ଭୁବନେଶ୍ୱର ୨୫।୦୪ : ଦିନ ୧୧ଟାରୁ ୩ଟା, ଅସମ୍ଭାଳ ତାତି । ଛଟପଟ କରିଦେଉଛି ଏ ଗ୍ରୀଷ୍ମ ଜ୍ୱାଳା । ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ଗୋଡ଼ାଉଛି ତାତି ଆତଙ୍କ । ଉତ୍ତର ଓ ପଶ୍ଚିମ ଭାରତ ଭଳି ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ସର୍ବୋଚ୍ଚ ତାପମାତ୍ରା ଥିଲା ୪୫.୨ ଡିଗ୍ରୀ ସେଲସିୟସ୍ । ତା’ ପଛକୁ ଦ୍ୱିତୀୟରେ ଥିଲା ଓଡ଼ିଶାର ଝାରସୁଗୁଡ଼ା । ଏଠି ପାରଦ ଛୁଇଁଲା ୪୪.୮ ଡିଗ୍ରୀ । ୪୫ ଡିଗ୍ରୀ ମୁହାଁ ଝାରସୁଗୁଡ଼ା ଦାଉ ଦାଉ ହୋଇ ମଧ୍ୟ ଜଳୁଥିଲା । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ୬ଟି ସ୍ଥାନ ୪୩ ଡେଇଁଥିଲା । ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରୀ, ସମ୍ବଲପୁର ୪୩.୬, ହୀରାକୁଦ ୪୩.୪, ଅନୁଗୁଳ ୪୩.୧, ବଲାଙ୍ଗିର ୪୩ । ସୁନ୍ଦରଗଡ଼, ତାଳଚେର, ଭବାନୀପାଟଣା, ସୋନପୁର, ପାରଳାଖେମୁଣ୍ଡି, ନୂଆପଡ଼ା ତାପମାତ୍ରା ୪୨-୪୩ ଡିଗ୍ରୀ ଭିତରେ ରହିଥିଲା ।

ପଶ୍ଚିମରୁ ଉପକୂଳ ଚାରିଆଡ଼େ ନିଆଁ ମାଡ଼ ଭଳି ଗରମ ଲାଗି ରହିଛି । ସକାଳ ୯ଟାରୁ ଟାଏଁ ଟାଏଁ ଖରା । ୧୧ଟାବେଳକୁ ନିଆଁ ବର୍ଷୁଛି ଆକାଶରୁ । ୧୨ଟାବେଳକୁ ରାସ୍ତାଘାଟ ଖାଁ ଖାଁ । ଟ୍ରାଫିକ ଛକରେ ମିନିଟିଏ ଅଟକିଲେ ମୁଣ୍ଡ ଘାଇଁ ଘାଇଁ ହୋଇଯାଉଛି । ଲାଗୁଛି ପ୍ରାଣ ଛାଡ଼ିଯିବ । ଏମିତି ଝାଞ୍ଜି ମାଡ଼ ହେଉଛି, ଦେହ, ମୁହଁ ଜଳିଲା ଭଳି ଲାଗୁଛି । ଘରେ ବି ନିସ୍ତାର ନାହିଁ । ପଙ୍ଖା ପବନ କାଟୁ କରୁନି । ଛାତ, ଚଟାଣ, କାନ୍ଥ ତାତି ନିଆଁ । ଟ୍ୟାପ ଖୋଲିଲେ ତତଲା ପାଣି । ଅବସ୍ଥା ସଙ୍ଗୀନ ।

ପାଣିପାଗ ବିଭାଗ ଆକଳନ ଦେଖାଇଛି, ଦୁଇଦିନ ନିସ୍ତାର ନାହିଁ । ତା’ ପରେ ତାତି ପ୍ରକୋପ ଟିକିଏ କମିବ । ତାପମାତ୍ରା ଖସିପାରେ ୨-୪ ଡିଗ୍ରୀ ତଳକୁ । ନିୟମିତ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ହେବ । ମାତ୍ର ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା କମ୍ । ପାରଦ ଖସିଲେ ବି ବଡ଼ ଧରଣର ଆଶ୍ୱସ୍ତି ମିଳିବା ଆଶା କମ୍ ।

Also Read:-କେମିତି ଯୁଦ୍ଧ ଲଢ଼ୁଛନ୍ତି ୟୁକ୍ରେନୀୟ ସୈନିକ ? ୯୦ କେଜିରୁ ହୋଇଗଲେଣି ୫୦ କେଜି, ଲିକ୍ ହେଲା ଫଟୋ

ପୂର୍ବାନୁମାନ ଦେଖାଉଛି-୨୫ ତାରିଖରେ ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରହିପାରେ । ପଶ୍ଚିମରେ ପ୍ରାୟତଃ ୪୨ ଡିଗ୍ରୀ ପାଖାପାଖି ରହିବ । ଉପକୂଳରେ ୩୮-୪୦ ଡିଗ୍ରୀ ଭିତରେ ପାରଦ ରହିପାରେ । ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ପ୍ରକୋପ ଜାରି ରହିବ । ୨୬ ଓ ୨୭ରେ ପଶ୍ଚିମ ଓ ଆଭ୍ୟନ୍ତରୀଣରେ ସର୍ବାଧିକ ୪୨ ଡିଗ୍ରୀ ଓ ଉପକୂଳରେ ୩୮-୪୦ ଡିଗ୍ରୀ ଭିତରେ ରହିପାରେ । ୨୮ରେ ସାମାନ୍ୟ କମିପାରେ ।

ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଶନିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ଓ ୩୦-୪୦ କିମି ବେଗରେ ପବନ ହୋଇପାରେ । ୨୭ରୁ କାଳବୈଶାଖୀ ବଢ଼ିପାରେ। ଶୁକ୍ରବାର ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ଥିଲା। ଭୁବନେଶ୍ୱର ତାପମାତ୍ରା ୩୯.୪ ଡିଗ୍ରୀ ଥିବାବେଳେ କଟକ ୩୮.୪, ଚାନ୍ଦବାଲି ୩୮ ଥିଲା ।