ପାଟନା: ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ ବାପୁ ସଭାଗାରରେ କହିଛନ୍ତି, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ହରିୟାଣାର ସରକାର ହେଉଛି ଚୋରି ସରକାର। ଏହା ଭୋଟ୍ ଚୋରିର ସରକାର। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି। ଏହି ସମୟରେ ସଭାସ୍ଥଳରୁ ଜଣେ ବ୍ୟକ୍ତି କହିଛନ୍ତି, ମୋଦୀ କେବେ ଯିବେ ନାହିଁ। ଏହା ଉପରେ ଖଡ଼ଗେ ଗର୍ଜନ କରି ଜବାବ ଦେଇଛନ୍ତି, ମୋଦୀଙ୍କ ବାପା ବି ଯିବେ। ତାଙ୍କର ଏହି ବୟାନ ପରେ ସଭାସ୍ଥଳରେ କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେ କହିଛନ୍ତି, ଦରଦାମ ବୃଦ୍ଧି ଚରମରେ ରହିଛି। ପିଆଜ ମହଙ୍ଗା ହୋଇ ରହିଛି। ଗରିବ ଲୋକଟିଏ ରୁଟି ଡାଲି ଖାଏ। ଡାଲି ନ ହେଲେ ପିଆଜ ରୁଟି ଖାଇଥାଏ। ପିଆଜ ତ ମହଙ୍ଗା, ସାଧାରଣ ଲୋକଟି କଣ ଖାଇବ ? ଏ ମୋଦୀ ଲୋକଙ୍କ ଜୀବନ ମୁସ୍କିଲ କରି ଦେଇଛି। ସଂସଦର ଅଧିବେଶନ ଚାଲିଲେ, ମୋଦୀ ଏବଂ ଶାହ ଡରି କି ଭିତରକୁ ଆସୁ ନାହାନ୍ତି। ଏ ଲୋକ କେବଳ ରାହୁଲ ରାହୁଲ ରାହୁଲ ଜପୁଛନ୍ତି। ଲାଗୁଛି ଏମାନଙ୍କ ସ୍ଵପ୍ନରେ ରାହୁଲ ଗାନ୍ଧୀ ଆସୁଛନ୍ତି।

Also Read: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବ ‘ଜନ ନୀତି ଭାରତ’

ଖଡ଼ଗେ କହିଛନ୍ତି ଦେଶରେ ଯେତେ ଜ୍ୟୋତିର୍ଲିଙ୍ଗ ରହିଛି, ସେଥିରୁ ଗୋଟିଏ ଲିଙ୍ଗରୁ ମୁଁ ଆସିଛି। ଶ୍ରୀକୃଷ୍ଣ ସିଂ ଜୀଙ୍କୁ ତାଙ୍କର ୧୩୯ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିହାରରେ ଜମିଦାରୀ ପ୍ରଥାକୁ ଶ୍ରୀକୃଷ୍ଣ ସିଂ ସମାପ୍ତ କରିଛନ୍ତି। ଲ୍ୟାଣ୍ଡ ରିଫର୍ମ ପାଇଁ ବଡ଼ କାମ ଶ୍ରୀକୃଷ୍ଣ ସିଂ କରିଛନ୍ତି। ସେ ଭୂମିହାର ଜାତିରୁ ଆସିଥିଲେ। ତାଙ୍କ ଜାତିର ଲୋକ ଜମିଦାର ଥିଲେ। ଏହା ସତ୍ତ୍ଵେ ସେ ଜମିଦାର ପ୍ରଥା ହଟାଇଥିଲେ।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ବିହାରର ମୌଳିକ ସୁବିଧା ଏବଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବହୁତ କାମ କରାଯାଇଥିଲା। ଶ୍ରୀକୃଷ୍ଣ ସିଂ କାର୍ଯ୍ୟକାଳରେ ବିହାରରେ କାରଖାନା ଏବଂ ଶିଳ୍ପ ପ୍ରତିଷ୍ଠିତ ହୋଇଥିଲା। ଯେତେବେଳେ RSS ଏବଂ ଅନ୍ୟାନ୍ୟ ଶକ୍ତି ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ, ଶ୍ରୀ ବାବୁ ସେମାନଙ୍କୁ ଦୃଢ଼ ଭାବରେ ମୁକାବିଲା କରିଥିଲେ। ଶ୍ରୀ ବାବୁ ଅସ୍ପୃଶ୍ୟତା ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଦଳିତମାନଙ୍କୁ ବାବା ବୈଦ୍ୟନାଥ ଧାମରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା, କିନ୍ତୁ ଶ୍ରୀ ବାବୁ ସେମାନଙ୍କର ପ୍ରବେଶକୁ ସୁରକ୍ଷିତ କରିଥିଲେ।

ଖଡ଼ଗେ କହିଛନ୍ତି ଯେ ଅସ୍ପୃଶ୍ୟତା ମାନସିକତା ଥିବା ଲୋକମାନେ ଏବେ ବି RSS ଏବଂ BJPରେ ଭର୍ତ୍ତି ଅଛନ୍ତି। ଯେପର୍ଯ୍ୟନ୍ତ RSS ଦୂର ନହୁଏ, ସେପର୍ଯ୍ୟନ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।