Security guard viral Launch video: ବର୍ତ୍ତମାନର ମହଙ୍ଗା ସମୟରେ ସାଧାରଣ ହୋଟେଲରେ ଗୋଟେ ମିଲର ଦାମ ୧୦୦ ଟଙ୍କାରୁ କମ୍ ନାହିଁ। ସେଥିରେ ଯଦି ଦ୍ୱିତୀୟ ଥର ଭାତ କି ତରକାରୀ ନେଲ ସେଥିପାଇଁ ବି ୩୦-୪୦ ଦେବାକୁ ପଡ଼ୁଛି। ଏଭଳି ସମୟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ମାତ୍ର ୧୦ ଟଙ୍କାରେ ମିଳୁଥିବା ପୁଷ୍ଟିକର ମଧ୍ୟାହ୍ନ ଭୋଜନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସିକ୍ୟୁରିଟି ଗାର୍ଡ ଜଣଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରିବାମାତ୍ରେ ଏଥିରେ ଲକ୍ଷାଧିକ ଭ୍ୟୁ ମିଳିବା ସହ ଇଣ୍ଟରନେଟ୍‌ରେ ଖୁବ୍ ଭାଇରାଲ ହୋଇଛି।

ଏହି ଭିଡିଓଟି ସିକ୍ୟୁରିଟି ଗାର୍ଡ ଆନନ୍ଦ କୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ସେ ନିଜ କମ୍ପାନୀ ପକ୍ଷରୁ ମିଳୁଥିବା ମଧ୍ୟାହ୍ନ ଭୋଜନର ଝଲକ ଦେଖାଇଛନ୍ତି। କୌଣସି ଆଡ଼ମ୍ବରପୂର୍ଣ୍ଣ ଉପସ୍ଥାପନା ନକରି ସେ ଧୀରେ ଧୀରେ ନିଜ ଲଞ୍ଚ ବକ୍ସ ଖୋଲି ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଦେଖାଇଥିଲେ। ତାଙ୍କର ୧୦ ଟଙ୍କିଆ ମିଲ୍‌ରେ ଥିଲା ଖସା ପାମ୍ପଡ଼, କଲରା ଭଜା, ସୋୟାବିନ୍ ତରକାରୀ, ଭାତ, ଡାଲି ଏବଂ ଖଣ୍ଡେ ପିଆଜ।

ଭିଡିଓର ସବୁଠୁ ବଡ଼ ଆକର୍ଷଣ ଥିଲା ମାତ୍ର ୧୦ ଟଙ୍କାରେ ଏତେ ପ୍ରକାରର ଖାଦ୍ୟ ମିଳିବା। ତାଙ୍କ କମ୍ପାନୀ କର୍ମଚାରୀମାନଙ୍କୁ ଏତେ କମ୍ ଦାମରେ ଏହି ଭୋଜନ ଯୋଗାଇ ଦେଉଛି, ଏହା ଦେଖି ଲୋକ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଭିଡିଓଟି ଇନଷ୍ଟାଗ୍ରାମରେ ୨.୮୫ ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏତେ କମ୍ ମୂଲ୍ୟରେ ଏତେ ଭଲ ଓ ଘରୋଇ ଶୈଳୀର ଖାଇବା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
Also Read- ପାଦ ଛୁଇଁ ପ୍ରଣାମ କଲେ ଜ୍ବାଇଁ, ହାତ ଧରି ପକାଇଲେ ଶାଶୂ; ଅନ୍ତିମ ସଂସ୍କାର ପୂର୍ବରୁ ଜୀଁ ଉଠିଲେ

ଭିଡିଓର ସରଳତା ମଧ୍ୟ ଲୋକଙ୍କୁ ବେଶ୍ ପ୍ରଭାବିତ କରିଛି। କୌଣସି ନାଟକୀୟ ଅଭିନୟ କିମ୍ବା ଆକର୍ଷଣୀୟ ଏଡିଟିଂ ବିନା ଆନନ୍ଦ କୁମାର ଯେଉଁଭଳି ସ୍ୱାଭାବିକ ଭାବରେ ନିଜ ଭୋଜନ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି, ତାହା ଦର୍ଶକଙ୍କ ହୃଦୟ ଛୁଇଁଛି। ଅନେକ ଲୋକ ଭିଡିଓରେ କମେଣ୍ଟ ବି ଦେଇଛନ୍ତି। କିଛି କହିଛନ୍ତି ଯେଏହି ଭିଡିଓ କେବଳ ୧୦ ଟଙ୍କାର ଭୋଜନର କାହାଣୀ ନୁହେଁ, ବରଂ ସମ୍ମାନ, କୃତଜ୍ଞତା ଏବଂ କଠିନ ପରିଶ୍ରମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ପୁଷ୍ଟିକର ଭୋଜନର ଗୁରୁତ୍ୱକୁ ପ୍ରକାଶ କରୁଛି। ଦୀର୍ଘ ସମୟ କାମ କରିବା ପରେ ଏଭଳି ଏକ ସାଧାରଣ କିନ୍ତୁ ପେଟଭରା ଭୋଜନ ଯେ କେତେ ବଡ଼ ଆଶ୍ୱସ୍ତି ଦେଇପାରେ, ସେହି ବାର୍ତ୍ତା ଏହି ଭିଡିଓ ମାଧ୍ୟମରେ ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚିଛି।