ପାଟଣା (24/10) : ଚାରିଆଡ଼େ ଧୂଆଁ... କାନଫଟା ଶବ୍ଦରେ ଥରିଉଠୁଥିଲା ପୂରା ଅଞ୍ଚଳ। ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଥିଲା । ଚାରି ଘଣ୍ଟା ଧରି ଚାଲିଥିଲା ଭୟଙ୍କର ବିସ୍ଫୋରଣ । ଆଉ ଏହି ଧ୍ୱଂସାବଶେଷ ଭିତରେ ଜୀବନର ସନ୍ଧାନ କରୁଥିଲେ ଉଦ୍ଧାରକାରୀ ଟିମ୍। କିଏ ଫସିଛି ? କିଏ ବଞ୍ଚିଛି? ପ୍ରତିଟି ମୁହୂର୍ତ୍ତ ଥିଲା ଆଶଙ୍କାରେ । ବିହାରର ସିୱାନରେ ବାଣ ବିସ୍ଫୋରଣ ପରେ ଏମିତି କିଛି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାଇ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ସିୱାନର ଜାମୋ ଥାନା ଅଞ୍ଚଳର ଆଲମପୁର ଗାଁରେ ବାଣ ତିଆରି ସମୟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ଯାହା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଓ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳ ଭୟରେ ଥରି ଉଠିଥିଲା। ଦୁର୍ଘଟଣା ପରେ ବି ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ମଝିରେ ମଝିରେ ବିସ୍ଫୋରଣ ଜାରି ରହିଥିଲା। ବିସ୍ଫୋରଣ ରାତି ପ୍ରାୟ 9 ଟା ପର୍ଯ୍ୟନ୍ତ ଜାରି ରହିଥିଲା, ଯାହା ଫଳରେ ଘଟଣାସ୍ଥଳରେ ତଦନ୍ତ ଏବଂ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଘର ଭିତରେ ଅନେକ ଲୋକ ଫସି ରହିଥିଲେ । ତଥାପି, ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲା।ଯାହା ଫଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦଳଗୁଡ଼ିକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ଏହି ବିସ୍ଫୋରଣରେ ମୋଟ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତଥାପି, ପ୍ରଶାସନିକ ସ୍ତରରେ ଏପର୍ଯ୍ୟନ୍ତ ତିନି ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରାଯାଇଛି ।

Also Read: ନିର୍ଦ୍ଧାରିତ ପେଟ୍ରୋଲିଂ ପଏଣ୍ଟରୁ ହଟିଲେ ଏଲ୍ଏସିରେ ସ୍ଥିତି ବିଗିଡ଼ିପାରେ: ଚୀନକୁ ଭାରତର ରୋକ୍‌ଠୋକ୍ ଜବାବ

ବିସ୍ଫୋରଣର ଶବ୍ଦରେ ଦୋହଲି ଯାଇଛି ସିୱାନ ଅଞ୍ଚଳ । ହଠାତ୍ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ପରେ ଅଞ୍ଚଳରେ ଖେଳିଯାଇଥିଲା ଆତଙ୍କ । ଚାରି ଘଣ୍ଟା ଧରି ଲଗାତାର ବାଣର ଧମାକା ଶୁଣିବା ପରେ ଲୋକଙ୍କ ମନରେ ବଢ଼ିଥିଲା ଆତଙ୍କ । ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଟିମ୍। ଭଙ୍ଗା କୋଠା ଓ ଧ୍ୱଂସାବଶେଷ ଭିତରେ କେହି ଫସି ରହିଛନ୍ତି କି? ଏହି ଆଶଙ୍କାରେ ଆରମ୍ଭ ହୋଇଥିଲା ଖୋଜାଖୋଜି। ପ୍ରତିଟି ଭଗ୍ନାବଶେଷ ତଳେ ଚାଲିଥିଲା ଜୀବନର ସନ୍ଧାନ । ତେବେ ଏହି ବିସ୍ଫୋରଣ କେମିତି ଘଟିଲା? ବାଣ ଗୋଦାମରେ ନିଆଁ ଲାଗିଥିଲା ନା ଏହାର ଅନ୍ୟ କିଛି କାରଣ ଥିଲା? କେତେ ଜଣଙ୍କ ଜୀବନ ଗଲା, କେତେ ଜଣ ଆହତ ହୋଇଛନ୍ତି ? ଏସବୁ ଦିଗକୁ ନେଇ ତଦନ୍ତ ଓ ଅଧିକ ତଥ୍ୟ ଆସିବା ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।