ନୂଆଦିଲ୍ଲୀ : ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ୩ ଦିନିଆ ନେପାଳ ଗସ୍ତ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଦେଶର ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ । କିନ୍ତୁ ଦେଶର ନବନିଯୁକ୍ତ ପ୍ରଧନମନ୍ତ୍ରୀ ବାଲେନ ଶାହଙ୍କୁ ସେ ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ । ହେଲେ ବାଲେନ ଶାହ ତାଙ୍କୁ ସାକ୍ଷାତ କରିବେ ନାହିଁ ବୋଲି କୁହାଯାଉଛି। ଏହା ପୂର୍ବରୁ ବାଲେନ ଶାହ ଭାରତ ଆସିବେ ନାହିଁ ବୋଲି ସୂଚନା ମିଳିଥିଲା । ନେପାଳର ନୂଆ ପ୍ରଧାନମନ୍ତ୍ରୀ ଅତିକମରେ ଗୋଟିଏ ବର୍ଷ ବିଦେଶ ଯାତ୍ରା କରିବେ ନାହିଁ ବୋଲି ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଭାରତର ପଡ଼ୋଶୀ ଦେଶଗୁଡ଼ିକୁ ଗସ୍ତ ଜାରି ରଖିଛନ୍ତି। ବାଂଲାଦେଶ ଗସ୍ତ ପରେ ସେ ଏବେ ନେପାଳରେ ପହଞ୍ଚିଛନ୍ତି। ଗୁରୁବାର ସନ୍ଧ୍ୟାରେ ଗୋର୍ କାଠମାଣ୍ଡୁରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତକୁ ନେପାଳରେ ନବନିର୍ବାଚିତ ବାଲେନ୍ ଶାହ ସରକାରଙ୍କ ସହିତ ଆମେରିକାର ସମ୍ପର୍କକୁ ଉନ୍ନତ କରିବାର ପ୍ରୟାସ ଭାବରେ ଦେଖାଯାଉଛି। ଗୋର୍ ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ ଚୀନର ବଢ଼ୁଥିବା ଋଣ ଜାଲ ଉପରେ ବାରମ୍ବାର ଚିନ୍ତା ପ୍ରକାଶ କରିଛନ୍ତି।

କାଠମାଣ୍ଡୁରେ ତାଙ୍କର ତିନି ଦିନିଆ ଗସ୍ତ ସମୟରେ, ଗୋର୍ ଅନେକ ବରିଷ୍ଠ ନେପାଳୀ ନେତାଙ୍କ ସହ ସାକ୍ଷାତ କରିବେ। ସେ ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗଲେ, ବୈଦେଶିକ ମନ୍ତ୍ରୀ ଶିଶିର ଖାନଲ ଏବଂ ବୈଦେଶିକ ସଚିବ ଅମୃତ ବାହାଦୁର ରାୟଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଖବର ହବ୍ ରିପୋର୍ଟ କରିଛି ଯେ, ଗୋର୍ ପ୍ରଧାନମନ୍ତ୍ରୀ ବାଲେନ୍ ଶାହଙ୍କ ସହ ସାକ୍ଷାତ ପାଇଁ ଅନୁରୋଧ କରିଛନ୍ତି। ହେଲେ ସର୍ଗିଓ ଗୋରଙ୍କୁ ସାକ୍ଷାତ କରିବେ କି ନାହିଁ, ସେନେଇ ଶାହ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।

Also Read: ରାଜଧାନୀରେ ଦେହ ବେପାର ପାଇଁ ଡ଼ିଲ ! ୨ ନେପାଳୀ ଯୁବତୀ ଉଦ୍ଧାର, ପ୍ରଥମେ କୋଲକାତା ଓ ପରେ ଭୁବନେଶ୍ୱରରେ ବିକ୍ରି ପାଇଁ...

ଆମେରିକା ପାଖରୁ ଦୂରେଇ ରହୁଛନ୍ତି ଶାହ !

