ନୂଆଦିଲ୍ଲୀ:  ଡାକ୍ତର ମୃତ ବୋଲି ଘୋଷଣା କରିସାରିଥିଲେ । ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିଲେ । କିନ୍ତୁ ହଠାତ ଜିଇଁ ଉଠିଲେ ମହିଳା । ଅର୍ଥାତ, ମୃତ୍ୟୁ ହେବାର ୧୭ ଘଣ୍ଟା ପରେ ଜୀବନ ଫେରିପାଇଲେ ଜଣେ ୬୫ ବର୍ଷୀୟା ମହିଳା । ତାଙ୍କୁ ଘରକୁ ଫେରାଇ ଆଣିବା ପରେ, ​‌ତାଙ୍କ ଶରୀରରେ ହଲଚଲ ହୋଇଥିଲା । ସେ ପାଖରେ ବସିଥିବା ନିଜ ଜ୍ବାଇଁଙ୍କ ହାତକୁ ଜାବୁଡ଼ି ଧରିଥିଲେ । ଏହା ପରେ କାନ୍ଦ ବୋବାଳି ପଡ଼ିଥିବା ଘରେ ହଠାତ ନୀରବତା ଛାଇଯାଇଥିଲା । କେହି କିଛି ବୁଝିପାରି ନଥିଲେ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଏହା କେମିତି ସମ୍ଭବ ?

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ଏବଂ ଅନ୍ତିମ ସଂସ୍କାର ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ୬୫ ବର୍ଷୀୟା ମହିଳା ପୁଣି ଜୀବିତ ହୋଇଉଠିଛନ୍ତି। ଘଟଣାଟି ଆଗ୍ରାର ଟ୍ରାନ୍ସ ଯମୁନା ଥାନା ଅନ୍ତର୍ଗତ ଶ୍ରୀନଗର କୋଲୋନୀର। ଏଠାରେ ରହୁଥିବା ୬୫ ବର୍ଷୀୟା ଶୀଲା ଦେବୀ ଦୀର୍ଘ ଦିନ ଧରି ଲିଭର (ଯକୃତ) ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ।

ପ୍ରାୟ ଦେଢ଼ ମାସ ପୂର୍ବରୁ ସେ ନିଜ ପୁଅ ସଞ୍ଜୀବ ମାହୋରଙ୍କ ପାଖକୁ ବଦାୟୁଁ ଯାଇଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୋମବାର ଦିନ ତାଙ୍କୁ ବରେଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ସଙ୍କଟାପନ୍ନ ହେବାରୁ ମଙ୍ଗଳବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବୁଧବାର ଭୋର ପ୍ରାୟ ୩ଟା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଙ୍କ ଘୋଷଣା ପରେ ପୁଅ ସଞ୍ଜୀବ ନିଜ ମା'ଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଆଗ୍ରାସ୍ଥିତ ବାସଭବନକୁ ନେଇଆସିଥିଲେ। ଘରେ ଅନ୍ତିମ ସଂସ୍କାର ପାଇଁ ସମସ୍ତ ଆୟୋଜନ ଚାଲିଥିଲା। ରାତି ପ୍ରାୟ ୮ଟା ସମୟରେ (ମୃତ ଘୋଷଣାର ପ୍ରାୟ ୧୭ ଘଣ୍ଟା ପରେ) ମହିଳାଙ୍କ ଶରୀରରେ ହାଲୁକା ହଲଚଲ ଦେଖିବାକୁ ମିଳିଥିଲା। ପ୍ରଥମେ ପରିବାର ଲୋକ ଏହାକୁ ନିଜର ଭ୍ରମ ଭାବିଥିଲେ। ମାତ୍ର ଯେତେବେଳେ ଶୀଲା ଦେବୀଙ୍କ ଜ୍ବାଇଁ ତାଙ୍କ ପାଦ ଛୁଇଁ ପ୍ରଣାମ କଲେ, ମହିଳାଜଣଙ୍କ ହଠାତ୍ ତାଙ୍କ ହାତ ଧରି ପକାଇଥିଲେ।

 ସେ ଜ୍ବାଇଁଙ୍କୁ ପଚାରିଥିଲେ, ‘ତୁମେ ମୋ ପାଦ କାହିଁକି ଛୁଉଁଛ ? ମୋତେ କୁଆଡ଼େ ନେଉଛ ? ମୁଁ ଜୀବିତ ଅଛି, ତୁମେ ସବୁ କାହିଁକି କାନ୍ଦୁଛ ?’ଏହା ଶୁଣିବା ମାତ୍ରେ ଉପସ୍ଥିତ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ମଧ୍ୟରେ ଭୟ ଏବଂ ବିସ୍ମୟର ପରିବେଶ ସୃଷ୍ଟି ହୋଇଥିଲା।

ଏହି ଅଭାବନୀୟ ଘଟଣା ପରେ ପରିବାର ଲୋକେ ତୁରନ୍ତ ମହିଳାଙ୍କୁ ଆଗ୍ରାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି, ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।ଅପରପକ୍ଷରେ, ଜଣେ ଜୀବିତ ମହିଳାଙ୍କୁ ମୃତ ଘୋଷଣା କରିଥିବାରୁ ବରେଲିର ସେହି ହସ୍ପିଟାଲର ଚିକିତ୍ସା ପଦ୍ଧତି ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।