେହି ସମୟରେ, ତାଙ୍କୁ ଏକ ଚିନ୍ତାଜନକ କଥା କୁହାଯାଇଥିଲା, କିନ୍ତୁ ସେତେବେଳେ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, "ଜଣେ ଭଉଣୀ ଏହି ଯୋଜନାର ଲାଭ ନେବାକୁ ମନା କରିଥିଲେ । କହିଥିଲେ ଯେ ସେ ନିଜ ଜୀବନରୁ ନିରାଶ ହୋଇପଡ଼ିଛନ୍ତି ଓ ଆଉ ବେଶି ଦିନ ବଞ୍ଚିବାକୁ ଚାହୁଁନାହାନ୍ତି ।"

୭୦ ଏବଂ ୭୩ ବର୍ଷ ବୟସ୍କା ଏହି ଦୁଇ ଭଉଣୀ ସୋମବାର ଦକ୍ଷିଣ ଗୋଆର କାନାକୋନା ଜିଲ୍ଲାରେ ଥିବା ନିଜ ଘରେ ମୃତ ଅବସ୍ଥାରେ ମିଳିଛନ୍ତି । ପୋଲିସ ବର୍ତ୍ତମାନ ସନ୍ଦେହ କରୁଛି ଯେ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି । ପୋଲିସ ଏହି ମାମଲାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଘରର ଏକ ଶୋଇବା ରମରୁ ଏକ ସୁଇସାଇଡ୍ ନୋଟ୍ ଏବଂ କ୍ଲିନିକାଲ ସ୍ପିରିଟ୍ ବୋତଲ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି । ସୁଇସାଇଡ୍ ନୋଟରେ ଦୁଇ ଭଉଣୀ କୌଣସି ବଡ଼ ଦାବି କରିନାହାନ୍ତି, ବରଂ ଲେଖିଯାଇଛନ୍ତି ସେମାନଙ୍କ ଅନ୍ତିମ ସଂସ୍କାର କଥା । ଦୁହେଁ ଲେଖିଥିଲେ ଯେ ସେମାନେ ନିଜ ଅନ୍ତିମ ସଂସ୍କାର ପାଇଁ ୧୫,୦୦୦ ଟଙ୍କାରୁ ଅଧିକ ସଞ୍ଚୟ କରିଛନ୍ତି । ଶେଷକୃତ୍ୟ ପାଇଁ ସେହି ଟଙ୍କା କେଉଁଠାରେ ରଖାଯାଇଛି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ।

ରବିବାର ରାତି ୯.୪୦ ମିନିଟରେ ପୋଲିସ ସୂଚନା ପାଇଥିଲା ଯେ ଘରୁ ଦୁର୍ଗନ୍ଧ ବାହାରୁଛି । କାନାକୋନାରୁ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହଗୁଡ଼ିକ ଉଦ୍ଧାର କରିଥିଲା । ପୋଲିସ କହିବା ଅନୁଯାୟୀ, ଏହି ଦୁଇ ଭଉଣୀ ଅବିବାହିତ ଥିଲେ ଏବଂ ଅନେକ ବର୍ଷ ଧରି ଏକାଠି ରହୁଥିଲେ ।

ଇଣ୍ଡିଆନ୍ ଏକ୍ସପ୍ରେସକୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଚାରି ଦିନ ତଳେ ଦୁଇ ଭଉଣୀ ଆତ୍ମହତ୍ୟା କରିଥାଇପାରନ୍ତି । ପୋଲିସ ମୃତଦେହଗୁଡ଼ିକ ଅତ୍ୟଧିକ ପଚିଯାଇଥିବାରୁ ଶବ ବ୍ୟବଚ୍ଛେଦ କରିଥିବା ସର୍ଜନ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ମତାମତ ଦେଇନାହାନ୍ତି । ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗର ନମୁନା ରାସାୟନିକ ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି ।