କଟକ, ୨୪।୧୧ : ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଜମିବ ମୁକ୍ତାକାଶ ବାଣିଜ୍ୟର ମହାଆସର। ଗୁଞ୍ଜରିତ ହେବ ବୋଇତ ବନ୍ଦାଣର ଗାଥା। ଓଡ଼ିଆ ଜାତିର ନୌବାଣିଜ୍ୟ ଗୌରବ, ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ ଐତିହ୍ୟର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଚଳିତବର୍ଷର ବାଲିଯାତ୍ରାକୁ ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ।

ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠଦିନ ଧରି ମହାନଦୀ ପଠା ତଳପଡ଼ିଆ ଓ ଉପର ପଡ଼ିଆରେ ଏହି ମହାମେଳା ଅନୁଷ୍ଠିତ ହେବ । ପ୍ରାୟ ୬୦ ଏକର ଅଞ୍ଚଳରେ ମେଳାରେ ୧୮୦୦ରୁ ଅଧିକ ଷ୍ଟଲ୍ ଖୋଲିବ। ବାଲି ଯାତ୍ରା ଆୟୋଜନ ପାଇଁ ମୋଟ୍ ୧୭ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବାବେଳେ ରାଜ୍ୟ ସରକାର ୧୦ କୋଟି ଟଙ୍କା ଅନୁଦାନ ଦେବେ। ଚଳିତବର୍ଷ ୮ ଦିନରେ ପ୍ରାୟ ୮୦ ଲକ୍ଷ ଲୋକ ବାଲିଯାତ୍ରାକୁ ଆସିବେ ବୋଲି ଆକଳନ କରାଯାଉଛି। କାରବାର ୩୫୦ କୋଟି ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

ଏଥର ବାଲିଯାତ୍ରାରେ ଉପର ପଡ଼ିଆର ୧.୯୩ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୫୯୧ଟି ଷ୍ଟଲ୍ ପାଇଁ ବ୍ୟବସ୍ଥା ହୋଇଛି। ଏହି ପଡ଼ିଆକୁ ୧୧ଟି ବ୍ଲକରେ ବିଭକ୍ତ କରାଯାଇଛି। ଏଠାରେ ୧୨୦ଟି ଖାଦ୍ୟ ଷ୍ଟଲ, ୧୫ ହଜାର ବର୍ଗଫୁଟର ମନୋରଞ୍ଜନ ଜୋନ୍ ଓ ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ରହିବ। ତଳ ପଡ଼ିଆରେ ୧ ହଜାରରୁ ଅଧିକ ଷ୍ଟଲ୍ ରହିବ। ଓରମାସ୍ ପକ୍ଷରୁ ପ୍ରାୟ ୫୦୦ଟି ଷ୍ଟଲ୍ ଖୋଲାଯିବ। ଏଥିରେ ରାଜ୍ୟର ହସ୍ତତନ୍ତ, ହସ୍ତଶିଳ୍ପ, ଗ୍ରାମୀଣ ଉତ୍ପାଦ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି ହେବ।

ରାଷ୍ଟ୍ରପତିଙ୍କ ଗସ୍ତ ହେବ ଏଥର ବାଲିଯାତ୍ରାର ସବୁଠୁ ବଡ଼ ଆକର୍ଷଣ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘କଳିଙ୍ଗ ତରଙ୍ଗିଣୀ ବୋଟରେ ସିଲଭର ସିଟି ବୋଟ୍ କ୍ଲବରୁ ଗଡ଼ଗଡ଼ିଆ ଘାଟକୁ ଯିବେ ରାଷ୍ଟ୍ରପତି। ସାଙ୍ଗରେ ତାଙ୍କ ଝିଅ ଓ ସୁରକ୍ଷା ତଥା ଚିକିତ୍ସା ଦଳ ସମେତ ପ୍ରାୟ ୧୫ ଜଣ ସେହି ବୋଟରେ ରହିବେ। ରାଷ୍ଟ୍ରପତିଙ୍କ ବୋଟକୁ ସାତଟି ସୁରକ୍ଷା ବୋଟ୍ ଘେରି ରହିବ । ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ପକ୍ଷରୁ ମଧ୍ୟ ଜଳପଥରେ ସୁରକ୍ଷା ବ୍ୟବସ୍ଥା କରାଯିବ।

ବାଲିଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରଥମେ ‘କଟକ ଇନ୍ କଟକ' ପ୍ୟାଭିଲିୟନ୍ ଉଦଘାଟନ କରିବେ। ଏହାପରେ ଓରମାସ୍ ଷ୍ଟଲ୍ ପରିଦର୍ଶନ କରିବା ସହ ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟ ଉଦଘାଟନୀ ସମାରୋହରେ ଯୋଗ ଦେବେ। ଏହି ସମାରୋହରେ ରାଜ୍ୟପାଳ ବ୍ରଜମୋହନ ରାମ୍ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେବେ।

ଏଥର ବାଲିଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ ‘କଟକ ଇନ୍ କଟକ' ପ୍ୟାଭିଲିୟନ୍। ଏଠାରେ ପ୍ରାଚୀନ କଳିଙ୍ଗ, ଇଣ୍ଡୋନେସିଆ ଓ ବାଲି ଦ୍ଵୀପ ମଧ୍ୟରେ ଥିବା ଐତିହାସିକ, ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କକୁ ଜୀବନ୍ତ ଭାବେ ପ୍ରଦର୍ଶିତ କରାଯିବ। ଇଣ୍ଡୋନେସିଆର ଏକ ପ୍ରତିନିଧ ଦଳ ମଧ୍ୟ ଏଥର ବାଲିଯାତ୍ରାରେ ଯୋଗ ଦେବେ।

Also Read :- ଆଜି ଆସିବେ ରାଷ୍ଟ୍ରପତି, ରାଜଧାନୀକୁ ଜଗିବେ ୪୮ ପ୍ଲାଟୁନ୍ ଫୋର୍ସ

ବାଲିଯାତ୍ରାର ସାଂସ୍କୃତିକ ମଞ୍ଚରେ ମଧ୍ୟ ଏଥର ଜମିବ ମନୋରଞ୍ଜନର ଆସର । ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାଜ୍ୟ ଓ ଜାତୀୟ ସ୍ତରର କଳାକାରମାନେ ପରିବେଷଣ କରିବେ । ନଭେମ୍ବର ୨୬ରେ ବଲିଉଡ୍ କଣ୍ଠଶିଳ୍ପୀ ପାପୋନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି।

କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୪୦୦ ପୁଲିସ ଅଧିକାରୀ ମୁତୟନ ହେବେ। ପଡ଼ିଆରେ ୩୮ଟି ୱାଚ୍ ଟାୱାର, ୩୮ଟି ପୁଲିସ ସହାୟତା କେନ୍ଦ୍ର, ୧୨୦୦ ସିସିଟିଭି କ୍ୟାମେରା ଓ ୧୦୦ଟି କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ କ୍ୟାମେରା ଲଗାଯିବ। ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ପରିଧିକୁ ଡ୍ରୋନ୍ ନିଷିଦ୍ଧ ଅଞ୍ଚଳ ଭାବେ ମଧ୍ୟ ଘୋଷଣା କରାଯାଇଛି।