ବେଙ୍ଗାଲୁରୁ: ବର୍ଷକୁ ପ୍ରାୟ ୨୦ ଲକ୍ଷ ଟଙ୍କା ଅଧିକ ଦରମା ମିଳିବାର ସୁଯୋଗ ଥିଲା। ପଦବୀ ବଢ଼ିଥାନ୍ତା, ଟିମ୍ ବଡ଼ ହୋଇଥାନ୍ତା ଏବଂ ବାର୍ଷିକ ପ୍ୟାକେଜ୍ ୬୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥାନ୍ତା। ତଥାପି ଏହି ପ୍ରମୋସନ୍କୁ ମନା କରିଦେଲେ ବେଙ୍ଗାଲୁରୁର ଜଣେ ୩୧ ବର୍ଷୀୟ ସଫ୍ଟୱେର ଡେଭଲପର। କାରଣ ଥିଲା ମାନସିକ ଶାନ୍ତି। ପରିବାର ସହ ଖୁସୀବାସୀର ଜୀବନ କାଟିବା। ବର୍ତ୍ତମାନ ସଫ୍ଟୱେୟାର ଇଞ୍ଜିନୟର ଜଣଙ୍କ ବର୍ଷକୁ ପ୍ରାୟ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯେତିକି ରୋଜଗାର କରୁଛନ୍ତି ସେତିକିରେ ସେ ଶାନ୍ତିରେ ଅଛନ୍ତି ବୋଲି ସେ କହିଛନ୍ତି। ବ୍ୟବସାୟ ପରାମର୍ଶଦାତା ସଂସ୍ଥା UAbilityର ପ୍ରତିଷ୍ଠାତା ରୋହନ ଧାୱନଙ୍କ LinkedIn ପୋଷ୍ଟ ମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିଛି।

ରୋହନଙ୍କ ଲିଙ୍କଡିନ ପୋଷ୍ଟ ଅନୁସାରେ, ପ୍ରମୋସନ୍ ପରେ ଡେଭଲପରଙ୍କ ଦରମା ୬୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥାନ୍ତା। ନୂଆ ପଦବୀ ସହିତ ବଡ଼ ଟିମ୍ର ଦାୟିତ୍ୱ ମିଳିଥାନ୍ତା। କିନ୍ତୁ ଏହା ସହ ତାଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଥାନ୍ତା।

ଧାୱନଙ୍କ ଅନୁସାରେ, ନୂଆ ଭୂମିକାରେ ତାଙ୍କୁ ଆମେରିକାରେ ଥିବା ସହକର୍ମୀଙ୍କ ସହ ନିୟମିତ ଭାବେ ବିଳମ୍ବିତ ରାତିରେ କଲ୍ କରିବାକୁ ପଡ଼ିଥାନ୍ତା। ସପ୍ତାହର ପ୍ରାୟ ୪ ଦିନ ଏଭଳି ରାତିରେ ମିଟିଂ ହେବାର ସମ୍ଭାବନା ଥିଲା।

ଏହାବ୍ୟତୀତ ଅଧିକ ଯାତ୍ରା କରିବା ସହ ପ୍ରାୟ ଦୁଇଗୁଣ ବଡ଼ ଟିମ୍କୁ ପରିଚାଳନା କରିବାର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିଥାନ୍ତା। ଫଳରେ ଅଫିସ୍ ସମୟ ଶେଷ ହେବା ପରେ ମଧ୍ୟ କାମରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବା କଷ୍ଟକର ହୋଇପାରିଥାନ୍ତା।

ପରିବାର ଓ ନିଜ ସମୟକୁ ଦେଲେ ପ୍ରାଥମିକତା

ପ୍ରମୋସନ୍ ନେବା କି ନନେବା, ଏହି ନିଷ୍ପତ୍ତି ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନେଇଥିଲେ। ଲିଙ୍କଡିନ ପୋଷ୍ଟ ଅନୁସାରେ ଡେଭଲପର ଓ ତାଙ୍କ ପତ୍ନୀ ଆସନ୍ତା ବର୍ଷ ସନ୍ତାନ ଯୋଜନା କରୁଛନ୍ତି। ଏହାସହ ସେ ନିୟମିତ ଭାବେ ଫିଟନେସ୍ ଉପରେ ଧ୍ୟାନ ଦେବା ସହ ସପ୍ତାହକୁ ୫ ଦିନ ସକାଳେ ଟ୍ରେନିଂ ନିଅନ୍ତି। ପ୍ରତି ସପ୍ତାହରେ ମାତାପିତାଙ୍କ ସହ ଏକାଠି ରାତ୍ରିଭୋଜନ କରିବା ମଧ୍ୟ ତାଙ୍କ ନିୟମିତ ଜୀବନର ଅଂଶ। ଯଦି ସେ ଏହି ଦାୟିତ୍ୱ ନେଇଥାନ୍ତେ, ତେବେ ହୁଏତ ଏସବୁ ମିସ କରିବାକୁ ପଡ଼ିଥାନ୍ତା।

ତେବେ ଏତେ ବଡ଼ ଦରମା ବୃଦ୍ଧିକୁ ସେ କାହିଁକି ପ୍ରତ୍ୟାଖ୍ୟାନ କଲେ, ତାଙ୍କ ବାପା କିନ୍ତୁ ବୁଝିପାରିନଥିଲେ। ଧାୱନଙ୍କ LinkedIn ପୋଷ୍ଟ ଅନୁସାରେ, ତାଙ୍କ ବାପା କହିଥିଲେ, “୨୦ ଲକ୍ଷ ଟଙ୍କା ଅଧିକ ମିଳୁଛି। ସମସ୍ୟା କ’ଣ? ଆଜିକାଲି ଲୋକେ ୧୦ ପ୍ରତିଶତ ବୃଦ୍ଧି ପାଇଁ ଚାକିରି ବଦଳାଇ ଦିଅନ୍ତି।” ଏହି ଘଟଣାକୁ ଉଲ୍ଲେଖ କରି ଧାୱନ କହିଛନ୍ତି ଯେ “ପ୍ରତ୍ୟେକ ଅଫର୍ ଲେଟର୍ ଆପଣଙ୍କୁ କେତେ ଟଙ୍କା ମିଳିବ ତାହା କହିଥାଏ। କିନ୍ତୁ ଏହା ପାଇଁ ଆପଣ କ’ଣ ହରାଇବେ, ସେକଥା କହି ନଥାଏ।” ପ୍ରତ୍ୟେକ ମଣିଷର ଜୀବନ ଜିଇଁବାର ଶୈଳୀ ଅଲଗା। କାହା ପାଇଁ କଣ ଗୁରୁତ୍ୱ ରଖେ, ତାହା ହିଁ ମୂଳ କଥା।