ଭୁବନେଶ୍ୱର ୨୪।୧୧ : ଆଜି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପର୍ବ। ଭୋର ସମୟରେ ନଦୀ, ପୋଖରୀ ଓ ସମୁଦ୍ର କୂଳରେ ଜଳୁଥିବା ଦୀପ ଏବଂ କାଗଜ କିମ୍ବା କଦଳୀ ପଟୁଆରେ ତିଆରି ଡଙ୍ଗା ଭସାଇବା ଦୃଶ୍ୟ ଆମ ଅତୀତର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇ ଦେଇଛି। ଆକାମାବୈ ଗୀତ ଭରିଦେଇଛି ଓଡ଼ିଆଙ୍କ ମନରେ ସାହସ ଓ ସମୃଦ୍ଧିର ଭାବନା ।

ମହୋଦଧି, ନଦୀ ଏବଂ ବିଭିନ୍ନ ଜଳାଶୟରେ ପ୍ରତିଟି ଓଡ଼ିଆ ପରିବାର ଡଙ୍ଗା ଭସାଇଛି । ପିଢି ପରେ ପିଢି ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତି ବଞ୍ଚାଇ ରଖିଛି । ପ୍ରାଚୀନ କାଳରେ କଳିଙ୍ଗ ବା ଉତ୍କଳର ସାଧବପୁଅମାନେ ବଡ଼ ବଡ଼ ବୋଇତ ଧରି ବଙ୍ଗୋପସାଗର ପାର ହୋଇ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ବାଲି ଭଳି ଦୂରଦୂରାନ୍ତ ଦେଶକୁ ଯାଇ ବାଣିଜ୍ୟ କରୁଥିଲେ। ଓଡ଼ିଶାରୁ ମସଲା, ବସ୍ତ୍ର, ହସ୍ତଶିଳ୍ପ ଓ ରତ୍ନପଥର ରପ୍ତାନି ହେଉଥିଲା ଏବଂ ବଦଳରେ ଧନ, ସମ୍ପଦ ଓ ନୂଆ ସାଂସ୍କୃତିକ ସମ୍ପର୍କ ଆସୁଥିଲା।

Also Read:-କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଲୋକାରଣ୍ୟ, ରାଜରାଜେଶ୍ୱର ବେଶ ଦର୍ଶନ ଦେବେ ମହାପ୍ରଭୁ

କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅନୁକୂଳ ପବନ ବହୁଥିବାରୁ ସାଧବମାନେ ଏହି ସମୟକୁ ଯାତ୍ରା ପାଇଁ ଶୁଭ ମାନୁଥିଲେ। ଆଜି ଯେତେବେଳେ ଓଡ଼ିଆ ଲୋକମାନେ ପାଣିରେ ଛୋଟ ଡଙ୍ଗା ଭସାନ୍ତି, ତାହା କେବଳ ଏକ ଧାର୍ମିକ ରୀତି ନୁହେଁ, ବରଂ ନିଜ ପୂର୍ବପୁରୁଷଙ୍କ ସାହସିକତାକୁ ସମ୍ମାନ ଜଣାଇବାର ଏକ ମାଧ୍ୟମ। ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।