ପ୍ୟାରିସ, ୨୬/୧୦ : ଫ୍ରାନ୍ସରେ ଦରଦାମ ବୃଦ୍ଧି, ଦୈନନ୍ଦିନ ଖର୍ଚ୍ଚ ବଢ଼ିବା, ସ୍କୁଲ ଗୁଡ଼ିକର ଶୋଚନୀୟ ଅବସ୍ଥା, ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଶନିବାର ଲକ୍ଷାଧକ ଲୋକେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି। ପ୍ୟାରିସ ସମେତ ଅନେକ ସହରରେ ବିକ୍ଷୋଭକାରୀ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ବେଳେ ପୁଲିସ ସହ ଆନ୍ଦୋଳନକାରୀଙ୍କ ସଂଘର୍ଷ ହୋଇଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ବ୍ୟାରିକେଡ ଜାଳି ଦେଇଥିଲେ। ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ଏଥିସହ ୧,୩୦୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି।

Also Read :- ପଶ୍ଚିମ ଏସିୟା ଉତ୍ତେଜନା ଯୋଗୁ ୧୨୦ ଡଲାର ପାଖାପାଖି ହେଲା କ୍ରୁଡ, ଦେଶରେ ବଢିବ କି ତୈଳ ଦର?

ସରକାରୀ ତଥ୍ୟ ଅନୁସାରେ ବିକ୍ଷୋଭରେ ୪ ଲକ୍ଷରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ ସାମିଲ ହୋଇଥିଲେ। ତେବେ ଟ୍ରେଡ୍ ୟୁନିୟନ ପକ୍ଷରୁ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବିକ୍ଷୋଭକୁ ଓହ୍ଲାଇଥିବା ଦାବି କରାଯାଇଛି। ବିକ୍ଷୋଭ ଯେପରି ହିଂସାର ରୂପ ନ ନିଏ ସେଥିଲାଗି ୭୦ ହଜାରରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା । କେତେକ ସହରରେ କଟକଣା ମଧ୍ୟ ଜାରି କରାଯାଇଥିଲା। ବିକ୍ଷୋଭକାରୀଙ୍କ ସହ ସଂଘର୍ଷରେ ଅନ୍ୟୁନ ୫୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ତେବେ ପୂର୍ବ ବିକ୍ଷୋଭ ତୁଳନାରେ ଏଥର ବ୍ୟାପକ ସ୍ତରରେ ହିଂସା, ଲୁଟ୍ପାଟ ରୋକିବାରେ ପୁଲିସ ସଫଳ ହୋଇଥିବା ସରକାରୀ ଭାବେ କୁହାଯାଇଛି।

ଗତ ସେପ୍ଟେମ୍ବରରେ ଏକ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ବିକ୍ଷୋଭରୁ ଫ୍ରାନ୍ସରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସ୍କୁଲରେ ଶିକ୍ଷକ ଅଭାବ, ସ୍କୁଲ ଗୃହର ଦୁରାବସ୍ଥା, ପର୍ଯ୍ୟାପ୍ତ ଶ୍ରେଣୀଗୃହର ଅଭାବ, ଛାତରୁ ପାଣି ଗଳିବା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନ ରହିବା ବିରୋଧରେ ବିକ୍ଷୋଭହୋଇଥିଲା। ପରେ ଏହି ଆନ୍ଦୋଳନରେ

ଶିକ୍ଷକ, ଅଭିଭାବକ, ଟ୍ରେଡ୍ ୟୁନିୟନ ବି ସାମିଲ ହୋଇଥିଲେ। ବିକ୍ଷୋଭରେ ସ୍କୁଲ ପ୍ରସଙ୍ଗଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ଏବଂ ସରକାରଙ୍କ କଠୋର ପୁଲିସ ବ୍ୟବସ୍ଥା ପ୍ରସଙ୍ଗ ଉଠିଥିଲା। ଲୋକଙ୍କ ଦାବି ଉପରେ ଆଲୋଚନା କରିବା ବଦଳରେ ଇମାନୁଏଲ ମାକ୍ରନଙ୍କ ସରକାର ପୁଲିସ ବଳ ଦ୍ୱାରା ବିକ୍ଷୋଭକୁ ଦମନ କରିବାକୁ ଚାହୁଁ ଥିବା ଅଭିଯୋଗ ଆଣିଛନ୍ତି।

ଗତ ସପ୍ତାହରେ ଫ୍ରାନ୍ସରେ ହୋଇଥିବା ବିକ୍ଷୋଭରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। ପୁଲିସ ୨,୭୦୦ରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା । ଏଥର ବିକ୍ଷୋଭରେ ମଧ୍ୟ ଏଭଳି ହିଂସର ପୁନରାବୃତ୍ତି ହେବାର ଆଶଙ୍କା ରହିଥିଲା I ତେବେ ସରକାର ବ୍ୟାପକ ପୁଲିସ ଏବଂ ସୁରକ୍ଷାକର୍ମୀ ମୁତୟନ କରି ତାହାକୁ ରୋକିଛନ୍ତି। ୟୁରୋପର ଅନ୍ୟ ଦେଶରେ ବି ଫ୍ରାନ୍ସ ବିକ୍ଷୋଭର ପ୍ରଭାବ ଦେଖିବାକୁ ମିଳିଛି। ଇଟାଲୀର ମିଲନ ସହରରେ ପୁଲିସ ଏବଂ ସୈନ୍ୟ ମିଶି ବିକ୍ଷୋଭକାରୀଙ୍କୁ ଏକତ୍ର ହେବାରୁ ରୋକିଛନ୍ତି। ଆଲବାନିଆର ତିରାନାରେ ପୁଲିସ ହଜାର ହଜାର ସରକାର ବିରୋଧୀ ବିକ୍ଷୋଭକାରୀଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରି ଘଉଡ଼ାଇଛି। ବେଲଜିୟମ ରାଜଧାନୀ ବ୍ରସେକ୍ସରେ ବିକ୍ଷୋଭକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି ।