ନୂଆଦିଲ୍ଲୀ: ଭାରତୀୟ ଟେଲିକମ ସେକ୍ଟରରେ ଆଉ ଜିଓ, ଏୟାରଟେଲ୍‌ ଏକଚାଟିଆ ପ୍ରଭାବ ରହିବ ନାହିଁ। ଏକ ନୂଆ ରୂପରେ ନୂଆ ରଣନୀତି ସହ ମାର୍କେଟ୍କୁ ଓହ୍ଲାଇବାକୁ ଯାଉଛି ଭୋଡାଫୋନ ଆଇଡିଆ ଜଏଣ୍ଟ ଭେଞ୍ଚର(ଯୁଗ୍ମ ଉଦ୍ୟୋମ)। ଏହାର ଲୋଗୋ ଓ କ୍ୟାମ୍ପେନ ସବୁ ବଦଳିଯାଇଛି। ବ୍ରାଣ୍ଡ୍ ଆମ୍ବାସାଡର ହୋଇଛନ୍ତି ବଲିଉଡ୍ ଷ୍ଟାର ଶାହରୁଖ ଖାନ।

କମ୍ପାନୀ ପକ୍ଷରୁ ମଙ୍ଗଳବାର ନୂଆ ଲୋଗୋ ସହ ନୂଆ ବ୍ରାଣ୍ଡ କ୍ୟାମ୍ପେନ୍ ଲୋକାର୍ପଣ କରାଯାଇଛି। କମ୍ପାନୀ ନିଜର ପୁରୁଣା ‘V!’ ଲୋଗୋକୁ ବଦଳାଇ ‘Vi’ କରିଛି। ସେହିପରି କ୍ୟାମ୍ପେନ ‘Vi ବଦଲ ରହା ହୈ... ତୟାର ରହିଏ’ ଆରମ୍ଭ କରାଯାଇଛି। ଏହାର ଅର୍ଥ ହେଉଛି ‘Vi ବଦଳୁଛି... ପ୍ରସ୍ତୁତ ରୁହନ୍ତୁ।’

ନୂଆ ରୂପରେ ଆସୁଥିବା ଭିଆଇ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ଶାହରୁଖ ଖାନଙ୍କ ସହଯୋଗ ନେଇଛି। ଏପଟେ ଭିଆଇର ଗ୍ରାହକ ସଂଖ୍ୟା ବଢ଼ୁଥିବା ବେଲେ ଶାହରୁଖଙ୍କ ଯୋଗଦାନ କମ୍ପାନୀକୁ ଆହୁରି ଫାଇଦା ଦେଇପାରେ। ଏହା ସହିତ କମ୍ପାନୀ ଆଗାମୀ ତିନି ବର୍ଷରେ ପ୍ରାୟ ୪୫,୦୦୦ କୋଟି ଟଙ୍କାର କ୍ୟାପେକ୍ସ ଯୋଜନା ପାଇଁ ବ୍ୟାଙ୍କଗୁଡ଼ିକଠାରୁ ପାଣ୍ଠି ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛି। ତେବେ ଶାହରୁଖ କେତେ ଦିନ ପର୍ଯ୍ୟନ୍ତ ବ୍ରାଣ୍ଡ ଆମ୍ବାସାଡର ରହିବେ, ସେ ସମ୍ପର୍କରେ କମ୍ପାନୀ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରିନାହିଁ।

Also Read- ଟଙ୍କା ନୁହେଁ, ଜୀବନ ବଡ଼! ୬୫ ଲକ୍ଷ ଟଙ୍କାର ପ୍ରମୋସନ ଅଫର ଛାଡ଼ିଦେଲେ ସଫ୍ଟୱେର ଡେଭଲପର

