ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଏଥର ତାଙ୍କ ପୁଅ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ବାପାଙ୍କ ସୁରକ୍ଷା ବ୍ୟବସ୍ଥା ହଠାତ୍ ହଟାଇ ଦିଆଯାଇ ନଥିଲା, ବରଂ ଏହା ପଛରେ ଉଦ୍ଦେଶ୍ୟ ଥିଲା ତାଙ୍କୁ ହତ୍ୟା କରାଇବା। ଏହା କୌଣସି ଦୁର୍ଘଟଣା ନଥିଲା ବରଂ ଜାଣିଶୁଣି ଏପରି କରାଯାଇଥିଲା ବୋଲି ରାହୁଲ କହିଛନ୍ତି।

ନିଜ ମାଆ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ନୂଆ ଭିଡିଓରେ ଆଲୋଚନା କରିବା ସମୟରେ ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ Belonging: A Journey of Loveରେ ସ୍ଥାନ ପାଇନଥିବା କିଛି ପୁରୁଣା ଘଟଣା ଓ ପାରିବାରିକ ଅନୁଭୂତିକୁ ନେଇ ଏହି ଆଲୋଚନା ହୋଇଛି। ରାଜୀବ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ସେତେବେଳେ ପରିବାର ମଧ୍ୟରେ କେତେ ଚିନ୍ତା ଥିଲା, ତାହା ମଧ୍ୟ ଏଥିରେ ସାମ୍ନାକୁ ଆସିଛି।

Also Read: ‘ହାତକଡ଼ି ପିନ୍ଧାଇ ଆତଙ୍କବାଦୀ ପରି ହିଁ ଅଣାଯିବ’, ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ଉପରେ ବାଂଲାଦେଶର ଜବାବ

ବିହାର ଗସ୍ତରେ ଆକ୍ରମଣ ଉଦ୍ୟମ

ଆଲୋଚନା ସମୟରେ ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀଙ୍କ ଏକ ବିହାର ଗସ୍ତର ଘଟଣା ମନେ ପକାଇଥିଲେ। ସେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ନଥିଲେ ଏବଂ ବିରୋଧୀ ଦଳର ନେତା ଭାବେ ନିର୍ବାଚନ ପ୍ରଚାର କରୁଥିଲେ। ଏହି ଗସ୍ତ ସମୟରେ ସେ ଏକ ଖୋଲା ଜିପ୍‌ରେ ଯାଉଥିବା ବେଳେ ତାଙ୍କ ଉପରକୁ ପଥର ଓ ଢେଲା ମାଡ଼ ହୋଇଥିଲା ବୋଲି ସୋନିଆ କହିଛନ୍ତି।

ତାଙ୍କ କହିବା ଅନୁସାରେ, ବିରୋଧୀ ଦଳ କିମ୍ବା ବିଜେପି ଶାସିତ ରାଜ୍ୟରେ ଗସ୍ତ ସମୟରେ ରାଜୀବଙ୍କ ସୁରକ୍ଷାକୁ ନେଇ ସେତେଟା ଗୁରୁତ୍ୱ ଦିଆଯାଉନଥିଲା। ଏହି ଘଟଣା ପରେ ପରିବାରରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ିଯାଇଥିଲା।

ରାହୁଲ ମଧ୍ୟ ସେହି ଗସ୍ତରେ ନିଜ ବାପାଙ୍କ ସହ ଥିଲେ। ଘଟଣା ପରେ ସେ ମାଆଙ୍କୁ କହିଥିଲେ, ଯଦି ବାପାଙ୍କ ସୁରକ୍ଷା ପାଇଁ ତୁରନ୍ତ କିଛି କରାନଯାଏ, ତେବେ ଖୁବ୍‌ଶୀଘ୍ର ତାଙ୍କୁ ବାପାଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଭାରତ ଫେରିବାକୁ ପଡ଼ିପାରେ। ଏହି କଥା ଆଜି ମଧ୍ୟ ତାଙ୍କ ମନରେ ରହିଥିବା ରାହୁଲ କହିଛନ୍ତି।