୨୦୨୬ ମାର୍ଚ୍ଚ ୨୭ ରେ ନେପାଳରେ ନ୍ୟାସନାଲ ଇଣ୍ଡିପେଣ୍ଡେଣ୍ଟ ପାର୍ଟି ନେତୃତ୍ୱରେ ସରକାର ଗଠନ ହୋଇଛି । ବାଲେନ ଶାହ ସରକାରଙ୍କ ନେତୃତ୍ୱ ନେଉଛନ୍ତି । ଶାହ ପ୍ରଧାନମନ୍ତ୍ରୀ ହେବା ପରେ ଗୋର ହେଉଛନ୍ତି ନେପାଳ ଗସ୍ତରେ ଯାଇଥିବା ଦ୍ବିତୀୟ ଶୀର୍ଷ ସ୍ତରୀୟ ଆମେରିକୀୟ ଅଧିକାରୀ। ନେପାଳରେ ପାରମ୍ପରିକ ଭାବରେ ପ୍ରଧାନମନ୍ତ୍ରୀଙ୍କ ବିଦେଶୀ କୂଟନୀତିଜ୍ଞଙ୍କ ସହ ସାକ୍ଷାତ କରିବାର ପରମ୍ପରା ରହିଛି, କିନ୍ତୁ ଶାହ ଏହି ଧାରା ପରିବର୍ତ୍ତନ କରୁଥିବା ପରି ମନେ ହେଉଛି।

ଗତମାସ ବାଲେନ ଶାହ ଆମେରିକାର ଜଣେ ଶୀର୍ଷ ସ୍ତରୀୟ ନେତା ସମୀର ପଲ କପୁରଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଥିଲେ । ଏପ୍ରିଲ ୨୦ରେ ସମୀର ପଲ ୩ ଦିନିଆ ନେପାଳ ଗସ୍ତ କରିଥିଲେ । ଏବେ ଯଦି ବାଲେନ ଶାହ, ଗୋରଙ୍କୁ ସାକ୍ଷାତ ନକରନ୍ତି, ତେବେ ସେ ଆମେରିକା ପାଖରୁ ଜାଣିଶୁଣି ଦୂରେଇ ରହୁଛନ୍ତି ବୋଲି ଚର୍ଚ୍ଚା ହେବା ସ୍ବାଭାବିକ ।

ଚାପ ପକାଉଛି ଆମେରିକା !

ରିପୋର୍ଟ ଅନୁସାରେ, ସର୍ଗିଓ ଗୋରଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା ଜୁରୁରୀ ବୋଲି ଆମେରିକା ବାଲେନ ଶାହଙ୍କ ଉପରେ ଆମେରିକା ଚାପ ପକାଉଛି । ଗୋରଙ୍କ ସହ ଆଲୋଚନା ହେଲେ ହିଁ, ନେପାଳରେ ଓ୍ବାଶିଂଟନର ହିତରେ କାର୍ଯ୍ୟ ହୋଇପାରିବ । ଗତ ସପ୍ତାହରେ ସର୍ଗିଓ ଗୋର ବାଂଲାଦେଶ, ଭୁଟାନ ଏବଂ ଶ୍ରୀଲଙ୍କ ଗସ୍ତ କରି ସେଠାକାର ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିସାରିଛନ୍ତି । ଭାରତର ପଡ଼ୋଶୀ ଦେଶରେ ଚୀନ୍ର ପ୍ରାଧାନ୍ୟ ହ୍ରାସ କରିବା ଲାଗି ଆମେରିକାର ଯୋଜାନ ମୁତାବକ ସର୍ଗିଓ ଗୋର ଏହି ସବୁ ଗସ୍ତ କରୁଛନ୍ତି । ଚୀନ୍ ନିଜର ପଡ଼ୋଶୀଙ୍କୁ ଋଣ ଜାଲରେ ଫସାଉଛି ଏବଂ ଏହା ଅନୁଚିତ ବୋଲି କହିସାରିଛନ୍ତି ସର୍ଗିଓ ଗୋର ।