ଭୁବନେଶ୍ୱର, ୨୪।୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ପୁଲିସର ସୁରକ୍ଷା ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କମିଶନରେଟ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମିଳିତ ଭାବେ ସୋମବାର କାରକେଡ୍ ରିହର୍ସାଲ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ‘ବ୍ଲୁ ବୁକ’ ଏସଓପି ନିୟମ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତବେଳେ ରାଜଧାନୀରେ ପ୍ରାୟ ୪୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ୨୦୦ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ରିଜର୍ଭ ପଡ଼ିଆରେ ଡିସିପି ଡ. ଶ୍ରବଣା ବିବେକ ଏମ୍. ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ସମସ୍ତ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନ ସାଢ଼େ ୧୨ଟାରେ ବିମାନବନ୍ଦର କାର୍ଗୋ ଗେଟ୍ ପଟୁ ରାଷ୍ଟ୍ରପତିଙ୍କ କାରକେଡ୍ ବାହାରି ଲୋକଭବନକୁ ଯାଇଥିଲା। ସେଠାରେ କିଛି ସମୟ ଧରି ସୁରକ୍ଷା ବ୍ୟବସ୍ଥା ତଦାରଖ ପରେ ଅପରାହ୍ଣ ୧ଟାରେ କାରକେଡ୍ କଟକ ବାଲିଯାତ୍ରା ପଡ଼ିଆ ଅଭିମୁଖେ ଯାଇଥିଲା। ଅପରାହ୍ଣ ୪ଟାରୁ ସେଠାରୁ କାରକେଡଟି ପୁଣି ଲୋକଭବନକୁ ଫେରିଥିଲା।

କାରକେଡରେ ପ୍ରାୟ ୧୮ଟି କାର୍ ଥିଲା। ଆଗରେ ଯାଉଥିବା ‘କାର୍’ ସାଇରନ ବଜାଇ ରାସ୍ତା କ୍ଲିଅର କରୁଥିଲା। ତା’ ପଛକୁ ପଛ ପାଇଲଟିଂ ଓ ଆଡଭାନ୍ସ ପାଇଲଟିଂ କାରରେ ରାଜ୍ୟ ପୁଲିସର ସଶସ୍ତ୍ର ସୁରକ୍ଷାକର୍ମୀମାନେ ବସିଥିଲେ। ଟେକନୋକ କାର୍ (ଜାମର) ପଛରେ ଥିବା ୩ଟି ଏସକର୍ଟରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦାୟିତ୍ଵରେ ଥିବା କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀ ତଥା ସ୍ପେଶାଲବ୍ରାଞ୍ଚ, ଗୁଇନ୍ଦା ସହ ପ୍ରେସିଡେଣ୍ଟସ ବଡିଗାର୍ଡ (ପିବିଜି) କମାଣ୍ଡୋ ଥିଲେ। ଏହା ମଝିରେ ରାଷ୍ଟ୍ରପତିଙ୍କ ଗାଡ଼ି ସହ ଏକ ‘ସେୟାର କାର’ ଯାଉଥିଲା। ଶେଷ ବେଳକୁ ଏସକର୍ଟ– ୩, ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଏକ ଗାଡ଼ି ଗଡ଼ୁଥିଲା। ରାଷ୍ଟ୍ରପତିଙ୍କ ସଚିବ, ପ୍ରଶାସନିକ ଅଧିକାରୀ, ପିଅନ, ଫଟୋଗ୍ରାଫରଙ୍କ ଯିବା ପାଇଁ ୨ଟି ଟ୍ରାଭେଲର ବ୍ୟବସ୍ଥା ହୋଇଛି।

Also Read :- Horoscope Today : ନଭେମ୍ବର ୨୪ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ରୁଟ୍ ଲାଇନିଂ, ଟ୍ରାଫିକ୍, କାରକେଡ୍, ପାର୍କି ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୪୫୦ ଟ୍ରାଫିକ୍ କନଷ୍ଟେବଳଙ୍କ ସହ ଅତିରିକ୍ତ ୯୬ ଟ୍ରାଫିକ୍ କର୍ମଚାରୀ ବିଭିନ୍ନ ଛକ, ଗଳକନ୍ଦିରେ ଟ୍ରାଫିକ୍ ପରିଚାଳନା କରିବେ। ଯେକୌଣସି ଅଘଟଣର ମୁକାବିଲା ୨ଟି ଲେଖାଏଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ (ଏସଟିୟୁ), ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍ (ଏସଟିଜି)କୁ ମଧ୍ୟ ସଜାଗ ରଖାଯିବ। ଭୁବନେଶ୍ୱର ବିମାନବନ୍ଦରକୁ ୪ ପ୍ଲାଟୁନ୍ ଫୋର୍ସ ଜଗିବ।