ପୁରୀ ୨୪।୧୧ :  ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଆଜି ଶେଷ ଦିବସ। ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଥାଏ। ଭୋର୍ ହେବା ଆଗରୁ ହିଁ ମହୋଦଧି କୂଳରେ ଜମିଛି ଭକ୍ତଙ୍କ ଭିଡ଼। ହାତରେ କଦଳୀ ପତ୍ରର ଡଙ୍ଗା, ସେଥିରେ ଫୁଲ, ଦୀପ, ପଇସା। ଆ କା ମା ବୈ ଧ୍ୱନିରେ ପ୍ରକମ୍ପିତ ହୋଇଛି ସାରା ମହୋଦଧି କୂଳ।

ତେବେ କେବଳ ମହୋଦଧି ନୁହେଁ, ପଞ୍ଚତୀର୍ଥ ପୁଷ୍କରିଣୀ ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ, ଶ୍ୱେତଗଙ୍ଗା ସହ ନରେନ୍ଦ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ସୂର୍ଯ୍ୟୋଦୟ ପୂର୍ବରୁ ବୁଡ଼ ପକାଇ ଭକ୍ତମାନେ ପୁଣ୍ୟ ଅର୍ଜନ କରିଛନ୍ତି। ଶ୍ରୀମନ୍ଦିରରେ ଆଜିର ସବୁଠୁ ବଡ଼ ଆକର୍ଷଣ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ। ମହାପ୍ରଭୁ ରତ୍ନସିଂହାସନରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Also Read:-ଆଜିଠୁ ଐତିହାସିକ କଟକ ବାଲିଯାତ୍ରା : ଉଦଘାଟନ କରିବେ ରାଷ୍ଟ୍ରପତି

ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକ ଠାରୁ ଛାୟା ପ୍ରଦ ବ୍ୟାରିକେଡ଼ରେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ, ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ଆଜି ପଞ୍ଚୁକର ଶେଷ ଦିନ। ମାସେ ଧରି ହବିଷ୍ୟ ବ୍ରତ ପାଳନ କରିଥିବା ହବିଷ୍ୟାଳୀ ମାନେ ଆଜି ବ୍ରତ ଉଦଯାପନ କରି ଘରକୁ ଫେରିବେ।