Viର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଅଭିଜିତ କିଶୋର କହିଛନ୍ତି ଯେ, ଏହା କେବଳ ଲୋଗୋ ପରିବର୍ତ୍ତନ ନୁହେଁ, ବରଂ Vi ବ୍ରାଣ୍ଡରେ ଆସୁଥିବା ବଡ଼ ପରିବର୍ତ୍ତନର ପ୍ରଥମ ଝଲକ। ଗ୍ରାହକଙ୍କ ପାଇଁ ଟେଲିକମ୍ ଅନୁଭୂତିକୁ ଅଧିକ ଆନନ୍ଦଦାୟକ ଓ ସମ୍ଭାବନାମୟ କରିବା କମ୍ପାନୀର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଆଗାମୀ କିଛି ସପ୍ତାହରେ ନୂଆ ପରିଚୟ ସହ ଅନେକ ରଣନୀତିକ ଲଞ୍ଚ, ନୂଆ କ୍ୟାମ୍ପେନ୍ ଓ ବିଭିନ୍ନ ଗ୍ରାହକ ଅନୁଭୂତି ଆଣିବାକୁ କମ୍ପାନୀ ଯୋଜନା କରିଛି। ଏହି ନୂଆ ପରିଚୟ ଏକ ନୂଆ ଆଶା ସଂଚାର କରିବା ଏବଂ ଭବିଷ୍ୟତରେ ରିଟେଲ୍ ଗ୍ରାହକଙ୍କ ସହ ଏଣ୍ଟରପ୍ରାଇଜ୍ କ୍ଷେତ୍ରରେ ମଧ୍ୟ ନୂଆ ଟେକ୍ନୋଲୋଜି ଭିତ୍ତିକ ସେବା ଦେବାର ସଙ୍କେତ ବୋଲି କିଶୋର କହିଛନ୍ତି।

ପାଣ୍ଠି ଯୋଗାଡ଼ ଉପରେ ଜୋର

କମ୍ପାନୀର କ୍ୟାପେକ୍ସ ଯୋଜନା ପାଇଁ ଋଣ ଯୋଗାଡ଼ ପ୍ରକ୍ରିୟା ମଧ୍ୟ ଜୋରଦାର ହୋଇଛି। ରିପୋର୍ଟ ଅନୁସାରେ, ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଏସ୍ବିଆଇ ଠାରୁ ପାଣ୍ଠି ପାଇବା ଦିଗରେ Vi ଆଗକୁ ବଢ଼ିଛି। ଋଣ ପାଇଁ କମ୍ପାନୀର ପ୍ରମୋଟରମାନେ ଗ୍ୟାରେଣ୍ଟି ଦେବାକୁ ସମର୍ଥନ ଜଣାଇଥିବା କୁହାଯାଇଛି।

ଜୁନ୍ରେ ଶେଷ ହୋଇଥିବା ତ୍ରୈମାସିକରେ Vi ବ୍ୟାଙ୍କ-ଫଣ୍ଡେଡ୍ ଓ ନନ୍-ଫଣ୍ଡେଡ୍ ସୁବିଧା ମାଧ୍ୟମରେ ୬,୪୦୦ କୋଟି ଟଙ୍କା ଉଠାଇଥିଲା। ଏହା କମ୍ପାନୀର ପ୍ରସ୍ତାବିତ ୩୫,୦୦୦ କୋଟି ଟଙ୍କାର ଫଣ୍ଡରେଜିଂ ଯୋଜନାର ପ୍ରଥମ ପର୍ଯ୍ୟାୟ। 4G ନେଟୱର୍କ ବିସ୍ତାର ଓ 5G ସେବା ଆରମ୍ଭ ଉପରେ ଏହି ପାଣ୍ଠିର ବଡ଼ ଅଂଶ ଖର୍ଚ୍ଚ ହେବ।

ଜୁଲାଇରେ ଯୋଡ଼ିଲେ ୨.୪ ଲକ୍ଷରୁ ଅଧିକ ଗ୍ରାହକ

ଗ୍ରାହକ ଯୋଡ଼ିବା କ୍ଷେତ୍ରରେ ମଧ୍ୟ Vi ଭଲ ପ୍ରଦର୍ଶନ କରିଛି। ଜୁଲାଇ ମାସରେ କମ୍ପାନୀ ୨,୪୦,୧୧୪ ଜଣ ନୂଆ ଗ୍ରାହକ ଯୋଡ଼ିଛି। ଗତ ଦୁଇ ବର୍ଷ ମଧ୍ୟରେ ଏହା କମ୍ପାନୀର ସର୍ବାଧିକ ମାସିକ ଗ୍ରାହକ ବୃଦ୍ଧି।

