ଢେଙ୍କାନାଳ: ବିହାର ଜମୁଇରେ ଘଟିଥିବା ଜଘନ୍ୟ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଜଣେ ନାବାଳକ ଏବଂ ନାବାଳିକାଙ୍କ ସହ ଅସଦାଚରଣ ସହ ଯୌନ ଉତ୍ପୀଡ଼ନ ଓ ଏହାର ଭିଡିଓ ଭାଇରାଲ ହେବା ସମସ୍ତଙ୍କୁ ଚକିତ କରିଛି । ଆଶ୍ଚର୍ଯ୍ୟର କଥା ହେଲା ଘଟଣାକୁ ଗୋଟିଏ ଦିନ ବିତିନଥିବା ବେଳେ, ଢେଙ୍କାନାଳରେ ଘଟିଛି ସମାନ ଏକ ଘଟଣା  । ଢେଙ୍କାନାଳର ଶୈବ ପୀଠ କପିଳାଶରୁ ଫେରୁଥିବା ଯୁବକ ଯୁବତୀଙ୍କୁ ଅସଦାଚରଣ କରାଯାଇଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଘଟଣାରେ ଆକ୍ସନ ମୁଡ୍‌କୁ ଆସିଛି ପୋଲିସ । ଘଟଣାରେ ତିନି ଜଣକୁ ଅଟକ ରଖାଯାଇଛି। 

ସୂଚନା ଅନୁସାରେ, ଗତ ୧୮ ତାରିଖରେ କଟକର ଦୁଇଜଣ ଯୁବକ ଯୁବତୀ କପିଳାଶ ଆସି ଦେଓଗାଁ- ଟାଙ୍ଗି ରାସ୍ତାରେ ବାଇକ ଯୋଗେ ଫେରୁଥିଲେ। ତେବେ ଶୋରିଶିଆ ପଦା ଭଙ୍ଗାରଗଡ଼ା ନିକଟରେ ଏହି ଯୁବକ ଯୁବତୀଙ୍କୁ କିଛି ଯୁବକ ଅସଦାଚରଣ ଓ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଭିଡିଓ ଭାଇରାଲ ହେଉଥିବା ଜାଣିବା ପରେ ଚୌଦ୍ୱାର ଠାରେ ସେମାନେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ ।

Also Read: ବିହାରରେ ଭୟଙ୍କର କାଣ୍ଡ: ଛାତ୍ରଛାତ୍ରୀଙ୍କୁ ମାଡ଼, ଯୌନ ଉତ୍ପୀଡ଼ନର ଭିଡିଓ ଭାଇରାଲ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ଆଉ ଏହି ଆଧାରରେ ଚୌଦ୍ୱାର ଥାନାରୁ ଢେଙ୍କାନାଳ ଗଁନ୍ଦିଆ ଥାନାକୁ ମାମଲାର ତଦନ୍ତ ସ୍ଥାନାନ୍ତରିତ ହୋଇଛି । ପୋଲିସ ତଦନ୍ତକ୍ରମେ ଭାଇରାଲ ଭିଡିଓକୁ ଆଧାର କରି ଭିଡିଓ ଉତ୍ତୋଳନ କରିବା ଓ ଯୁବକ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୩ ଜଣ, ଗଁନ୍ଦିଆ ଥାନା ଅଂଚଳର ଶୋରିଶିଆ ପଦା ପଂଚାୟତର ବଣିଆ ଗ୍ରାମର ସରୋଜ ନାୟକ, ସମୀର ନାୟକ ଓ ମନ୍ଦାର ପଂଚାୟତ ରାୟପୁର ଗ୍ରାମର ସଂଗ୍ରାମ ରଥଙ୍କୁ ଅଟକ ରଖି ପଚରାଉଚରା କରୁଛି।