ଏହା ଦୁର୍ଘଟଣା ନଥିଲା

ରାହୁଲ ଗାନ୍ଧୀ କହିଛନ୍ତି, ବାପାଙ୍କ ସୁରକ୍ଷାକୁ ନେଇ ସେ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏପରିକି ରାଜୀବ ଗାନ୍ଧୀଙ୍କ ସହ ଏହି ପ୍ରସଙ୍ଗରେ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ରାହୁଲଙ୍କ କହିବା ଅନୁସାରେ, ସେତେବେଳେ ତାଙ୍କ ମତ ସ୍ପଷ୍ଟ ଥିଲା ଯେ ବାପାଙ୍କ ସୁରକ୍ଷା ହଟାଇବା ପଛରେ ଏକ ଉଦ୍ଦେଶ୍ୟ ଥିଲା।

Also Read: ସମାଜବାଦୀ ପାର୍ଟିର ୨୬ ଆସନ ଅଫର୍ ଉପରେ ନିଆଁବାଣ କଂଗ୍ରେସ, ସାଂସଦ କହିଲେ-ଭିକ ମାଗୁନୁ

ସେ କହିଛନ୍ତି, ବାପାଙ୍କ ସୁରକ୍ଷା ହଟାଇବା କେବଳ ଏକ ଭୁଲ୍ ନିଷ୍ପତ୍ତି ନଥିଲା। ତାଙ୍କୁ ହତ୍ୟା କରିବା ପାଇଁ ଜାଣିଶୁଣି ଏପରି ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଏହି ଅଭିଯୋଗ ମାଧ୍ୟମରେ ରାହୁଲ ସେତେବେଳର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହା ରାହୁଲଙ୍କ ବ୍ୟକ୍ତିଗତ ଅଭିଯୋଗ, ଏହାକୁ ପ୍ରମାଣିତ ତଥ୍ୟ ଭାବେ ଗ୍ରହଣ କରାଯାଇପାରିବ ନାହିଁ।

ଇନ୍ଦିରାଙ୍କ ହତ୍ୟା ପରେ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ ସୋନିଆ

୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସୋନିଆ ଗାନ୍ଧୀ ନିଜ ସ୍ୱାମୀଙ୍କ ସୁରକ୍ଷାକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଘଟଣାକୁ ମନେ ପକାଇ କହିଛନ୍ତି ଯେ, ତାଙ୍କ ମାଆ ଘରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିଲେ। ଏପରିକି ଘର ଚାରିପାଖରେ ଲାଗିଥିବା ତାରବାଡ଼ ଓ ସୁରକ୍ଷାକର୍ମୀଙ୍କ ଉପରେ ମଧ୍ୟ ନଜର ରଖୁଥିଲେ। ପ୍ରିୟଙ୍କା କହିଛନ୍ତି, ବାପା ଘରକୁ ଫେରିବା ପର୍ଯ୍ୟନ୍ତ ସେ ଅନେକ ସମୟରେ ଶୋଇପାରୁନଥିଲେ। ରାହୁଲଙ୍କ ଚିନ୍ତା ଥିଲା ଯୁକ୍ତି ଓ ଘଟଣା ଉପରେ ଆଧାରିତ, କିନ୍ତୁ ତାଙ୍କ ନିଜ ପ୍ରତିକ୍ରିୟା ଥିଲା ଭାବପ୍ରବଣତାରେ ଭରା ବୋଲି ପ୍ରିୟଙ୍କା କହିଛନ୍ତି।

୧୯୯୧ରେ ହୋଇଥିଲା ରାଜୀବ ଗାନ୍ଧୀଙ୍କ ହତ୍ୟା

ସୂଚନାଯୋଗ୍ୟ, ୧୯୮୯ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ରାଜୀବ ଗାନ୍ଧୀ କ୍ଷମତାରୁ ହଟିଥିଲେ। ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିବାଦ ଓ ଚର୍ଚ୍ଚା ହୋଇଥିଲା। ୧୯୯୧ ମେ' ୨୧ ତାରିଖରେ ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରଠାରେ ନିର୍ବାଚନ ପ୍ରଚାର ସମୟରେ ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା।

 

 

                                                                                                                   ​​​​​​​