ଏହା ସହିତ ୨୦୨୬-୨୭ ଆର୍ଥିକ ବର୍ଷ ଆରମ୍ଭଠାରୁ Vi କ୍ରମାଗତ ଚତୁର୍ଥ ତ୍ରୈମାସିକରେ ନେଟ୍ ଗ୍ରାହକ ବୃଦ୍ଧି ହାସଲ କରିଛି। ଫେବ୍ରୁଆରୀଠାରୁ ଏହା କ୍ରମାଗତ ଷଷ୍ଠ ମାସରେ ଗ୍ରାହକ ସଂଖ୍ୟା ବଢ଼ାଇବାରେ ସଫଳ ହୋଇଛି।

Viର ‘Vi 2.0’ ରଣନୀତିରେ ଗ୍ରାହକ ବୃଦ୍ଧିକୁ ପ୍ରମୁଖ ଲକ୍ଷ୍ୟ ଭାବେ ରଖାଯାଇଛି। ଏହା ବ୍ୟତୀତ ଦୁଇ ଅଙ୍କ ବିଶିଷ୍ଟ ରେଭେନ୍ୟୁ ବୃଦ୍ଧି ଏବଂ ଆଗାମୀ ତିନି ବର୍ଷରେ କ୍ୟାଶ୍ EBITDAକୁ ତିନିଗୁଣ କରିବା କମ୍ପାନୀର ଅନ୍ୟ ଦୁଇଟି ପ୍ରମୁଖ ଲକ୍ଷ୍ୟ।

‘କଠିନ ସମୟ’ରୁ ବାହାରିଛି Vi: ବିର୍ଲା

ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ ତଥା Viର ନନ୍-ଏକ୍ଜିକ୍ୟୁଟିଭ୍ ଚେୟାରମ୍ୟାନ୍ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ, କମ୍ପାନୀ ତାହାର ‘ସବୁଠାରୁ ଚ୍ୟାଲେଞ୍ଜିଂ ବର୍ଷଗୁଡ଼ିକ’ରୁ ବାହାରି ଆସିଛି। ଆର୍ଥିକ ସ୍ଥିତିରେ ଅଧିକ ସ୍ପଷ୍ଟତା, ପ୍ରମୋଟରଙ୍କ ନିରନ୍ତର ସମର୍ଥନ ଓ ନିବେଶ କରିବାର ନୂଆ କ୍ଷମତା କମ୍ପାନୀକୁ ଆଗକୁ ବଢ଼ିବାର ସୁଯୋଗ ଦେଇଛି ବୋଲି ସେ କହିଛନ୍ତି।

ଦୀର୍ଘଦିନ ଧରି ଚାଲିଥିବା ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ (AGR) ବିବାଦର ସମାଧାନକୁ ମଧ୍ୟ କମ୍ପାନୀ ପାଇଁ ଏକ ବଡ଼ ଆର୍ଥିକ ରାହତ ଭାବେ ଦେଖାଯାଉଛି। ବିର୍ଲା କହିଛନ୍ତି, “FY26 ଥିଲା ସମାଧାନର ବର୍ଷ। FY27 ହେଉଛି କାର୍ଯ୍ୟାନ୍ୱୟନର ସମୟ।” ଆଗାମୀ ଦିନରେ ନେଟୱର୍କ ନିବେଶ ଯୋଜନାକୁ କାର୍ଯ୍ୟକାରୀ କରିବା, ବଜାରରେ ପ୍ରତିଯୋଗିତାମୂଳକ ସ୍ଥିତି ମଜବୁତ କରିବା ଏବଂ ଆର୍ଥିକ ସ୍ଥିତିର ସୁଧାରକୁ ଗ୍ରାହକ ଓ ଆୟ ବୃଦ୍ଧିରେ ପରିଣତ କରିବା Viର ପ୍ରମୁଖ ପ୍ରାଥମିକତା ହେବ।